ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁର୍ବଳତା ନା ବିଦ୍ୱେଷ

Spread the love

ନୂଆଦିଲ୍ଲୀ: ଶେଷରେ ଚାପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ରାଜି ହୋଇଛନ୍ତି ଅଶୋକ ଗେହଲଟ। ଜଣେ ବ୍ୟକ୍ତି, ଗୋଟିଏ ପଦ। ରାହୁଲଙ୍କ ଏହି ପରାମର୍ଶ ପରେ ଗେହଲଟଙ୍କ ଲାଗି ସବୁ ବାଟ ଯେମିତି ବନ୍ଦ ହୋଇଯାଇଛି। କଂଗ୍ରେସ ଅଧ୍ୟକ୍ଷ ପଦ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଇଛା ଜାହିର କରିଥିଲେ ହେଁ ଫସର ଫାଟିଯାଇଛି। ହେଲେ କୌଣସିମତେ ସଚିନ ପାଇଲଟଙ୍କୁ ଏହି ଚୌକିରେ ବସାଇବାକୁ ଚାହୁଁନଥିବା ଗେହଲଟ ମୁଖ୍ୟମନ୍ତ୍ରୀ ପଦ ଲାଗି ସିପି ଜୋଷୀଙ୍କ ନାଁ ସୁପାରିଶ କରି ବିବାଦକୁ ବଢ଼ାଇଦେଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ହଟଚମଟ। ରାହୁଲଙ୍କ ଅନାଗ୍ରହ ପରେ ଏହି ପଦବୀ ଲାଗି ସବୁଠୁ ଆଗ ଧାଡ଼ିରେ ଏବେ ସୋନିଆଙ୍କ ଖାସ୍ ଅନୁଗତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ଭରିବେ ବୋଲି ସ୍ପଷ୍ଟ କରିଛନ୍ତି ଗେହଲଟ। ହେଲେ ରାଜସ୍ଥାନ ରାଜନୀତି ଲାଗି ଅସ୍ଥିରତା ସୃଷ୍ଟି ବି କରିଦେଇଛନ୍ତି ଗେହଲଟ। କାରଣ ସଚିନ ପାଇଲଟଙ୍କୁ କୌଣସିମତେ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହାନ୍ତି ଗେହଲଟ। ସେଥିଲାଗି ତ ବାଚସ୍ପତି ସିପି ଜୋଷୀଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ଲାଗି ସୁପାରିଶ କରିଛନ୍ତି। ଜୋଷୀ ପୂର୍ବରୁ ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିଲେ। ଏହା ସହ ସେ ମନମୋହନ ସିଂଙ୍କ ନେତୃତ୍ୱ ଉପା-୨ ସରକାରରେ କ୍ୟାବିନେଟ ମନ୍ତ୍ରୀ ବି ଥିଲେ।

ସେପଟେ ଗେହଲଟଙ୍କ ବିରୁଦ୍ଧରେ ବିଦ୍ରୋହ କରି ପାଇଲଟ ଚର୍ଚ୍ଚାକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଚୌକି ଲାଗି ଏକଦା ବିପଦ ସୃଷ୍ଟି କରିଥିବା ପାଇଲଟଙ୍କୁ କୌଣସି ମତେ ଏହି ଆସନ ଦେବା ସପକ୍ଷରେ ନାହାନ୍ତି ଗେହଲଟ। ଗୁରୁବାର ଭାରତ ଯୋଡ଼ଯାତ୍ରାରେ ରାହୁଲଙ୍କ ସହ ଗେହଲଟ ସାମିଲ ହେବା ଆଗରୁ ପାଇଲଟ କେରଳ ଛାଡ଼ି ଜୟପୁର ଚାଲିଯାଇଥିଲେ। କିଛି ଦିନ ପୂର୍ବରୁ ପାଇଲଟଙ୍କ ସମର୍ଥକ ଯେଭଳି ରାଜସ୍ଥାନର ଦୁଇ ମନ୍ତ୍ରୀ ସାଧାରଣ ସଭାକୁ ସମ୍ୱୋଧିତ ବେଳେ ଚପଲ,ଜୋତା, ଖାଲି ପାଣି ବୋତଲ ଫିଙ୍ଗିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ, ଏଥିରୁ ସ୍ପଷ୍ଟ ହୋଇଥିଲା କି, ଏବେ ବି ତିକ୍ତତା ଚରମସୀମାରେ। ଦୁଇ ମନ୍ତ୍ରୀ ଅଶୋକ ଚନ୍ଦନା ଓ ଶକୁନ୍ତଳା ରାଓ୍ୱତଙ୍କ ଲାଗି ପାଇଲଟ ମୁଖ୍ୟମନ୍ତ୍ରୀ ହୋଇପାରିଲେନି ବୋଲି ଆରୋପ ଲଦି ନାରାବାଜି କରିଥିଲେ ସମର୍ଥକ। ପାଇଲଟଙ୍କର ବି ମୁଖ୍ୟମନ୍ତ୍ରୀ ଲାଗି ମୋହକୁ ନେଇ ଗୁର୍ଜର ସମ୍ପ୍ରଦାୟର ଆକ୍ରୋଶର ଶୀକାର ହୋଇଥିବା ମନ୍ତ୍ରୀ ଅଶୋକ ଚନ୍ଦନା ବି ପାଇଲଟଙ୍କୁ ପରୋକ୍ଷ ଧମକ ଦେବାକୁ ପଛାଇନଥିଲେ।

ଯଦି ଜାତୀୟ କଂଗ୍ରେସ ଅଧ୍ୟକ୍ଷର ଭାର ସମ୍ଭାଳିବେ ଗେହଲଟ। ତେବେ ରାଜସ୍ଥାନର ନେତୃତ୍ୱ କିଏ ନେବ। ଗେହଲଟଙ୍କ ସୁପାରିଶ କାମ ଦେବ ନା ହାଇକମାଣ୍ଡଙ୍କ ନିଷ୍ପତ୍ତି ଆଉ କିଛି ରହିବ। ଗୋଟିଏ ପଟେ ଅଧ୍ୟକ୍ଷ ନିର୍ବାଚନରେ ସ୍ଥିରତା ଆସିପାରେ ସତ। କିନ୍ତୁ ରାଜସ୍ଥାନରେ ପୁଣି ବିବାଦ, ବିଦ୍ରୋହର ପୁରୁଣା ଫର୍ଦ୍ଦ ଓଲଟିଲେ, ତାକୁ କେମିତି ଟାଳିବେ, ତାହା ହିଁ କଂଗ୍ରେସ କ୍ୟାମ୍ପ ଲାଗି ବଡ଼ ଟାସ୍କ ସାଜିପାରେ। କଂଗ୍ରେସର କମାଣ୍ଡ ଗେହଲଟଙ୍କ ହାତରେ ରହିଲେ ରାଜସ୍ଥାନ ସିଏମ ଚୌକି କାହା ହାତକୁ ଯିବ, ଦେଖିବାକୁ ରହିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *