ଶାରଦୀୟ ପୂଜାର ଅୟମାରମ୍ଭ ହୋଇଛି। ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ ।ଗତକାଲି ସୁନିଆରେ ସନ୍ଧ୍ୟାରୁ ଆରମ୍ଭ ହୋଇଛି ମା ବିରଜାଙ୍କ ନବାଙ୍କ ପୂଜା ଓ ବନଜାଗ ଯାତ୍ରା। ବିଲ୍ଵବରଣ କରାଯାଇ ମାଙ୍କ ସିଂହଧ୍ଵଜ ରଥ ପାଇଁ କାଷ୍ଠ ସଂଗ୍ରହ କରାଯାଇଛି। ପ୍ରତିପଦା ଠାରୁ ନବମୀ ଯାଏ ମାଙ୍କ ଚଳନ୍ତି ପ୍ରତିମା ରଥାରୂଢ଼ ହୋଇ ପ୍ରତିଦିନ ସନ୍ଧ୍ୟାରେ ମନ୍ଦିର ବେଢ଼ା ପରିକ୍ରମା କରିବେ। ସେପଟେ ମୂଳାଷ୍ଟମୀ ଠାରୁ ଆରମ୍ଭ ହେବ ମାଙ୍କ ଷୋଡଶ ଦିବସୀୟ ଷୋଡଶ ଉପଚାର ପୂଜା। ଯାହାକି ମହାନବମୀ ଯାଏ ଚାଲିବ। ପ୍ରତିଦିନ ନୂଆ ନୂଆ ବେଶ ଧାରଣ କରି ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମା। ଗତକାଲି ରାତିରେ ଭଜନ କିର୍ତ୍ତନର ତାଳେ ତାଳେ ମନ୍ଦିରର ପୁରୋଧା, ପୁରୋହିତ ଓ ପୂଜକଙ୍କ ସହିତ ରଥ କାରିଗର ଆଦିଙ୍କୁ ବରଣି କରାଯାଇଛି। ସେପଟେ ମାଙ୍କ ଷୋଡ଼ଶ ପୂଜା ଚାଲିବା ସମୟରେ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ପ୍ରବେଶ କରି ମୁଖଦର୍ଶନ ସହ ପାଦସ୍ପର୍ଶ କରିବାର ସୁଯୋଗ ପାଇବେ। ଭାରତର ୫୧ଗୋଟି ଶକ୍ତିପୀଠ ମଧ୍ୟରୁ ମା ବିରଜାଙ୍କ ପୀଠ ଅନନ୍ୟ ଏବଂ ସ୍ବତନ୍ତ୍ର ।
ମା ବିରଜା ହେଉଛନ୍ତି ଦ୍ବିଭୂଜା । ମା’ ବିରଜାଙ୍କର ସାତ୍ତ୍ବିକ, ବୈଦିକ ଓ ତାନ୍ତ୍ରିକ ମତରେ ପୂଜା କରାଯାଇଥାଏ । ଶାରଦୀୟ ଦୁର୍ଗୋତ୍ସବ ସମୟରେ ମା ବିରଜାଙ୍କ ମନ୍ଦିରର ତିନୋଟି ପ୍ରମୁଖ ବୈଶିଷ୍ଟ୍ୟ ଦେଖିବାକୁ ମିଳେ । ପ୍ରଥମଟି ହେଲା ମହାଳୟା ଦିନ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ, ଦ୍ଵିତୀୟଟି ହେଲା ପଞ୍ଚମୀ ଠାରୁ ମହାନବମୀ ପର୍ଯ୍ୟନ୍ତ ମାଙ୍କ ମୁଖଦର୍ଶନ ଓ ପାଦସ୍ପର୍ଶର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଏବଂ ତୃତିୟଟି ହେଲା ମା ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା । ପ୍ରତିପଦ ଠାରୁ ନବମୀ ଯାଏ ମାଙ୍କ ଚଳନ୍ତି ପ୍ରତିମା ମା ଦୁର୍ଗାଙ୍କ ରୂପରେ ସିଂହଧ୍ବଜ ରଥରେ ଆସୀନ ହୋଇ ମନ୍ଦିର ବେଢା ପରିକ୍ରମା କରନ୍ତି । ଏହି ସମୟରେ ମା’ଙ୍କୁ ରଥରେ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ଏଭଳି ନିଆରା ପରମ୍ପରା ଅନ୍ୟ କୌଣସି ଦେବୀ ପୀଠରେ ଦେଖିବାକୁ ମିଳେନାହିଁ । ମହାନବମୀ ଅନ୍ତେ ମା ମହିଷା ମର୍ଦ୍ଦିନୀ ସମସ୍ତ ଆସୁରୀ ଶକ୍ତିର ବିନାଶ କରନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଧିକ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦବୋସ୍ତ ଗ୍ରହଣ କରାଯାଇଥିବା ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଶେଷରେ ବିଜୟା ଦଶମୀ ଦିନ ସମାପନ ହେବ ମା’ଙ୍କ ଏହି ଷୋଡଶ ଉପଚାର ପୂଜା ଓ ରଥଯାତ୍ରା । ସେପଟେ ମାଙ୍କ ଦର୍ଶନ କରିବା ସହିତ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାକୁ ପ୍ରତିଦିନ ମନ୍ଦିରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now