ପାରଳାଖେମୁଣ୍ଡି ରେଳ ଷ୍ଟେସନର ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ

ଅମୃତ ଯୋଜନା ମାଧ୍ୟମରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଏନ୍ତୁଡିଶାଳ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନଃଉଦ୍ଧାର କାମ କରାଯାଉଛି । ପ୍ରାୟ ୪କୋଟି ଟଙ୍କା ବ୍ୟୟରେ ନିର୍ମାଣ କାମ ଜାରି ରହିଛି । ହେଲେ ଏହି କାମକୁ ନେଇ ବିବାଦ ଏବଂ ଅଭିଯୋଗ ଥମିବାର ନାଁ ଧରୁନାହିଁ । ଏହି କାମ ଅତ୍ୟନ୍ତ ନିମ୍ନମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ଖୁବ କମ ଦିନ ମଧ୍ୟ ନଷ୍ଟ ହୋଇଯିବା ନେଇ ଆଶଙ୍କା କରିଛନ୍ତି। କେବଳ ସେତିକି ନୁହେଁ, ଷ୍ଟେସନ ସମ୍ମୁଖରେ ସ୍ଥାପନ ହେବାକୁ ଥିବା ପ୍ରତିମୂର୍ତ୍ତିକୁ ନେଇ ମଧ୍ୟ ଏବେ ବିବାଦ ଦେଖାଯାଇଛି । ଏଠାରେ ପାଇକ ବିଦ୍ରୋହର ସ୍ମାରକୀ ଏକ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବାରୁ  ତୁରନ୍ତ ତାହାକୁ ହଟାଇ ଦିଆଯାଇଥିଲା ।  ଯେତେବେଳେ ଦେଶର ଅଧିକାଂଶ ସ୍ଥାନର ଲୋକେ ରେଳସେବା କଣ ଜାଣିନଥିଲେ ସେତେବେଳେ ପାରଳା ମହାରାଜା ନୌପଡା-ଗୁଣପୁର ରେଳପଥ ନିର୍ମାଣ କରିଥିଲେ । କେବଳ ନିର୍ମାଣ କରିନଥିଲେ ନିଜେ ଏହାର ପରିଚାଳନା କରି ପ୍ରଜାଙ୍କୁ ରେଳସେବା ଯୋଗାଇ ଦେଇଥିଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମଧ୍ୟ ପାରଳା ମହାରାଜାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଏଭଳି ଜଣେ ମହାପୁରୁଷଙ୍କ ଜନ୍ମ  ମାଟିରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାନଯାଇ କୌଣସି ଏକ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯିବା ନିଶ୍ଚିତ ଭାବେ ନିନ୍ଦନୀୟ ବୋଲି କହିଛନ୍ତି ସାଧାରଣ ଲୋକେ ।

ପାରଳାଖେମୁଣ୍ଡି ଷ୍ଟେସନ ପୁନଃଉଦ୍ଧାର କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ କିଛି ଦିନ ପରେ ଲୋକାର୍ପିତ ହେବ । ହେଲେ ପ୍ରତିମୂର୍ତ୍ତି ସ୍ଥାପନରେ ଖାମଖିଆଲି ମନୋଭାବକୁ ନେଇ ପ୍ରତିବାଦର ସ୍ବର ଉଠିବା ପରେ ଅବଶ୍ୟ ଲଗାଯାଇଥିବା ପ୍ରତିମୂର୍ତ୍ତିକୁ ବାହାର କରିଦିଆଯାଛି, ତଥାପି ଏହାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଲୋକେ ।  ତେବେ ଏନେଇ ନା ଠିକାଦାର ନା କାମର ତଦାରଖ କରୁଥିବା ଯନ୍ତ୍ରୀ କେହି କିଛି କହିବାକୁ ମନା କରିଦେଇଥିବା ବେଳେ ବିଶାଖପାଟଣା ଡିଭିଜନର ଏଡିଆରଏମ କହିଛନ୍ତି ଯେ, ଷ୍ଟେସନ ନିର୍ମାଣ କାମର ତଦାରଖ କରାଯିବ । ଯଦି କୌଣସି ସ୍ଥାନରେ ନିମ୍ନମାନର କାମ ହୋଇଥିବା ଜଣାପଡ଼େ ତାହେଲେ ତାହାକୁ ପୁନଃ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯିବ ।

ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର ପାରଳା ମହାରାଜାଙ୍କ ଜନ୍ମ ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତି ବଦଳରେ କୌଣସି ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ କରାଯାଇଥିବା ନିସ୍ପତ୍ତି କାହାର ତାହା ଏବେବି ରହସ୍ୟାବୃତ୍ତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *