ଅଚଳ ହୋଇପଡ଼ିଛି ପିକେଡିଏ। ଏକ ପ୍ରକାର କୋମାକୁ ଚାଲିଗଲାଣି ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ। ଅନୁମୋଦନ ଅପେକ୍ଷାରେ ପଡ଼ିଥିବା ଗୃହ ମଞ୍ଜୁରୀ ଦରଖାସ୍ତ ପଡ଼ିରହୁଛି। ଏନଓସି ଆଳରେ ଅଧିକାରୀ ଲୋକଙ୍କୁ ହଇରାଣ ହରକତ କରୁଛନ୍ତି। ଗୃହ ନିର୍ମାଣ ଅନୁମୋଦନରେ ଅହେତୁକ ବିଳମ୍ୱ ହେତୁ ବେଆଇନ ନିର୍ମାଣ ବି ଛତୁ ଫୁଟିଲା ଭଳି ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ର କୂଳ ସମେତ ପୁରୀ ଓ କୋଣାର୍କରେ ଅନଧିକାର ନିର୍ମାଣରୁ ଉପକୂଳବର୍ତ୍ତୀ ନିୟନ୍ତ୍ରଣ ବିଜ୍ଞପ୍ତିର ଖୁଲମଖୁଲା ଉଲ୍ଲଂଘନ ହେଉଛି। କଟକ, ଭୁବନେଶ୍ୱର ଓ ପୁରୀକୁ ଟ୍ରାଇସିଟି କରିବାର ପରିକଳ୍ପନାରେ ସରକାର ଅଛନ୍ତି। ତୀର୍ଥସ୍ଥଳ ସାଙ୍ଗକୁ ପର୍ଯ୍ୟଟନ ସ୍ଥଳୀ ଭାବେ ପୁରୀର ନାଁ ରହିଛି। ପୁରୀର ସାମଗ୍ରିକ ବିକାଶ ସାଙ୍ଗକୁ ଖୁବ୍ ଶୀଘ୍ର ପୁରୀକୁ ମହାନଗର ନିଗମ ଘୋଷଣା କରାଯିବ ବୋଲି କହିସାରିଲେଣି ସରକାର। କିନ୍ତୁ ପିକେଡିଏର ଏଭଳି ମାନସିକତା ବୋଧହୁଏ ନାହିଁ ବୋଲି କାମରୁ ପ୍ରତୀୟମାନ ହେଉଛି ବୋଲି ଆରୋପ ଲଦିଛି ଓଡ଼ିଶା ବିକାଶ ଅଭିଯାନ। ବିଡିଏ କି ସିଡିଏ ଭଳି ନା ଅଥୋରିଟି ମିଟିଂ ହେଉଛି ନା କିଛି ନିଷ୍ପତ୍ତି ଚୂଡ଼ାନ୍ତ କରି ଲୋକଙ୍କ ହିତରେ ଲାଗୁଛି ପିକେଡିଏ।
ଗଲା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୈଠକରେ ବି ପିକେଡିଏର କାମକୁ ନେଇ ଅସନ୍ତୋଷ ଜାହିର୍ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ପିକେଡିଏ କେମିତି ତ୍ୱରିତ ଓ ଗୁଣାତ୍ମକ ସେବା ଦେବ। ଲୋକଙ୍କୁ ହଇରାଣ କରିବନି। ସେ ସବୁ ନେଇ ତାଗିଦ୍ କରାଯାଇଛି। ସମୁଦ୍ରକୂଳ ନିକଟସ୍ଥ ସିପସରୁବାଲି ମୌଜାରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠାର ସମ୍ଭାବନା ଥିବାରୁ ପୁରୀ ସହରର ସୀମା ବୃଦ୍ଧିର ସମ୍ଭାବନା ରହିଛି। ଆଉ ଏଥିଲାଗି ପ୍ଲାନିଂ ସହରର ପୁରା ଭାର ପିକେଡିଏ ଉପରେ ଥିବାରୁ ଏହାକୁ କୌଣସିମତେ ହାଲୁକା ଭାବେ ନେଇହେବନି ବୋଲି ସ୍ପଷ୍ଟ କରିଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ମନ୍ତ୍ରୀଙ୍କ ତାଗିଦା ପରେ ପିକେଡିଏର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଜିଲ୍ଲାପାଳ କହିଛନ୍ତି, କେମିତି ଲୋକଙ୍କୁ ସୁବିଧାରେ, ସରଳ ସହଜ ବାଟରେ ତ୍ୱରିତ ସେବା ଦିଆଯିବ, ତା ଉପରେ ଗୁରୁତ୍ୱ ଦିଆଯାଉଛି।
ପିକେଡିଏ ଉପରେ ପୁରୀ-କୋଣାର୍କର ବିକାଶ ଓ ସୌନ୍ଦର୍ଯ୍ୟ ନିର୍ଭର କରେ। ସମାନ୍ତରାଳ ଭାବେ ପର୍ଯ୍ୟଟନର ସମ୍ଭାରକୁ ଆଗକୁ ବଢ଼ାଇବା, ପୁରୀରେ ପର୍ଯ୍ୟଟନ ଶିଳ୍ପରେ ଆଗ୍ରହୀ ନିବେଶକଙ୍କୁ ବି ସେମିତି ପ୍ଲାଟଫର୍ମ ଦେବା ପିକେଡିଏର କାମ।
Naxatra News is now on Whatsapp
Join and get latest news update delivered to you via whatsapp
Join Now