୭୬ତମ ଗଣତନ୍ତ୍ର ଦିବସ

୭୬ତମ ଗଣତନ୍ତ୍ର ଦିବସ ପୁରପଲ୍ଲୀରୁ ଦିଲ୍ଲୀ ଯାଏ ପାଳିତ ହୋଇଛି। ଓଡ଼ିଶାରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ରାଜ୍ୟପାଳ କୁମ୍ଭମପତି ବାବୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀମାର୍ଗରେ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ରାଜ୍ୟସ୍ତରୀୟ ପ୍ୟାରେଡରେ ୪୩ କଣ୍ଟିଜେଣ୍ଟ ଭାଗ ନେଇଥିଲେ। ଡେୟାର ଡେଭିଲ୍ ସୋ ସାଙ୍ଗକୁ ସ୍କେଟିଂରେ ଶିବ ତାଣ୍ଡବ ଦେଖିଛନ୍ତି ଦର୍ଶକ। ପ୍ରଜ୍ଞାପନ ମେଢ଼ ନିଜ କଳା କୌଶଳ ପ୍ରଦର୍ଶନ କରିଛନ୍ତି। ଚଳିତ ଥର ପ୍ୟାରେଡରେ ନେତୃତ୍ୱ ନେଇଥିଲେ ଯୁବ ଆଇପିଏସ ଭୋଷଲେ ଶୁଭମ ସଞ୍ଜୟ। ସେପଟେ କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଦେଶର ମହାମନିଷୀ ଓ ଜନକଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜ୍ୟରେ ସୁଶାସନ ପ୍ରତିଷ୍ଠା ସହ ଓଡ଼ିଆ ଅସ୍ମିତାକୁ ଧରି ରାଜ୍ୟ ସରକାର ଲୋକଙ୍କ ଆଶା ଆକାଙ୍କ୍ଷାକୁ ପୂରଣ କରିବାରେ ଲାଗିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଚାଷୀ, ମହିଳା ଓ ଯୁବକଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ରହିଛି। ଏମଏସପି ବୃଦ୍ଧି ସହ ଚାଷୀଙ୍କୁ ଅଦିନିଆ ବର୍ଷା ଲାଗି କ୍ଷତିପୂରଣ ଦେଇଛନ୍ତି। ମହିଳା ସଶକ୍ତିକରଣ କ୍ଷେତ୍ରରେ ମାଇଲଖୁଣ୍ଟ ସାଜିଛି ସୁଭଦ୍ରା ସ୍କିମ୍। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାର ଉଲ୍ଲେଖନୀୟ କାମ କରିଛନ୍ତି। ଫେବୃଆରୀରୁ ରାଜ୍ୟର ସାଢ଼େ ୩ କୋଟିରୁ ଉର୍ଦ୍ଧ୍ୱ ଲୋକ ଆୟୁଷ୍ମାନ ଭାରତରେ ସାମିଲ୍ ହେବାକୁ ଯାଉଛନ୍ତି। ଜାତୀୟ ଶିକ୍ଷା ନୀତି ଅନୁସାରେ ୪ ବର୍ଷ ଭିତରେ ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ହେବ। ଶପଥ ନେବାର କେଇ ଘଣ୍ଟା ଭିତରେ ଅନେକ ପଦକ୍ଷେପ ନେଇଛନ୍ତି। ଲୋକଙ୍କ ସ୍ୱର ହିଁ ଭଗବାନଙ୍କ ସ୍ୱର। ସାଧାରଣ ଜନତା ହିଁ ଅସଲ ଶାସକ।

ଜନଜାତିଙ୍କ ବିକାଶ, ପର୍ଯ୍ୟଟନର ବିକାଶ, ରେଳ ଭିତ୍ତିଭୂମି, ସଡ଼କ ଆଦି ଗମନାଗମନ କ୍ଷେତ୍ରରେ ଯେମିତି ପ୍ରାଥମିକତା ଦିଆଯାଉଛି, ଆସନ୍ତା ୫ ବର୍ଷ ଭିତ୍ତିଭୂମିର ବର୍ଷ ହେବ। ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ବିକାଶକୁ ଦ୍ୱିଗୁଣିତ କରିବ। ଗାଁ ହେଉଛି ରାଜ୍ୟର ଆତ୍ମା। ଗାଁ ହେଉଛି ବିକାଶର ଚାବିକାଠି। ଗାଁ ଲୋକଙ୍କ ହାତରେ ବିକାଶର ଚାବିକାଠି ରହିବ। ସେଥିଲାଗି ବିକଶିତ ଗାଁ, ବିକଶିତ ଓଡ଼ିଶାର ପରିକଳ୍ପନା ହୋଇଛି। ବର୍ଷକୁ ହଜାରେ କୋଟି ଟଙ୍କା ଦିଆଯିବ। ସଂଗ୍ରାମୀଙ୍କ ପେନସନ ବୃଦ୍ଧି, ମିସା ବନ୍ଦୀଙ୍କୁ ବି ପେନସନ ବ୍ୟବସ୍ଥା ହୋଇଛି। ଦକ୍ଷତାରୁ ଚାହିଦା ଓ ଶିଳ୍ପରୁ ସମୃଦ୍ଧି ସରକାରଙ୍କ ଦୂରଗାମୀ ଯୋଜନାର ମୂଳ ଆଧାର ସାଜିଛି। ଉତ୍ସବର ବେଳ ନୁହେଁ। ଗଣତନ୍ତ୍ର ଓ ସମ୍ୱିଧାନର ସଜାଗ ପ୍ରହରୀ ସାଜି ଅଗଣତାନ୍ତ୍ରିକ କାର୍ଯ୍ୟକୁ ପ୍ରତିହତ କରିବା।

ବିଭିନ୍ନ ଦଳୀୟ ମୁଖ୍ୟାଳୟରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଛି। ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଜେପି ମୁଖ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ୭ ମାସର ମୋହନ ସରକାର ବିକାଶ ନାଁରେ କେମିତି କେବଳ ନାଁ ଓ ରଙ୍ଗ ବଦଳାଇଛନ୍ତି, ତାକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ ଦଳ। ଗଣତନ୍ତ୍ର ଓ ସମ୍ୱିଧାନ ସୁରକ୍ଷା ଆଳରେ ପ୍ରତି ମୂହୂର୍ତ୍ତରେ ସମ୍ୱିଧାନ ବିରୋଧୀ କାମ କରୁଛନ୍ତି।

୭୬ ତମ ଗଣତନ୍ତ୍ର ଦିବସରେ ବାବାସାହେବ ଆମ୍ୱେଦକରଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ସମସ୍ତେ ପଣ କରିଛନ୍ତି। କିନ୍ତୁ ଏହାରି ଆଳରେ ଅହଂକାର ବିରୁଦ୍ଧରେ ଅସ୍ମିତାର ବିଜୟ ଲାଗି ସମସ୍ୱର ଉଠିଥିଲେ ବି ପରସ୍ପରର ଗୋହି ଖୋଳିବାକୁ ପଛାଇନାହାନ୍ତି ପ୍ରମୁଖ ଦଳ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *