ନବରଙ୍ଗପୁର ମାଣ୍ଡାଡଙ୍ଗରି ଶୈବପୀଠରେ ବାସୀ ଶିବରାତ୍ରି

ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡି ଗାଁ ନିକଟରେ ଥିବା ମାଣ୍ଡାଡଙ୍ଗରୀ ପାହାଡ଼ ପାଦଦେଶରେ ଥିବା ବାବା ଝାଡ଼େଶ୍ବର ଶୈବପୀଠରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । ଏଠାରେ ଶିବରାତ୍ରୀ ତିଥି ର ପରଦିନ ଶିବରାତ୍ରି ପାଳନ କରାଯାଇଥାଏ। ଯାହାକି ବାସି ଶିବରାତ୍ରୀ ଭାବେ ବେଶ ଲୋକପ୍ରିୟ । ଦେଶର ସବୁ ଅଞ୍ଚଳରେ ନିର୍ଦ୍ଦିଷ୍ଟ ତିଥୀରେ ଶିବରାତ୍ରି ବା ଜାଗର ପାଳନ ହେଉଥିବା ବେଳେ ଏଠାକାର ପରମ୍ପରା ସମ୍ପୂର୍ଣ ନିଆରା । ଏଠାରେ ଗୋଟିଏ ଦିନ ପରେ ଶିବରାତ୍ରି ବା ଜାଗର ପାଳନ କରାଯାଏ । ଏହାକୁ ବାସି ଶିବରାତ୍ରି ବୋଲି କୁହାଯାଏ ଏହାକୁ ଦେଖିବାକୁ ଏବଂ ପୂଜା କରିବାକୁ ଶିବରାତ୍ରୀ ପରଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିଥାଏ । ସ୍ଥାନୀୟ କିମ୍ବଦନ୍ତୀ ଅନୁଯାୟୀ ବହୁବର୍ଷ ପୂର୍ବେ ବିକ୍ରମ ନାମରେ ଜଣେ ବ୍ୟକ୍ତି ଏହି ଗ୍ରାମରେ ବାସ କରୁଥିଲେ। ଅମନାତ୍ୟ ବର୍ଗର ବିକ୍ରମ କୁଷ୍ଠରୋଗରେ ଆକ୍ରାନ୍ତ ହେବାପରେ  ବିକ୍ରମ କିଛି ବୟୋଜ୍ୟେଷ୍ଠ ଲୋକଙ୍କ ପରାମର୍ଶ କ୍ରମେ ଡାବୁଗାଁ ବ୍ଲକ ଅନ୍ତର୍ଗତ କେଲିଆ ଶୈବପୀଠରେ ପହଞ୍ଚି   ସେଠାରେ ଏକ ପତ୍ର କୁଡ଼ିଆରେ ରହି ରୋଗମୁକ୍ତ ପାଇଁ ଶିବଙ୍କୁ ପୂଜାର୍ଚ୍ଚନା ସହ ଆରାଧନା କଲେ। କିଛିଦିନ ପରେ କେଲିଆ ଶିବ ମନ୍ଦିର ପୂଜକଙ୍କୁ ପ୍ରଭୁ ସ୍ବପ୍ନାଦେଶ କରିବା ସହ ବିକ୍ରମକୁ ନିଜ ଗାଁକୁ ଫେରିଯାଇ ଗାଁର ଉତ୍ତର ଦିଗରେ ଥିବା ପର୍ବତ ଝରଣାରେ ଲୁପ୍ତ ଅବସ୍ଥାରେ ଥିବା ଶିବଲିଙ୍ଗରେ ପୂଜାର୍ଚ୍ଚନା କରିବା ପାଇଁ ଆଦେଶ ଦେଲେ । ପ୍ରଭୁଙ୍କ ଆଦେଶରେ ବିକ୍ରମ ନିଜ ଗାଁକୁ ଫେରି ପର୍ବତରେ ଥିବା ଏକ ଧାତୁକି ଗଛ ନିକଟସ୍ଥ ଝରଣାରେ ଆବିର୍ଭାବ ଶିବଲିଙ୍ଗ ନିକଟରେ ପତ୍ର କୁଡିଆରେ ରହି ପୂଜାକଲେ। ଶିବଙ୍କ ଆଶୀର୍ବାଦରେ ବିକ୍ରମ ମାଣ୍ଡା ରୋଗମୁକ୍ତ ହେବା ପରେ ପ୍ରଭୁଙ୍କ ମହିମା ପ୍ରଚାର ହେବା ସହ ସ୍ଥାନୀୟ ଲୋକେ ଏକ ମନ୍ଦିର ନିର୍ମାଣ କଲେ । ପରେ ବହୁ ମାନସିକଧାରୀ ରୋଗୀ ପ୍ରଭୁଙ୍କୁ ଆରାଧନା କରି ରୋଗମୁକ୍ତ ହେବା ସହ ବହୁ ଅପୁତ୍ରିକ ପୁତ୍ରଲାଭ କରିଥିବା ପର୍ବତମାଳା ମାଣ୍ଡାଡଙ୍ଗରୀ ନାମରେ ପରିଚିତ ହେଲା । ଏଠାରେ ଥିବା ସରୁ ଝରଣା ଅନବରତ ଜଳପୂର୍ଣ୍ଣ ରହିଥାଏ । ମାତ୍ର ଯୋତା ପିନ୍ଧି ପାଣିକୁ ଛୁଇଁଲେ ଅଥବା ଛେପ ପକେଇଲେ ହଠାତ୍ ପାଣି ଶୁଖିଯାଏ ବୋଲି ଲୋକକଥା ରହିଛି। ଅନ୍ୟପକ୍ଷରେ ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଲପୁର ନିକଟସ୍ଥ ଶିବଶକ୍ତି ପୀଠରୁ ଶିବରାତ୍ରି ଦିନ ଆଜ୍ଞାମାଳ ବା ବେଲପତ୍ର ପାଦୁକା ଏକ ଗୁପ୍ତ ସୁଡ଼ଙ୍ଗ ଦେଇ ପରଦିନ ମାଣ୍ଡାଡଙ୍ଗରୀରେ ପହଞ୍ଚିବା ପରେ ବାସି ଶିବରାତ୍ରି ପାଳନ ପରମ୍ପରା ରହିଥିବା କିମ୍ବଦନ୍ତୀ କହେ I ଶିବ ରାତ୍ର ଦିନ ପ୍ରଭୁ ଶିବଙ୍କ ପୂଜା ହେଉଥିବା ବେଳେ ଦ୍ଵିତୀୟ ଦିନରେ ପ୍ରଭୁ ଭୈରବଙ୍କ ପୂଜା ହୋଇଥାଏ । ପର୍ବତମାଳାରେ ଥିବା ଏହି ଶୈବପୀଠରେ ଦିନବେଳେ ଜାଗର ପର୍ବ ପାଳନ କରାଯାଏ । ହିଂସ୍ର ଜୀବଜନ୍ତୁଙ୍କ ଭୟଥିବାରୁ ବାସି ଶିବରାତ୍ରି ଦିନବେଳା ପାଳନ ପରେ ସଂଧ୍ୟା ପୂର୍ବରୁ ପୀଠସ୍ଥଳ ଶୂନଶାନ୍ ହୋଇଯାଏ । ଏହି ପବିତ୍ର ପୀଠସ୍ଥଳର ଉନ୍ନତିକରଣ ପାଇଁ କାର୍ଯ୍ୟ କଲେ ପର୍ଯ୍ୟଟକଙ୍କ ଆକର୍ଷଣ ବଢିବ ଓ ଏହାର ବିକାଶ ହୋଇପାରିବ ବୋଲି ସାଧାରଣରେ ଦାବି ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *