ଦେଶର କୋଣ ଅନୁକୋଣରେ ମକର ଉତ୍ସବ ପାଳନ ହୁଏ । ତେବେ ଗଜପତି ଜିଲ୍ଲାର ସୀତା ପାହାଡରେ ଅନୁଷ୍ଠିତ ମକର ମେଳାର ରହିଛି ସ୍ବତନ୍ତ୍ରତା । ଲୋକେ ଏହି ପାହାଡରେ ଉତ୍ସବ ପାଳନ କରିବା ସହ ମକର ମଧ୍ୟ ବସିଥାନ୍ତି । ଏଠାରେ ଅନୁଷ୍ଠିତ ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ବେଳେ ସମସ୍ତେ ପ୍ରଭୂ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆଶୀର୍ବାଦ ଲାଭ କରିଥାନ୍ତି ।
ସୀତା ପାହାଡ଼ରେ ମକର ମେଳା । ଗଜପତି ଜିଲ୍ଲା ଗୋଷାଣି ବ୍ଲକରେ ରହିଛି ସୀତା ପାହାଡ । ଏହି ପାହାଡ ଉପରେ ବର୍ଷ ତମାମ କୌଣସି ଗହଳି ଚହଳି ନଥିବା ବେଳେ ମକର ସଂକ୍ରାନ୍ତି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଏହି ସମୟରେ ହେଉଥିବା ଯାତ୍ରା ସହ ହୋମଯଜ୍ଞରେ ସାମିଲ ହୋଇ ପ୍ରଭୂ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆଶୀର୍ବାଦ ଲାଭ କରିଥାନ୍ତି ଶ୍ରଦ୍ଧାଳୁ। ସୀତାଙ୍କ ଦର୍ଶନ ପାଇଁ କେବଳ ଗଜପତି ଜିଲ୍ଲା କିମ୍ବା ପଡୋଶୀ ଜିଲ୍ଲା ନୁହେଁ, ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି । କିଛି ଲୋକ ଏହି ସମୟରେ ପାହାଡ ଚଢି ଟ୍ରାକିଂର ମଧ୍ୟ ମଜା ଉଠାଇବା ପାଇଁ ଏଠାକୁ ଆସିଥାନ୍ତି। ଲୋକ ଗହଳିକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ମଧ୍ୟ ଦୁଇ ପଇସା ଲାଭ କରିବା ପାଇଁ ବିଭିନ୍ନ ପସରା ନେଇ ପହଞ୍ଚିଥାନ୍ତି । ଏହି ସମୟରେ ପାହାଡର ସ୍ଥିତି ଦେଖିଲେ ଲାଗିବ ନାହିଁ ଯେ, ବର୍ଷ ତମାମ ଏଠାରେ କୌଣସି ଗହଳି ନଥାଏ ବୋଲି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଉତ୍ସବର ଢେର ମଜା ଉଠାଇଥାନ୍ତି ।
ପ୍ରତିବର୍ଷ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହେଉଥିବା ଏହି ଉତ୍ସବ ୪ଦିନ ଧରି ଚାଲିଥାଏ । ଯେଉଁଥିରେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଲୋକେ ସାମିଲ ହୋଇଥାନ୍ତି । ପାହାଡର ନାମ କରଣ ଏବଂ ମକର ଉତ୍ସବ ପାଳନ ପଛରେ କିମ୍ବଦନ୍ତି ରହିଥିବା କହିଛନ୍ତି ଆୟୋଜକ । ମାତା ସୀତା ବନବାସ ସାରି ଅଯୋଧ୍ୟା ଫେରିବା ସମୟରେ ମାସିକ ଋତୁସ୍ରାବ ଯୋଗୁଁ ଏହି ପାହାଡରେ କିଛି ଦିନ ଅଟକି ରହିଥିଲେ। ଏହି ସମୟରେ ସ୍ଥାନୀୟ ଲୋକଙ୍କୁ ନେଇ ଏକ ବନ୍ଧୁମିଳନ କରାଇବା ପାଇଁ ପ୍ରଭୂ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ରକ୍ଷା କରି ରାମଚନ୍ଦ୍ର ଏହି ଆୟୋଜନ କରାଇଥିଲେ । ତେଣୁ ଏହି ପାହାଡର ନାଁ ସୀତା ପାହାଡ ହେବା ସହ ସେହି ଦିନକୁ ମନେ ପକାଇବା ପାଇଁ ଏହି ଯାତ୍ରା ଆୟୋଜନ କରାଯାଉଥିବା ଆୟୋଜକ କହିଛନ୍ତି ।
ପ୍ରତିବର୍ଷ ଏଠାରେ ମକର ଉତ୍ସବ ଖୁବ ଧୁମଧାମରେ ପାଳିତ ହେଉଥିବା ବେଳେ ଏହି ସମୟରେ ହେଉଥିବା ଜନଗହଳିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now