ଟମାଟୋ ଦର ଆକାଶଛୁଆଁ

ଟମାଟୋ ଦର ଆକାଶଛୁଆଁ ହୋଇଛି। ଅଦିନିଆ ବର୍ଷା ଯୋଗୁଁ ଟମାଟୋ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ବଜାରକୁ ଏହାର ଆଗମନ ମଧ୍ୟ ହ୍ରାସ ପାଇଛି। ଫଳରେ ଟମାଟୋ ଦର କିଲୋ ପିଛା ୧୦୦ ଟଙ୍କା ଛୁଇଁବା ଆରମ୍ଭ କରିଥିଲା। ପରିସ୍ଥିତିକୁ ସୁଧାରିବା ପାଇଁ ସରକାର ଟମାଟୋ କିଲୋ ପିଛା ୬୫ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍ ସିସିଏଫ୍), ନାଫେଡ୍ ଏବଂ ସଫାଲର ଖୁଚୁରା ଆଉଟଲେଟ୍ ମାଧ୍ୟମରେ ଏହାକୁ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବିକ୍ରି କରାଯିବ।

ଏହାବ୍ୟତୀତ ମୋବାଇଲ ଭ୍ୟାନ୍ ଜରିଆରେ ମଧ୍ୟ ଟମାଟୋ ବିକ୍ରି କରାଯିବ। ଗତ କିଛି ଦିନ ହେବ ଟମାଟୋ ସମେତ ଅନେକ ପନିପରିବା ଦର ବୃଦ୍ଧି ପାଇଛି। ମହାରାଷ୍ଟ୍ର ସମେତ ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ଟମାଟୋ ଫସଲ ନଷ୍ଟ ହୋଇଛି। ସରକାରଙ୍କ କହିବା ଅନୁଯାୟୀ, ଅକ୍ଟୋବରରେ ଟମାଟୋ ଦର ୩୯ ପ୍ରତିଶତ ବୃଦ୍ଧି ପାଇଛି। ଗତ ମାସରେ ହାରାହାରି ଦର କିଲୋ ପିଛା ୪୪ ଟଙ୍କା ଥିବା ବେଳେ ଏବେ ଏହା ୬୨ ଟଙ୍କାକୁ ବୃଦ୍ଧି ପାଇଛି। ସରକାରୀ ତଥ୍ୟ ଅନୁଯାୟୀ ହୋଲସେଲ ବଜାରରେ ଟମାଟୋ ଦର କ୍ବିଣ୍ଟାଲ ପିଛା ୩୫୬୨ ଟଙ୍କାରୁ ୫୦୪୫ ଟଙ୍କାକୁ ବୃଦ୍ଧି ପାଇଛି।ରେଟିଂ ଏଜେନ୍ସି କ୍ରିସିଲର ଏକ ରିପୋର୍ଟ ଅନୁଯାୟୀ ଭେଗ ଥାଳିର ଦାମ୍ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଭେଜ ଥାଳିର ଦାମ୍ ୧୧ ପ୍ରତିଶତ ବୃଦ୍ଧି ପାଇଛି। ଏଥିରେ ସବୁଠାରୁ ବଡ଼ ଯୋଗଦାନ ହେଉଛି ପନିପରିବା ଦର। ତେବେ ନନ୍ ଭେଜ୍ ଥାଳି ଦର ୨ ପ୍ରତିଶତ ହ୍ରାସ ପାଇଛି। ପୂର୍ବରୁ ଟମାଟୋ ଦର ବଢ଼ିବା ପରେ ସରକାର ସମାନ ଢଙ୍ଗରେ ବିକ୍ରି ଆରମ୍ଭ କରିଥିଲେ। ସେହି ସମୟରେ ଟମାଟୋ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା। ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ଛତିଶଗଡ଼ରେ ମଧ୍ୟ ଟମାଟୋ ଫସଲ ନଷ୍ଟ ହୋଇଛି ବୋଲି ବ୍ୟବସାୟୀ ଓ କୃଷକମାନେ କହିଛନ୍ତି।

ଗତବର୍ଷ ଉତ୍ପାଦନ ଅଧିକ ହୋଇଥିଲା। ଟମାଟୋ ଫସଲ ମଧ୍ୟ ଅନେକ ଅଞ୍ଚଳରେ ରୋଗଦ୍ୱାରା ପ୍ରଭାବିତ ହୋଇଛି । ଫଳରେ ଯୋଗାଣ ହ୍ରାସ ପାଇଛି। ବର୍ଷା ଯୋଗୁଁ ପରିବହନ ମଧ୍ୟ ମହଙ୍ଗା ହୋଇଯାଏ । ଏହି କାରଣରୁ ମୌସୁମୀରେ ପନିପରିବା ଦର ବୃଦ୍ଧି ପାଇଥାଏ। ଚଳିତ ବର୍ଷ ପ୍ରଥମ ଗ୍ରୀଷ୍ମ ପ୍ରବାହ ଯୋଗୁଁ କ୍ଷୟକ୍ଷତି ହୋଇଥିବା ବେଳେ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଚାଷୀ ଓ ଖାଉଟିମାନେ ଦ୍ୱିଗୁଣିତ କ୍ଷତିଗ୍ରସ୍ତ ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *