ଗାଁ ରେ ପିଇବାକୁ ପାଣି ନାହିଁ କି ,ଯାତାୟାତ ପାଇଁ ଭଲ ରାସ୍ତା ଟିଏ ମଧ୍ୟ ନାହିଁ । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଯେତେ ଗୁହାରୀ କଲେ ମଧ୍ୟ ଶୁଣୁନି ପ୍ରଶାସନ । ଏମିତି କିଛି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ନଳଗୋହିରା ଗ୍ରାମ ପଞ୍ଚାୟତର ଜମ୍ଭୀରା ସାହିର ଗ୍ରାମବାସୀ । ସୂଚନା ଅନୁଯାୟୀ ଉକ୍ତ ଗ୍ରାମରେ ୫ଶହରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ରହିଛି କେବଳ ୩ଟି ନଳକୂପ । ମାତ୍ର ଖରାଦିନେ ସେଥିରୁ ଠିକରେ ପାଣି ବାହାରୁ ନ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତ ଲୋକେ । ଟୋପାଏ ପାଣି ପାଇଁ ନଳକୂପ ନିକଟରେ ଘଣ୍ଟା ଘଣ୍ଟା ଧାରଣା ଦେବାକୁ ପଡୁଛି । ଆଉ ସେଥିରୁ ବାହାରୁଥିବା ପାଣି ଲୁଣି ହୋଇ ଥିବାରୁ ବ୍ୟବହାର ଉପଯୋଗୀ ହୋଇ ପାରୁନି । ସେହିପରି ଗାଁ ରାସ୍ତାର ପରିସ୍ଥିତି ମଧ୍ୟ ଶୋଚନୀୟ , ଆମ୍ବୁଲାନ୍ସ ଟିଏ ମଧ୍ୟ ଗାଁ ଭିତରକୁ ପ୍ରବେଶ କରି ପାରୁନି । ସାମାନ୍ୟ ଟିକିଏ ବର୍ଷା ହେଲେ ଗାଁ ଦାଣ୍ଡରେ ପାଣି ଲହଡ଼ି ମାରୁଛି । ଫଳରେ ଯାତାୟାତର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ରାସ୍ତା ଓ ପିଇବା ପାଣି ଭଳି ମୌଳିକ ଆବଶ୍ୟକତାକୁ ପୂରଣ କରିବାରେ ଅକ୍ଷମ ହୋଇଛି ପ୍ରଶାସନ । ଯଦି ପ୍ରଶାସନ ଏ ଦିଗରେ ଦୃଷ୍ଟି ନ ଦିଏ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ .

Naxatra News is now on Whatsapp
Join and get latest news update delivered to you via whatsapp
Join Now