ଦୁର୍ନୀତି ଓ କାଣ୍ଡରାଜ୍ୟ

ଆରଜେଡି ନେତାଙ୍କ ଘରେ ସିବିଆଇ ରେଡ୍

ପାଟଣା: ବିହାରରେ ସିବିଆଇ ରେଡ୍। ନୀତିଶ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଦିନ ହିଁ ଆରଜେଡି ନେତାଙ୍କ ଘରେ ସିବିଆଇ ରେଡ୍ ହୋଇଛି। ଯାହାକୁ ନେଇ ବିହାର ରାଜନୀତିକ ହଟଚମଟ ଜୋର ଧରିଛି। ଆରଜେଡି ବିଧାୟକ ସୁନୀଲ ସିଂ ଓ ତିନି ଜଣ ସାଂସଦ ଆରଏସ ଅସଫାକ୍ କରିମଙ୍କ, ଫୟାଜ୍ ଅହମ୍ମଦ ଓ ସୁବୋଧ ରାୟଙ୍କ ଘରେ ଓ ଅଫିସରେ ସିବିଆଇ ରେଡ୍ ନେଇ ବିଜେପି ଓ ମହାଗଠବନ୍ଧନ ସରକାର ମୁହାଁମୁହିଁ ହୋଇଛନ୍ତି।

ଚାକିରୀ ପାଇଁ ଜମି ଦୁର୍ନୀତିର ପୁରୁଣା ଚିଠା ପୁଣି ଖୋଲିଛି ସିବିଆଇ। ଆରଜେଡି ବିଧାନପରିଷଦ ସଦସ୍ୟ ସୁନୀଲ ସିଂ ଓ ତିନି ଜଣ ସାଂସଦ ଅସଫାକ୍ କରିମ୍, ଫୟାଜ୍ ଅହମ୍ମଦ ଓ ସୁବୋଧ ରାୟଙ୍କ ଘର ଓ ଅଫିସ ଉପରେ ସିବିଆଇ ରେଡ୍ କରିଛି। ତେବେ ଏହି ସମୟ ସଂଯୋଗ ନା ଆଉ କିଛି ବୋଲି ଚର୍ଚ୍ଚା ବି ହେଉଛି। କାରଣ ନୀତିଶ ସରକାର ନିଜ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାର ଦିନ ଥିଲା। ଆଉ ଏତିକିବେଳେ ସିବିଆଇ ଆରଜେଡି ନେତାଙ୍କ ଘରେ ଛାପା ମାରିବାକୁ ନେଇ ମହାଗଠବନ୍ଧନ ସରକାର ସହଜରେ ଗ୍ରହଣ କରିପାରୁନି। ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଉଥିବା କହିଛି ଆରଜେଡି। ଏହି ରେଡ୍ ର କୌଣସି ମାଏନା ନାହିଁ। ବିଜେପି ଭାବୁଛି, ସିବିଆଇକୁ ପଛରେ ଲଗାଇଦେଲେ ବିଧାୟକମାନେ ଭୟଭୀତ ହୋଇଯିବେ। ଆଉ ସେମାନଙ୍କ ପଟକୁ ଢଳିବେ। ଏହା ସେମାନଙ୍କ ଦିବାସ୍ୱପ୍ନ ବୋଲି କହିଛନ୍ତି ଆରଜେଡି ଏମଏଲସି ତଥା ବିହାର ରାଜ୍ୟ କୋପରେଟିଭ୍ ମାର୍କେଟିଂ ୟୁନିଅନର ଅଧ୍ୟକ୍ଷ ସୁନୀଲ ସିଂ।

ଆରଜେଡି ସାଂସଦ ମନୋଜ ଝା କହିଛନ୍ତି, ଏହା କୌଣସି ସିବିଆଇ, ଇଡି କି ଆଇଟିର ରେଡ୍ ବୋଲି କୁହାଯିବା ସମୀଚିନ ହେବନି। ବରଂ ଏହି ରେଡ୍ ବିଜେପି କରିଛି ବୋଲି କହିବା ଉଚିତ୍ ହେବ। ସିବିଆଇ ଏବେ ବିଜେପି ଅଧୀନରେ କାମ କରୁଛି। ସିବିଆଇ ଅଫିସ ବିଜେପିର ସ୍କ୍ରିପ୍ଟରେ ଚାଲୁଛି। ଯେଉଁଦିନ ମହାଗଠବନ୍ଧନ ସରକାରର ଫ୍ଲୋର-ଟେଷ୍ଟ ସେଦିନ ଏଭଳି ରେଡ୍ ଆଉ କଅଣ ବାର୍ତ୍ତା ଦେଉଛି, ଏହା ବୁଝିବାକୁ ବାକି ନାହିଁ। ଏବେକାର ମେଣ୍ଟ ସରକାର ଜନତାର ବିକାଶ ପାଇଁ ଉଦ୍ଦିଷ୍ଟ। ସରକାର କଅଣ ତାଙ୍କ ଇଙ୍ଗିତରେ ଚାଲିବ ବୋଲି ଭାବୁଛି କି ବିଜେପି। ଆଉ କେହି କହିଲେଣି, ବିହାର ଗଣତନ୍ତ୍ରର ମାଟି। ଏଠି ଯେତେ ତଦନ୍ତକାରୀ ଏଜେନ୍ସି ପଠାଇଲେ ବି, କେହି ମହାଗଠବନ୍ଧନ ସରକାର ଉପରେ ଚାପ ପକାଇପାରିବେନି। ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ କହିଛନ୍ତି, ଗୋଟିଏ ନୂଆ ସରକାର ଗଠନ ହୋଇଛି। ବିଜେପିକୁ ଛାଡ଼ିଦେଲେ ବାକି ସବୁ ଦଳ ଆମ ସହ ଅଛି। ସଂଖ୍ୟାଗରିଷ୍ଠତା ଥିବାରୁ ସିବିଆଇ ଚଢାଉ କରି ଆମକୁ ଭୟଭୀତ କରିବାକୁ ଚେଷ୍ଟା ହେଉଛି। କିନ୍ତୁ ଆମେ ଭୟଭୀତ ନୋହୁଁ। କାରଣ ଏହା ପ୍ରଥମ ଥର ହେଉନି।

ରେଳବାଇରେ ଚାକିରୀ ପାଇଁ ଜମି ପ୍ରସଙ୍ଗରେ ଲାଲୁ ଯାଦବ, ତାଙ୍କ ପତ୍ନୀ ଓ ଝିଅଙ୍କ ସମେତ ଅନେକଙ୍କୁ ଅଭିଯୁକ୍ତ ଦର୍ଶାଇ ସିବିଆଇ ଗଲା ମେ ମାସରେ ୧୭ଟି ଜାଗାରେ ରେଡ୍ କରିଥିଲା। ଜୁଲାଇରେ ଲାଲୁ ଯାଦବଙ୍କ ଅଫିସରେ ଓଏସଡି ଭାବେ କାମ କରୁଥିବା ଭୋଳା ଯାଦବଙ୍କୁ ଗିରଫ କରିଥିଲା ସିବିଆଇ। ଲାଲୁ ରେଳ ମନ୍ତ୍ରୀ ଥିଲା ବେଳେ ଭୋଳା ଓଏସଡି ଥିଲେ। ୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳମନ୍ତ୍ରୀ ଥିଲା ବେଳେ ରେଳବାଇରେ ଚାକିରୀ ପାଇବାକୁ ହେଲେ ଲାଲୁ ଲୋକଙ୍କଠୁ କାରସାଦି କରି ଜମି ନେଉଥିବା ଅଭିଯୋଗ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button