Malkangiri

ପୋତି ହେବାକୁ ବସିଲାଣି ସତୀଗୁଡା ଜଳଭଣ୍ଡାର, ପୁନଃଉଦ୍ଧାର ପାଇଁ ଦାବୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ନିକଟରେ ରହିଛି ସତୀଗୁଡା ଜଳଭଣ୍ଡାର । ଯାହା ବର୍ତ୍ତମାନ ଲୋକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ପାଲିଟିଛି । ସେତେବେଳେ ଶହ ଶହ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ମାଲକାନଗିରି ଠାରେ ଥଇଥାନ କରାଯିବା ସମୟରେ ସେମାନଙ୍କ ଚାଷଜମିକୁ ଜଳଯୋଗାଣ ଉଦ୍ଦେଶ୍ୟରେ ସତୀଗୁଡ଼ା ଜଳଭଣ୍ଡାର ନିର୍ମାଣ କରାଯାଇଥିଲା । ତେବେ ବର୍ତ୍ତମାନ ଏହି ଜଳଭଣ୍ଡାରଟି ଏବେ ଧିରେ ଧିରେ ପୋତି ହେବାରେ ଲାଗିଛି ।

୧୯୬୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରୟଣ ସିଂହଦେଓ ଏହି ଜଳଭଣ୍ଡାରର ଉଦ୍ଘାଟନ କରିଥିଲେ । ସେହି ସମୟରେ ଜଳଭଣ୍ଡାର ନିର୍ମାଣ ପାଇଁ ପ୍ରାୟ ୧୭ କୋଟିରୁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଜଳଭଣ୍ଡାର ନିର୍ମାଣ ପରେ ଡାହାଣ ଓ ବାମ କେନାଲ ମାଧ୍ୟମରେ ଚାଷୀଙ୍କ ଜମିରେ ସୁରୁଖୁରୁରେ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପ ନିର୍ମାଣ ହୋଇଥିଲା । ଏହି ଜଳଭଣ୍ଡାରରୁ ଖରିଫ ଋତୁରେ ୯,୦୬୫ ହେକ୍ଟର ଚାଷଜମିକୁ ଜଳ ଯୋଗାଣର ବ୍ୟବସ୍ଥା ରହିଥିଲା । ସେହିଭଳି ରବି ଋତୁରେ ୪,୫୩୫ ହେକ୍ଟର ଜମିରେ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି । ଏହାସହ ସେହି ସମୟରେ ଦଣ୍ଡକାରଣ୍ୟ ପ୍ରୋଜେକ୍ଟ ଆରମ୍ଭ ହେବାପରେ ମାଲକାନଗିରି ସହରରେ ଥିବା ପ୍ରୋଜେକ୍ଟର ୪୦୦ରୁ ୫୦୦ ଷ୍ଟାଫ୍ କ୍ବାଟର ଗୁଡିକୁ ଏହି ଜଳଭଣ୍ଡାରରୁ ପାଣି ଦିଆଯାଇଥିଲା । ଏବେ ମାଲକାନଗିରି ମୁନିସିପାଲଟିର ୫,୭୬୦ ଘରକୁ ପ୍ରତିଦିନ ୬.୩୦ ମିଲିୟନ ଲିଟର ଓ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ୨ ଲକ୍ଷ ଲିଟର ପାଣି ସତୀଗୁଡା ଜଳଭଣ୍ଡାରରୁ ଯୋଗାଇ ଦିଆଯାଉଛି । ଚାଷୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଏବେ ମାଲକାନଗିରି ସହରବାସୀଙ୍କ ଶୋଷ ମେଣ୍ଟାଉଥିବା ଦେଖାଯାଉଛି । ଏହି ଜଳ ଯୋଗାଣ ନିମନ୍ତେ ସତୀଗୁଡା ଜଳସେଚନ ବିଭାଗ ପ୍ରତି ୟୁନିଟ ୧ କ୍ୟୁବିକ୍ ମିଟର ପିଛା ୪୪ ପଇସା ନେଉଥିବା ପୌରପରିଷଦରୁ ସୂଚନା ମିଳିଛି । ତେବେ ବର୍ଷା ଜଳ ଉପରେ ଜଳଭଣ୍ଡାର ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ଯଦି କମ୍ ବର୍ଷା ହୁଏ, ତେବେ ଜଳ ଯୋଗାଣରେ ବାଧା ସୃଷ୍ଟି ହେଉଥିବା ବିଗତ ଦିନରେ ଦେଖାଯାଇଛି । ଯଦି ଆବଶ୍ୟକ ପରିମାଣରେ ବର୍ଷା ନହୁଏ, ତେବେ ଚାଷ ଜମି ତ ଦୂରର କଥା ସହରକୁ ଜଳ ଯୋଗାଇବା କଷ୍ଟକର ହେବ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି । ଉକ୍ତ ଜଳଭଣ୍ଡାରରୁ ୨୧୮ ଜଣ ପଞ୍ଜିକୃତ ମତ୍ସ୍ୟଜୀବୀ ମାଛ ଧରି ଜୀବିକା ନିର୍ବାହ କରନ୍ତି । ତେବେ ଏହି ଜଳଭଣ୍ଡାର ବର୍ତ୍ତମାନ ମାଟିରେ ପୋତି ହୋଇ ଯାଉଥିବାରୁ ଆଗାମୀ ଦିନରେ ଚାଷୀ ଓ ସହରବାସୀଙ୍କ ଜଳଯୋଗାଣ ପ୍ରକଳ୍ପକୁ ପୁନଃଉଦ୍ଧାର କରା ନଗଲେ ଜଳସଂକଟ ଉଗ୍ରରୂପ ଧାରଣ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଣୁ ଜଳଭଣ୍ଡାରର ପୁନଃଉଦ୍ଧାର ପାଇଁ ଏକ ଟିମ୍ ଗଠନ କରି ଏହାକୁ ଭଲଭାବେ ଅନୁଧ୍ୟାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Related Articles

Leave a Reply

Your email address will not be published.

Back to top button