ହକି ଯାଦୁଗର ମେଜର ଧ୍ୟାନଚାନ୍ଦ

Spread the love

() ଭାରତରେ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡା ଦିବସ ପାଳିତ ହୁଏ । ବିଭିନ୍ନ ଦେଶରେ ମଧ୍ୟ ଏହି ଦିବସ ପାଳନର ପରମ୍ପରା ରହିଛି । ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି । ମେଜର ଧ୍ୟାନଚାନ୍ଦ ଭାରତୀୟ ହକି ଜଗତର ଅମ୍ଳାନ ପ୍ରତିଭା । ଭାରତୀୟ ହକି ପ୍ରତି ଧ୍ୟାନଚାନ୍ଦଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏବଂ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ୨୦୧୨ ପରଠାରୁ ଜାତୀୟ କ୍ରୀଡା ଦିବସ ପାଳନର ପରମ୍ପରା ଆରମ୍ଭ ହୋଇଛି ।

() ୧୯୦୫,ଅଗଷ୍ଟ ୨୯ ତାରିଖରେ ଆହ୍ଲାବାଦ ସହରରେ ଧ୍ୟାନଚାନ୍ଦଙ୍କ ଜନ୍ମ ହୋଇଥିଲା । ୧୯୨୨ରେ ଧ୍ୟାନଚାନ୍ଦ ତତ୍କାଳୀନ ଭାରତୀୟ ସେନାରେ ଯୋଗ ଦେଇଥିଲେ । ସେହି ସମୟରେ ସୁବେଦାର ମେଜର ତିଓ୍ୱାରୀଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଧ୍ୟାନଚାନ୍ଦ ହକି ଖେଳିବା ଆରମ୍ଭ କରିଥିଲେ । ୧୯୨୬ରୁ ସେ ହକି ଖେଳିବା ଆରମ୍ଭ କରିଥିବାବେଳେ ୧୯୩୬ରେ ଭାରତୀୟ ହକି ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଥିଲେ ।  ଅପରପକ୍ଷେ ଧ୍ୟାନଚାନ୍ଦ ସେନାରେ ନାୟକ, ସୁବେଦାର, ଲେଫ୍ଟନାଣ୍ଟ,କ୍ୟାପଟେନ୍‌ ଏବଂ ପରେ ମେଜର ପଦକୁ ଉନ୍ନୀତ ହୋଇଥିଲେ । ତେବେ ହକି ପ୍ରତି ତାଙ୍କର ଦୁର୍ବଳତା ଏବଂ ବିଶେଷ ଅବଦାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଭାରତ ମଧ୍ୟ ବେଶ ସୁନାମ ଅର୍ଜନ କରିଥିଲା । ସେ ଭାରତୀୟ ହକି ଦଳର ସଦସ୍ୟ ଥିବାବେଳେ ତାଙ୍କର ବିଚକ୍ଷଣ ଖେଳ ପାଇଁ ଭାରତ ତିନି ତିନି ଥର ହକି ସ୍ଵର୍ଣ୍ଣପଦକ ହାସଲ କରିଥିଲା । ୧୯୨୮,୧୯୩୨ ଏବଂ ୧୯୩୬ ଅଲମ୍ପିକରେ ଭାରତ ହକିରେ ସ୍ଵର୍ଣ୍ଣପଦକ ବିଜୟୀ ହୋଇଥିଲା ।

() ୧୯୨୬ ରୁ ୧୯୪୮ ପର୍ଯ୍ୟନ୍ତ ଧ୍ୟାନଚାନ୍ଦ ଭାରତୀୟ ହକି ଦଳର ସଦସ୍ୟ ରହିଥିଲେ । ଧ୍ୟାନଚାନ୍ଦଙ୍କ ଆତ୍ମଜୀବନୀରେ ପ୍ରକାଶିତ ତଥ୍ୟ ମୁତାବକ ସେ ୧୮୫ ମ୍ୟାଚ୍‌ ଖେଳି ୫୭୦ରୁ ଅଧିକ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଥିଲେ । ପୁଣି ଅନ୍ୟ କିଛି ରିପୋର୍ଟ ମୁତାବକ ସେ ତାଙ୍କର ହକି କ୍ୟାରିଅରରେ ପ୍ରାୟ ୧ ହଜାର ଗୋଲ ସ୍କୋର କରିଥିଲେ । ତେବେ ହକିରେ ଗୋଲ ସ୍କୋର କରିବାର ଯେଉଁ ଶୈଳୀ ଧ୍ୟାନଚାନ୍ଦଙ୍କ ପାଖରେ ଥିଲା ତାହା ଏପର୍ଯ୍ୟନ୍ତ ବିରଳ । ତାଙ୍କ ପାଖରେ ବଲ୍‌ ପହଞ୍ଚିବା ପରେ ଗୋଲ ସ୍କୋର ହେବା ନିଶ୍ଚିତ ଥିଲା । ସତେ ଯେମିତି ତାଙ୍କର ହକି ଷ୍ଟିକରେ ବଲ୍‌ ଲାଖି ଯାଉଥିଲା ଏବଂ ଗୋଲ ପୋଷ୍ଟରେ ପହଞ୍ଚିବା ପରେ ହିଁ ଅଲଗା ହେଉଥିଲା । ଏହି କାରଣ ପାଇଁ ଅନେକ ମ୍ୟାଚରେ ଧ୍ୟାନଚାନ୍ଦଙ୍କ ହକି ଷ୍ଚିକକୁ ଭାଙ୍ଗି ତାକୁ ପରଖା ଯାଉଥିଲା । କାଳେ ତା ଭିତରେ କୌଣସି ଚୁମ୍ୱକ କିମ୍ୱା ସେମିତି କିଛି ରହିଛି କି ବୋଲି ବାରମ୍ୱାର ପରୀକ୍ଷା କରାଯାଉଥିଲା ।

() ହକି ତଥା ଭାରତୀୟ କ୍ରୀଡାକୁ ମେଜର ଧ୍ୟାନଚାନ୍ଦଙ୍କ ବିଶେଷ ଅବଦାନ ପାଇଁ ୧୯୫୬ରେ ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା । ୧୯୭୯, ଡିସେମ୍ୱର ୩ ତାରିଖରେ ମେଜର ଧ୍ୟାନଚାନ୍ଦଙ୍କ ପରଲୋକ ହୋଇଥିଲା । ତେବେ ୨୦୧୨ ପରଠାରୁ ତାଙ୍କର ଜନ୍ମଦିବସ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । କ୍ରୀଡା ଦିବସ ପାଳନ ଅବସରରେ ଦେଶର ବିଶିଷ୍ଟ କ୍ରୀଡାବିତ୍‌‍ଏବଂ ବିଭିନ୍ନ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବାର ପରମ୍ପରା ରହିଛି ।

ସୁପ୍ରିୟା ଦାଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *