ପ୍ରତ୍ୟାହୃତ ହେଲା କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ

Spread the love

() ଚାରି ଦିନ ଧରି ଜନ୍ତରମନ୍ତରରେ ଚାଲିଥିବା ଭାରତୀୟ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହୋଇଛି। କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲା ସଂଘ। ତେବେ କ୍ରୀଡା ମନ୍ତ୍ରୀ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ଭେଟି ଯୌନଶୋଷଣର ତଦନ୍ତ ନିର୍ଦେଶ ସହ ୭ ଜଣିଆ କମିଟି ଗଠନ କରିଛନ୍ତି। ମାସକ ଭିତରେ କମିଟି ରିପୋର୍ଟ ଦାଖଲ କରିବ।

ଜନ୍ତରମନ୍ତରରେ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କୁ ହଟାଇବା ଦାବିରେ ଜାରି ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହେଲା।  ବ୍ରିଜଭୂଷଣଙ୍କ ବିରୁଦ୍ଧରେ ଦୁର୍ନୀତି ଓ ଯୌନଶୋଷଣର ଅଭିଯୋଗ ଆଣି ପ୍ରାୟ ୪ଦିନ ହେଲା ଭାରତର ୩୧ ଜଣ ଜଣାଶୁଣା କୁସ୍ତିଯୋଦ୍ଧା ଧାରଣା ଜାରି ରଖିଥିଲେ। ଶେଷରେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହାର ହୋଇଛି। ବ୍ରିଜଭୂଷଣଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗର ତଦନ୍ତ ଲାଗି କମିଟି ଗଠନ ହୋଇଛି। କମିଟି ମାସକ ଭିତରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ତଦନ୍ତ ନ ସରିବା ଯାଏ ରେସଲର ଫେଡେରେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ଭାବେ କୌଣସି କାର୍ଯ୍ୟଭାର ବ୍ରିଜଭୂଷଣ ତୁଲାଇବେନି। ତଦନ୍ତରେ ବ୍ରିଜଭୂଷଣ ସହଯୋଗ କରିବେ। ତଦନ୍ତ ସମ୍ପୂର୍ଣ୍ଣ ହେବା ଯାଏ ଫେଡେରେସନ କାମ କମିଟି ଦେଖିବ ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ। ତେବେ ସେ ନିର୍ଦୋଷ  ଆଉ ଭୁଲ୍ କରିନଥିବାରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି ବୋଲି କଥାକୁ ଦୋହରାଇଛନ୍ତି ବ୍ରିଜଭୂଷଣ।

ଯେହେତୁ କ୍ରୀଡା ମନ୍ତ୍ରୀ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ବିଚାର ଲାଗି ଆଗେଇ ଆସିଛନ୍ତି, ସେଥିଲାଗି ଧାରଣା ପ୍ରତ୍ୟାହାର କରିଛୁ ବୋଲି କହିଛନ୍ତି ଆନ୍ଦୋଳନରତ କୁସ୍ତିଯୋଦ୍ଧା। ସେପଟେ ଭାରତୀୟ ଅଲମ୍ପିକ୍ସ ଆସୋସିଏସନ ବି ଶୁକ୍ରବାର ୭ ଜଣିଆ କମିଟି ଗଠନ କରିଛି। କମିଟିରେ ମ୍ୟାରି କମ୍, ଯୋଗେଶ୍ୱର ଦତ୍ତା, ଡୋଲା ବାନାର୍ଜୀ, ଅଳକାନନ୍ଦା ଅଶୋକ, ସହଦେବ ଯାଦବଙ୍କ ସମେତ ଦୁଇ ଜଣ ଆଇନଜୀବି ଅଛନ୍ତି। କମିଟି ମେମ୍ୱର ଯୋଗେଶ୍ୱର ଦତ୍ତ କହିଛନ୍ତି କି, ଆସିଥିବା ଅଭିଯୋଗ ସଙ୍ଗୀନ। ଯଦି ସତ ଥାଏ, ତେବେ ଅଭିଯୁକ୍ତକୁ ଦଣ୍ଡବିଧାନ ହେବା ଦରକାର। ଆଉ ଅଭିଯୋଗ ମିଛ ହୋଇଥିଲେ, ଏହା ପଛରେ ଉଦ୍ଦେଶ୍ୟ କଅଣ, ତାହାର ବି ଛାନଭିନ୍ କରି କଥା ପଦାକୁ ଆସିବା ଦରକାର। ୮ରୁ ୧୦ ଦିନ ଭିତରେ କମିଟି ଉଭୟ ପକ୍ଷକୁ ଶୁଣି ରିପୋର୍ଟ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରଣାଳୟ ଓ କ୍ରୀଡ଼ା ମନ୍ତ୍ରଣାଳୟକୁ ପଠାଇବ।

ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣିଛନ୍ତି ଏସିଆନ୍ ଗେମ୍ସ ଏବଂ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜୟିନୀ ଭିନେଶ ଫୋଗାଟ। ବଜରଙ୍ଗ ପୁନିଆ ମାଡ ମାରିବା ଅଭିଯୋଗ ଆଣିଛନ୍ତି। ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କ ବିରୁଦ୍ଧରେ ଦେଶର ଏକାଧିକ ରେସଲର ଦିଲ୍ଲୀର ଜନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କୁ ପଦବୀରୁ ହଟାଇବାକୁ ଦାବି କରିଥିଲେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *