ଜାତୀୟ

ବନ ସୁରକ୍ଷା ସଂଶୋଧନ ବିଲ୍-୨୦୨୩ ଲୋକସଭାରେ ଅନୁମୋଦିତ

ବନ ସୁରକ୍ଷା ସଂଶୋଧନ ବିଲ୍-୨୦୨୩ ଆଜି ଲୋକସଭାର ଅନୁମୋଦନ ଲାଭ କରିଛି । ଏହି ବିଲ୍କୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଲୋକସଭାରେ ଆଜି ଆଗତ କରିଥିଲେ । ଏହାକୁ ସଂସଦର ଯୁଗ୍ମ କମିଟି ବିଚାରକୁ ନେବା ପରେ ମନ୍ତ୍ରୀ ବିଲ୍କୁ ଅନୁମୋଦନ କରିବାକୁ ଗୃହର ଅନୁମତି ଲୋଡିଥିଲେ । ବିଲ୍ ଉପରେ ସଦସ୍ୟମାନେ ଆଲୋଚନା କରିବା ପରେ ଏହା ଗୃହୀତ ହୋଇଥିଲା ।

ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ୧୯୮୦ ବନ ସୁରକ୍ଷା ଆଇନ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏଥିରେ ସଂରକ୍ଷିତ ଜଙ୍ଗଲକୁ ଅଣ ସଂରକ୍ଷିତ କରିବା, ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ କାମରେ ଲଗାଇବା, ଜଙ୍ଗଲ ଜମି ଲିଜ୍ ବା ଅନ୍ୟ ଆକାରରେ ଘରୋଇ ସଂସ୍ଥା/ ବ୍ୟକ୍ତି ବିଶେଷଙ୍କୁ ଦେବା ଏବଂ ଜଙ୍ଗଲାଞ୍ଚଳରେ ପ୍ରାକୃତିକ ଭାବେ ଉଠିଥିବା ଗଛଲତାକୁ ସଫା କରି ନୂଆ ବନୀକରଣ କରିବା ଆଦି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ଆଗୁଆ ଅନୁମତି ନେବାରେ ବ୍ୟବସ୍ଥା ଥିଲା । ପ୍ରାରମ୍ଭରେ ଏହି ଆଇନର ପ୍ରୟୋଗ ବିଭିନ୍ନ ପ୍ରକାର ଜଙ୍ଗଲ ଜମି ପାଇଁ ଭିନ୍ନ ଭିନ୍ନ ରହିଥିଲା । ୧୯୯୬ ଡିସେମ୍ବର ୧୨ ରାୟ ପରେ ଏହି ଆଇନ ରାଜସ୍ୱ ଜଙ୍ଗଲ ଜମି ରେକର୍ଡରେ ଜଙ୍ଗଲ ଜମି ଭାବେ ଉଲ୍ଲେଖ ଥିବା ଭୂମି କିମ୍ବା ଅଭିଧାନିକ ଭାବରେ ଜଙ୍ଗଲ ଭଳି ଦେଖାଯାଉଥିବା ଜମି ପାଇଁ ଏହି ଆଇନ ପ୍ରୟୋଗ କରାଗଲା ।

ଏବେ ଅନେକ ଜଙ୍ଗଲ ଜମି ଘରବାଡି, ଗୃହନିର୍ମାଣ, ବସତି, ଅନୁଷ୍ଠାନ, ରାସ୍ତା ନିର୍ମାଣ ଆଦି କାମରେ ଲାଗିଛି । ସେଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରାକ୍ ଅନୁମତି ନିଆଯାଉଛି । ଏହା ଫଳରେ ଜଙ୍ଗଲ ଜମି ଅଣ ଜଙ୍ଗଲ କାମରେ ବ୍ୟବହୃତ ହୋଇଥିଲେ ମଧ୍ୟ ଆଇନର ପ୍ରୟୋଗ ଓ କାର୍ଯ୍ୟ କରିବାରେ ଭିନ୍ନତା ଆସୁଛି । ବିଶେଷକରି ରେକର୍ଡଭୁକ୍ତ ଜଙ୍ଗଲ ଜମି ଓ ବୃକ୍ଷରୋପଣ ତଥା ଉଦ୍ୟାନ କୃଷି ଆଦି କ୍ଷେତ୍ରରେ ଏହି ଆଇନର ପ୍ରୟୋଗ ଭିନ୍ନ ଭିନ୍ନ ହେଉଛି ।

ତେବେ ଜଳବାୟୁ ପରବର୍ତ୍ତନ ଓ ପ୍ରଦୂଷଣ ବୃଦ୍ଧି କାରଣରୁ ବେସରକାରୀ ଜାଗାରେ ବୃକ୍ଷରୋପଣ କରି ସବୁଜିମା ବଢାଇବା, ରେଳ ଓ ସଡକପଥ ନିର୍ମାଣ, ସୀମାନ୍ତରେ ସଡକ ନିର୍ମାଣ ଓ ବୃକ୍ଷରୋପଣ ଆଦି କାମରେ ଜଙ୍କଗ ଜମି ବ୍ୟବହାରରେ ପୁରୁଣା ଆଇନ କେତେକାଂଶରେ ବାଧା ସୃଷ୍ଟି କରୁଥିଲା । ତେଣୁ ସେଥିରେ ସ୍ପଷ୍ଟତା ଆଣିବା ଏବଂ ଜଙ୍ଗଲର ସୁରକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ଏହି ସଂଶୋଧନ ଅଣାଯାଇଛି । ଏହି ସଂଶୋଧିତ ବିଲରେ ଏହାର କାର୍ଯ୍ୟ ପରିସର ଓ ଅଧିକାର କ୍ଷେତ୍ର ବ୍ୟାପକ ହୋଇଛି । ଏଥିରେ ବନ ସଂରକ୍ଷଣ ଓ ସମ୍ବର୍ଦ୍ଧନ ଉଭୟ ଆଇନଗତ ମାନ୍ୟତା ପାଇଛି । ସର୍ବୋପରି ପୂର୍ବ ଆଇନରେ ଥିବା ସବୁ ଦ୍ୱନ୍ଦ୍ୱ ଓ ଅସ୍ପଷ୍ଟତାକୁ ସଂଶୋଧିତ ଆଇନରେ ଦୂର କରାଯାଇଛି । ସଂଶୋଧିତ ଆଇନରେ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସରକାର ଜମିର କିସମ ବଦଳାଇ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାମରେ ଲଗାଇ ପାରିବେ ଓ ଅଣଜଙ୍ଗଲ ଜମିରେ ବନୀକରଣ କରିପାରିବେ । ଆହୁରି ମଧ୍ୟ ସଂଶୋଧିତ ଆଇନରେ ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ସ୍ଥଳ ବିଶେଷରେ କରିହେବ । ଏଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ଅପରିହାର୍ଯ୍ୟ । ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲ ଜମିର ବ୍ୟବହାର କରିପାରିବେ । ଚିଡିଆଖାନା ନିର୍ମାଣ, ବନ୍ୟପ୍ରାଣୀ ପରିଚାଳନା ଆଦି କାମ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଜଙ୍ଗଲ ବିଭାଗ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଜଙ୍ଗଲ ଜମିକୁ ବ୍ୟବହାର କରିବାର ବାଟ ପରିସ୍କାର ହୋଇଛି । ଜଙ୍ଗଲାଞ୍ଚଳରେ ରହୁଥିବା ଲୋକ ନିଜର ଜୀବନଜୀବିକା ପାଇଁ ସମ୍ପୃକ୍ତ ଜଙ୍ଗଲ ଜମିକୁ ବ୍ୟବହାର କରିପାରିବେ । ତେବେ ସେମାନେ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କର କୌଣସି କ୍ଷତି କରିପାରିବେ ନାହିଁ ।

ଏହି ସଂଶୋଧିତ ବିଲ୍ରେ ଜଙ୍ଗଲର ସଂରକ୍ଷଣ ଓ ସମ୍ବର୍ଦ୍ଦନ ବା ବୃଦ୍ଧି-ଉଭୟକୁ ଗୁରୁତ୍ୱ ଦିଆଯାଇଛି । ଏହା ଫଳରେ ଜଙ୍ଗଲର ଉତ୍ପାଦକତା ବଢିବ, ଜଙ୍ଗଲାଞ୍ଚଳ ବାହାରେ ଲୋକେ ଗଛ ଲଗାଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରିପାରିବେ ଏବଂ ଲୋକଙ୍କୁ ଜୀବିକା ଯୋଗାଣ ସହିତ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇପାରିବ ।

Related Articles

Leave a Reply

Your email address will not be published.

Back to top button