ରାଜ୍ୟ କଂଗ୍ରେସର ମଙ୍ଗ ଧରିବ କିଏ ?

ଓଡ଼ିଶାରେ କଂଗ୍ରେସର ବିପର୍ଯ୍ୟୟ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ବିଦା ହେଲେ। ଏହା ସହ ସମସ୍ତ କମିଟି ଭାଙ୍ଗିଲା ପରେ ଏବେ ସଭାପତି ଦୌଡ଼ରେ କିଏ। ଏମିତିରେ କଂଗ୍ରେସ ବିଧାୟକ ଦଳ ନେତା ଦୌଡ଼ରୁ ବାହିନୀପତିଙ୍କୁ ବି ବାଦ୍ ଦେଇ ଦିଆଗଲା। ତା ହେଲେ ଏବେ କିଏ ରାଜ୍ୟ କଂଗ୍ରେସର ମଙ୍ଗ ଧରିବ। ସଭାପତି ଦୌଡ଼ରେ ଭକ୍ତ, ସପ୍ତଗିରି, ଶ୍ରୀକାନ୍ତଙ୍କ ସମେତ ବାହିନୀପତିଙ୍କ ନାଁ ବି ଚର୍ଚ୍ଚାରେ ଅଛି।

କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପଛରେ କିଏ ଦାୟୀ କେଉଁ କାରଣରୁ ଶୋଚନୀୟ ପ୍ରଦର୍ଶନ ହେଲା। ଏହାକୁ ନେଇ ଏଆଇସିସି ଗଠନ କରିଥିବା ଦୁଇ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଏଯାଏଁ ବି ଓଡ଼ିଶା ଆସିପାରିଲାନି। କିନ୍ତୁ ପରାଜୟର ସମୀକ୍ଷା ଆଗରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିକୁ ରବିବାର ଭାଙ୍ଗିଦେଲା ଏଆଇସିସି। ସଭାପତି ପଦରୁ ଶରତ ପଟ୍ଟନାୟକଙ୍କୁ ବିଦା କରିଦିଆଯାଇଛି। ପ୍ରଥମ ଥର ପାଇଁ ବିଦାୟୀ ପିସିସି ସଭାପତିଙ୍କୁ ଦଳ ପାଇଁ ତାଙ୍କର କାମ ଓ ଅବଦାନ ଲାଗି ଧନ୍ୟବାଦ ବି ଦେଲାନି ଏଆଇସିସି। ସେପଟେ କଂଗ୍ରେସ ବିଧାୟକ ଦଳ ନେତା ପଦ ଲାଗି ଆଶାୟୀ ହେଭିଓ୍ୱେଟ୍ ତାରାପ୍ରସାଦ ବାହିନୀପତିଙ୍କୁ ବି ନିରାଶ କଲା ଦଳ। ବାହିନୀପତିଙ୍କ ବଦଳରେ ରାମଚନ୍ଦ୍ର କାଡାମଙ୍କୁ ନିଯୁକ୍ତ କଲା। ନୂଆ କମିଟି ଗଠନ ହେଲା ଯାଏ ଜିଲ୍ଲା ସଭାପତିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ସିନା ନିଯୁକ୍ତି ଦିଆଯାଇଛି। କିନ୍ତୁ କଥା ପଡ଼ିଛି। ଏବେ ରାଜ୍ୟ କଂଗ୍ରେସର ମଙ୍ଗୁଆଳ କିଏ ସାଜିବ। ନୂଆ ପିସିସି ସଭାପତି ପଦ ପାଇଁ ଦୌଡ ବି ଆରମ୍ଭ ହୋଇଛି। ରେସରେ ଅଛନ୍ତି ଭକ୍ତ ଦାସ, ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲ୍ଲାକା ଓ ତାରାପ୍ରସାଦ ବାହିନୀପତି ପ୍ରମୁଖ। ତେବେ ନିଜେ ନର୍ଲାରୁ ହାରିବା ସହ ଦଳର ପରାଜୟ ପରେ ପରେ ନିଜ ଉପରକୁ ନୈତିକତା ନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ପଦ ଛାଡ଼ିଥିଲେ ଭକ୍ତ। ଏକମାତ୍ର ଲୋକସଭା ସାଂସଦ ଭାବେ ସପ୍ତଗିରି ଉଲ୍ଲାକା କୋରାପୁଟରୁ ନିଜ ଆସନ ବଜାୟ ରଖିଲେ। ଶ୍ରୀକାନ୍ତ ଜେନା ବାଲେଶ୍ୱର ଲୋକସଭା ଆସନରୁ ହାରିବା ପରେ ତାଙ୍କର ଗତିବିଧି ବି ଆଉ ଦେଖିବାକୁ ମିଳୁନି। ଏଭଳି ସ୍ଥିତିରେ ତାରାପ୍ରସାଦ ବାହିନୀପତିଙ୍କୁ ରାଜ୍ୟ ମଙ୍ଗୁଆଳ ପଦ ଏଆଇସିସି ଦେବାର ଆଶା ରହିଛି। ବାହିନୀପତି କହିଛନ୍ତି, ଦଳ ଯେତେବେଳେ ଯାହା ଦାୟିତ୍ୱ ଦେଇଛି ନିର୍ବାହ କରିଛି। କୌଣସି ପଦପଦବୀ ଲାଗି ସେ ଲାଳାୟିତ ନୁହଁନ୍ତି। ପଦ ପାଇଁ ଦିଲ୍ଲୀରେ ଲବି କରେନା। ପଦ ମାଗିବାର ନାହିଁ କି ଦେଲେ ବି ଛାଡ଼ିବାର ନାହିଁ।

ବାହିନୀପତିଙ୍କ ଅନୁଗତ ବିଧାୟକ ରମେଶ ଜେନା କହିଛନ୍ତି, ଏଆଇସିସି ଯାହା ନାଁରେ ମୋହର ମାରିବ, ସେ ତାଙ୍କୁ ସମର୍ଥନ କରିବେ। ସଭାପତିଙ୍କ ଦକ୍ଷତା, ନେତୃତ୍ୱ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ମାନସିକତା ଥିବା ଦରକାର। କଂଗ୍ରେସ ଏକଜୁଟ ଅଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, କଂଗ୍ରେସ ନେତାଙ୍କ ଭିତରେ କୌଣସି ମତାନ୍ତର ନାହିଁ। ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ମିଳିମିଶି କାମ କରିବୁ।

ଶରତ ଓ ଅଜୟଙ୍କ ବିରୁଦ୍ଧରେ ୨୦ରୁ ଉର୍ଦ୍ଧ୍ୱ ପରାଜିତ ପ୍ରାର୍ଥୀ ଏଆଇସିସିରୁ ଆସିଥିବା ପାଣ୍ଠି ହେରଫେର୍, ଟିକଟ ଚୟନରେ ପାତରଅନ୍ତର ଆଦି ସାଙ୍ଘାତିକ ଆରୋପ ଆଣିଥିଲେ। କେତେବେଳେ ନିଲମ୍ୱନ ତ କେତେବେଳେ ବହିଷ୍କାରର ଅଧ୍ୟାୟ ବି ଆରମ୍ଭ ହୋଇଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *