ସାତଜଣଙ୍କ ପତ୍ନୀ…ଗୋଟିଏ ଝିଅ

Spread the love

ଗୋଟିଏ ଝିଅ। ହେଲେ ସାତ ଜଣଙ୍କ ପତ୍ନୀ। ବିବାହ ହୁଏ। ମାସକ ପରେ କିନ୍ତୁ ଦେଖିଲା ବେଳକୁ କନ୍ୟା ଛୁ। କେବଳ ଏକା ଛୁ ମାରେନା। ଗଲା ବେଳକୁ ପୁରା ଘର ଖାଲି କରିଦିଏ। ପୁରା ପ୍ରକରଣରେ ଝିଅ ସହ ପୁରା ୧୧ ଜଣିଆ ଗ୍ୟାଙ୍ଗ୍‌ ସାମିଲ। ବନ୍ଧୁତା କରି ବିବାହ ସହ ସର୍ବସ୍ୱ ଲୁଟି ଫେରାର ହୋଇଯାଉଥିବା ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ଲାଗି ପୁଲିସ ଜାଲ ବିଛାଇଛି। ହେଲେ ଏ ଯାଏ ଧରାପଡିନାହାନ୍ତି।
ନାଁ କାଜଲ। କିନ୍ତୁ କଳାକନା ବୁଲାଇବାରେ ମାହିର୍। କିଭଳି ବନ୍ଧୁତା କରିବ। ତା ପରେ ନିଜ ଜାଲରେ ଫସାଇ ବିବାହ କରିବ। ଆଉ କ୍ଲାଇମାକ୍ସ ହେବ ପୁରା ଘର ଲୁଟ୍ ଯୋଜନାରେ।

ଏମିତି ସେମିତି ପୁଅକୁ ଫସାଇନି। ଇଞ୍ଜିନିଅର, ଡାକ୍ତର ଭଳି ବଡ଼ ପଦପଦବୀ ଧାରୀ ଯୁବକଙ୍କ ସହ ସୋସିଆଲ ମିଡିଆରୁ ବନ୍ଧୁତାର ସମ୍ପର୍କ ଯୋଡିଥାଏ ଚତୁର କାଜଲ। ଦିଲ୍ଲୀରେ ରହି ଦିଲ୍ ଦେଉ ଦେଉ କେମିତି ଚୂନ ଲଗାଇଛି ଅନେକଙ୍କୁ, ତାକୁ ଯିଏ ଶୁଣୁଛି। ତାଜୁବ ହେଉଛି। କାଜଲ ଏକା ନୁହେଁ। ସେ କେବଳ ମୋହରା। କାରଣ ତାକୁ ଅପରେଟ କରନ୍ତି ୧୧ ଜଣିଆ ଗ୍ୟାଙ୍ଗ୍। ୧୧ ଜଣିଆ ଗ୍ୟାଙ୍ଗ୍ ପାଇଁ କାମ କରେ କାଜଲ। ଏମାନଙ୍କର ଉଦ୍ଦେଶ୍ୟ ସପିଂ, ସୋସିଆଲ ମିଡିଆରେ ସମୟ ବିତାଇବା ସହ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା। ୮ ଜଣ ପୁରୁଷଙ୍କୁ କାଜଲ ବିବାହ କରି ପ୍ରତାରଣା କରିବା ପରେ ପୋଲିସ ଘଟଣାର ଖୋଳତାଡ ଜାରି ରଖିଛି।

ବିବାହ କରି ସର୍ବସ୍ୱ ଲୁଟ୍‌ କରି ଫେରାର ହୋଇଥିବା ଏହି ଗ୍ୟାଙ୍ଗକୁ ଧରିବାରେ ଫେଲ୍ ମାରିଛି ପୁଲିସ। ସୋସିଆଲ ମିଡିଆରେ ପୁରୁଷଙ୍କ ସହ ବନ୍ଧୁତା ସ୍ଥାପନ କରେ କାଜଲ। ତାପରେ କିଛି ଦିନ କଥାବାର୍ତ୍ତା କରି ମିଶିବା ପରେ ବିବାହ କରନ୍ତି। ଏହାପରେ କିଛି ଦିନ ଧରି ସ୍ୱାମୀ ସ୍ତ୍ରୀ ଏକାଠି ରୁହନ୍ତି। ପରିବାରଲୋକଙ୍କ ସହ ମିଶିବା ପରେ ସେମାନଙ୍କ ବିଶ୍ୱାସ ଜିତିଥାଏ। ପରେ ସେ ତାଙ୍କ ଗ୍ୟାଙ୍ଗ ସଦସ୍ୟଙ୍କୁ ତାଙ୍କ ଶାଶୁଘର ପରିବାର ଲୋକ ଭାବରେ ଗ୍ରହଣ କରିଥାନ୍ତି। ଏତିକି ବେଳେ ଗ୍ୟାଙ୍ଗ ସାହାଯ୍ୟରେ ସେମାନଙ୍କ ସହ ମିଶି ସ୍ୱାମୀଙ୍କଠାରୁ ଲୁଟି ଫେରାର ହୋଇଯାଇଥାନ୍ତି ମହିଳା ଏବଂ ତାଙ୍କ ଗ୍ୟାଙ୍ଗର ସଦସ୍ୟ।

ଏଇ ଯେମିତି ଫରିଦାବାଦ ବଲାଭଗଡରେ ରହୁଥିବା ଅଜୟ ଏକ ଡେଟିଂ ଆପ୍‌ ଜରିଆରେ କାଜଲ ନାମକ ଜଣେ ମହିଳାଙ୍କ ସହ ବନ୍ଧୁତା କରିଥିଲେ। ମାସେ କଥାବାର୍ତ୍ତା ହେବା ପରେ ଉଭୟ ଦିଲ୍ଲୀରେ ସାକ୍ଷାତ ହୋଇଥିଲେ। ସେପଟେ କାଜଲଙ୍କ ପରିବାରଲୋକେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ରହୁଥିବା ନେଇ କହିଥିଲେ କାଜଲ। ତାଙ୍କ ପରିବାରଲୋକଙ୍କ ସହ ଅଜୟଙ୍କୁ ଦେଖା କରିବା ସହ ପରିଚିତ କରାଇଥିଲେ। ଅଜୟ ୧୧ ଜଣଙ୍କୁ ଦେଖା କରିଥିଲେ। ଯାହାକୁ କାଜଲ ତାଙ୍କ ସମ୍ପର୍କୀୟ ବୋଲି କହି ପରିଚିତ କରାଇଥିଲେ।

ଏପଟେ କାଜଲଙ୍କ ପ୍ରେମରେ ପଡିବା ସହ ବିବାହ କରିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି ଅଜୟ। ପରେ ବିବାହ କଥା ଶୁଣି ରାଜି ହେବା ସହ ପରିବାରଲୋକେ ମଧ୍ୟ ଖୁସି ହୋଇଯାଇଥିଲେ। ୨୦୨୦ ଅଗଷ୍ଟ ୭ ରେ ଉଭୟଙ୍କ ବିବାହ ହୋଇଥିଲା। ପରେ ଉଭୟେ ବହୁ ଖୁସିରେ ସମୟ ଅତିବାହିତ କରୁଥିଲେ। ଏହାସହ କାଜଲ ଅଜୟଙ୍କୁ କିଛି ମାଗୁନଥିବା ବେଳେ ଟଙ୍କା ସଞ୍ଚୟ ପାଇଁ ବାରମ୍ୱାର କରୁଥିଲେ। ହେଲେ ବିବାହର ପ୍ରଥମ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ସବୁକିଛି ଅଚାନକ ବଦଳି ଯାଇଥିଲା। ଅଜୟ ସନ୍ଧ୍ୟାରେ ଘରକୁ ଫେରିବା ପରେ ପୁରା ଘର ଖାଲି ହୋଇଯାଇଥିଲା ଏବଂ କାଜଲ ଘରେ ନଥିବା ଜାଣିବାକୁ ପାଇଥିଲେ ଅଜୟ।

କାଜଲଙ୍କ ସପ୍ତମ ଶିକାର ହୋଇଥିଲେ ଅଜୟ। କାଜଲ ପରିବାରଲୋକଙ୍କ ଖୁବ ଯତ୍ନ ନେଇଥିବା ବେଳେ ହୃଦୟ ମଧ୍ୟ ଜିତିଥିଲେ। ଏହାସହ କାଜଲ ଅଜୟଙ୍କୁ ଏକ ବୁଟିକ ଖୋଲି କାମ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ୨୦ ଲକ୍ଷ ଆବଶ୍ୟକ ଥିଲା। ପରେ ଅଜୟ ନିଜ ସଞ୍ଚୟରୁ କାଜଲଙ୍କୁ ୧୫ ଲକ୍ଷ ଟଙ୍କା ଦେଇଥିଲେ। ଏବଂ ବାକି ଟଙ୍କା ପାଇଁ ଋଣ ମଧ୍ୟ ନେଇଥିଲେ। ନଭେମ୍ୱର ୨୦ରେ କାଜଲ ସଞ୍ଜନା ନାମକ ବୁଟିକ ଖୋଲିଥିଲେ। ବୁଟିକ ଠିକଠାକ ଚାଲିଥିବା ବେଳେ ଅଜୟ ତାଙ୍କ କାମ ପାଇଁ ଦିଲ୍ଲୀରୁ ହରିୟାଣା ଯାଇଥିଲା ବେଳେ କାଜଲ ଘରର ସମସ୍ତ ଜିନିଷ ଲୁଟି ନେଇଗଲେ। ଯାଉଥିବା ବେଳେ ପଡୋଶୀ ପଚାରିବାରୁ ଫରିଦାବାଦ ଯାଇଥିବା କହି ଚତୁରତାର ସହ ଟାଳି ଦେଇଥିଲେ।

ଅଜୟ କାଜଲଙ୍କୁ କଲ୍ କରିଥିଲେ ବି ତାଙ୍କ ଫୋନ୍ ସ୍ୱିଚଅଫ୍ ଦେଖାଇଥିଲା। ସନ୍ଦେହ କରି ଘରେ ପହଞ୍ଚିବାରୁ ଯାହା ଦେଖିଲେ ତାଙ୍କର ହୋସ୍ ଉଡିଯାଇଥିଲା। ଘରେ ଓ ବୁଟିକ୍ ସପ୍ ରେ କୌଣସି ସାମଗ୍ରୀ ନଥିଲା। ପ୍ରାୟ ୪୫ ଲକ୍ଷ ଟଙ୍କା ଠକି ନେଇ କାଜଲ ଫେରାର ହୋଇଯାଇଥିବା ନିଶ୍ଚିତ ହେବା ପରେ ପୁଲିସକୁ ଜଣାଇଥିଲେ। ପୁଲିସ ବି ବିଶ୍ୱାସ କରିପାରିନଥିଲା। ତେବେ କାଜଲର ଅସଲ ଚିତ୍ର ଓ ଚରିତ୍ର ଧୀରେ ଧୀରେ ପଦାକୁ ଆସିବାରେ ଲାଗିଲା।

ଏହା ଆଗରୁ କାଜଲ ୭ ଜଣଙ୍କୁ ଏମିତି ଚୂନ ଲଗାଇଥିବା କଥା ସାମ୍ନାକୁ ଆସିଲା। ନୋଏଡା, ଗାଜିଆବାଦ, ଗୁରୁଗାଁଓ ଫରିଦାବାଦ ଏବଂ ଦିଲ୍ଲୀର ବାସିନ୍ଦା କାଜଲଙ୍କ ଦ୍ୱାରା ଶିକାର ହୋଇଥିବା ଜଣାପଡିଛି। ତେବେ କାଜଲଙ୍କ ୯ ଆଧାରକାର୍ଡ, ୬ଟି ପ୍ୟାନକାର୍ଡ ସହ ଭୋଟରକାର୍ଡ ଜବତ କରିଛି ପୁଲିସ। ଆଉ କାଜଲ ଓ ତାହାର ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା ଜାରି ରଖିଛି।

  • ସୌନ୍ଦର୍ଯ୍ୟା ମହାନ୍ତି ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *