କାଠଗଡାରେ ପିଏଫଆଇ

Spread the love

() ୨୨ ତାରିଖରେ ୧୫ଟି ରାଜ୍ୟରେ ଏକକାଳୀନ ଏନଆଇଏ, ଇଡି ମିଳିତ ଚଢ଼ାଉ କରିଥିଲା ପିଏଫଆଇ ନେତାଙ୍କ ଘର ଓ ଅଫିସ ଉପରେ। ଶତାଧିକ ନେତାଙ୍କୁ ଗିରଫ କଲା। ଏହାର ୫ ଦିନ ପରେ ପୁଣି ୮ ରାଜ୍ୟରେ ଚଢ଼ାଉ କରି ଶତାଧିକ କ୍ୟାଡରଙ୍କୁ ବାନ୍ଧିଛି। ଆଉ ଆଜି ପୁରା ୫ ବର୍ଷ ଲାଗି ପିଏଫଆଇ ଓ ଏହା ସହ ଅନୁବନ୍ଧିତ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି କେନ୍ଦ୍ର ସରକାର। ଯାହାକୁ ନେଇ ପିଏଫଆଇ କର୍ମୀ କୌଣସି ଅପ୍ରୀତିକର ପରିସ୍ଥିତି ଯେମିତି ସୃଷ୍ଟି ନ କରିବେ, ସେ ନେଇ ହାଇଆଲର୍ଟ ଜାରି ହୋଇଛି।

୨୨ରେ ରେଡ୍, ଗିରଫଦାରି ଓ ଅଫିସ ସିଲ୍ ର ପାର୍ଟ ଓ୍ୱାନ୍। ୧୫ ଟି ରାଜ୍ୟରେ ଚଢ଼ାଉ କରି ୧୦୬ ପିଏଫଆଇ ନେତାଙ୍କୁ ଗିରଫ କରାଯାଇଥିଲା। ୨୩ରେ ଏନଆଇଏ, ଇଡିର ଏଭଳି ଆକ୍ସନକୁ ନେଇ ପିଏଫଆଇ ୧୨ ଘଣ୍ଟିଆ କେରଳ ବନ୍ଦ ବେଳେ ବ୍ୟାପକ ହିଂସା ସୃଷ୍ଟି ହୋଇଥିଲା। ହେଲେ ଏହାର କୌଣସି ପ୍ରଭାବ ପଡ଼ିନଥିଲା କେନ୍ଦ୍ର ଉପରେ। ପୁଣି ୨୭ରେ ପିଏଫଆଇ ଉପରେ ରେଡ୍ ପାର୍ଟ-୨। ଟେରର ଲିଙ୍କରେ ବଡ଼ ଅଭିଯାନ। ଆତଙ୍କୀ ଷଡ଼ଯନ୍ତ୍ରକୁ ନେଇ ଏଟିଏସ୍ , ଏସଟିଏଫ୍ ଓ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଅପରେସନ କରିଥିଲା। ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ୮ଟି ରାଜ୍ୟରେ ଥିବା ଅନେକ ଠିକଣା ଉପରେ ଚଢାଉ କରିବା ସହ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ବିଭିନ୍ନ ସ୍ଥାନରୁ ମୋଟ୍ ୧୭୦ରୁ ଅଧିକ ସଦସ୍ୟଙ୍କୁ ଗିରଫ କରିଥିଲା। ଆସାମରୁ ସର୍ବାଧିକ ୪୫ ଜଣଙ୍କୁ ଉଠାଇ ନେଇଥିଲା ପୁଲିସ।

ଆତଙ୍କବାଦୀଙ୍କୁ ତାଲିମ ଦେବା, ସେମାନଙ୍କୁ ପାଣ୍ଠି ଯୋଗାଇବା, ଆତଙ୍କି କାର୍ଯ୍ୟକଳାପ ଲାଗି ପ୍ରୋତ୍ସାହିତ କରିବା ଓ ସର୍ବୋପରି ଧର୍ମ ଓ ବିଭିନ୍ନ ଗୋଷ୍ଠୀ ଭିତରେ ଘୃଣା ଓ ହିଂସା ଭିଆଉଛନ୍ତି ପିଏଫଆଇ କ୍ୟାଡର୍। ଆଉ ଏଥିରେ ଅଙ୍କୁଶ ଲଗାଇବାକୁ ଦୁଇ ଦୁଇ ଥର ବଡ଼ ଧରଣର ଧଡ଼ପଗଡ଼ ଜାରି ଥିଲା। ବ୍ୟାନ୍ ନିର୍ଦେଶ ପରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପୁଲିସ ବି ସଜାଗ ରହିଛି। ଏହା ବିରୁଦ୍ଧରେ କୌଣସି ବିକ୍ଷୋଭ କି ମେଳିକୁ କଡ଼ା ହସ୍ତରେ ଦମନ କରାଯିବ ବୋଲି କହିଛନ୍ତି କର୍ଣାଟକ ଡିଜିପି।

ଏବେ ପୁରା ୫ ବର୍ଷ ଲାଗି କେନ୍ଦ୍ର ଏହାକୁ ବ୍ୟାନ୍ କରିଦେବା ପରେ ଥମିନି ଆରୋପ ପ୍ରତ୍ୟାରୋପ ରାଜନୀତି। ଏଭଳି ବ୍ୟାନ୍ ଦ୍ୱାରା ପ୍ରକୃତ ଉଦେଶ୍ୟ ସାଧିତ ହେବନି। ଆରଏସଏସ ବିରୁଦ୍ଧରେ ବି ସମାନ୍ତରାଳ ପଦକ୍ଷେପ ନେବା ଜରୁରୀ। ଆଗରୁ ସିମିକୁ ବ୍ୟାନ୍ କରାଯାଇଥିଲା। କିନ୍ତୁ ଏହା ପରେ ଏହା ଏନଡିଏଫ ଓ ପିଏଫଆଇ ରୂପରେ ଜନ୍ମ ନେଲା ବୋଲି କହିଛନ୍ତି ଇଣ୍ଡିଆନ ମୁସଲିମ ଲିଗ୍ ନେତା ମୁନିର୍।

ସେପଟେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଏନଆଇଏର ଯଥେଷ୍ଟ ପ୍ରମାଣ ଭିତ୍ତିରେ ଏଭଳି ଆକ୍ସନ ନିଆଯାଇଛି। ଯଦି ଏଭଳି ସଂଗଠନ ଦେଶର ନିରାପତ୍ତା ପ୍ରତି କୌଣସି ବିପଦ ସୃଷ୍ଟି କରୁନଥିଲେ, ଖାଲିଟାରେ କାହିଁକି ତାଙ୍କୁ ବ୍ୟାନ୍ କରାହୋଇଥାଆନ୍ତା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବି କହିଛନ୍ତି, ଏଭଳି ଆକ୍ସନ ଜାତୀୟତାବୋଧକୁ ପ୍ରତିଫଳିତ କରୁଛି। ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଉଥିବା ପିଏଫଆଇର କୌଣସି ଅଧିକାର ନାହିଁ ଭାରତରେ ଏଭଳି ସ୍ୱର ଉଠାଇବାକୁ।

ପିଏଫଆଇ ବ୍ୟାନ୍ ପରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ତାମିଲନାଡ଼ୁରେ ପିଏଫଆଇ ରାଜ୍ୟ ମୁଖ୍ୟାଳୟ ଆଗରେ ପୁଲିସ ମୁତୟନ କରାଯାଇଥିଲା। ଜମ୍ମୁ କଶ୍ମୀରରେ ଆତଙ୍କି ଲିଙ୍କ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ରାଜ୍ୟ ତଦନ୍ତକାରୀ ଏଜେନ୍ସି ପୁଞ୍ଚ୍ ଜିଲ୍ଲାରେ ରେଡ୍ କରିଥିଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *