ଆଦାନି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା

Spread the love

()- ସଂସଦ ବାହାରେ କଂଗ୍ରେସର ପ୍ରତିବାଦ। ଆଦାନି ପ୍ରସଙ୍ଗରେ ଜେପିସି ଗଠନ ପାଇଁ ପ୍ଳାକାର୍ଡ ଧରି ଦାବି କଲେ କଂଗ୍ରେସ ସାଂସଦ। ସଂସଦ ଭବନ ପରିସରରେ ଧାରଣା ଦେଇଥିଲେ ବିରୋଧୀ। କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ପ୍ଲାକାର୍ଡ ଧୀ ବିଜେପି ବିରୋଧରେ ପ୍ରତିବାଦ କରିଥିଲେ। ଗୋଟେପଟେ ଆଦାନି ମାମଲାରେ ବିରୋଧୀ ଏକାଠି ହୋଇ ବିଜେପି ସରକାରଙ୍କ ବିରୋଧରେ ବିକ୍ଷୋଭ କରିଥିବାବେଳେ ସେପଟେ ବିଦେଶରେ ରାହୁଲ ଦେଇଥିବା ବୟାନକୁ ନେଇ ହୁଲସ୍ତୁଲ ହୋଇଥିଲା ସଂସଦ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କ୍ଷମା ଦାବି କରଥିଲା ବିଜେପି।

ଆଦାନି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା। ଚାଲିପାରୁନି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ଆଜି ଦ୍ୱିତୀୟ ଦିନରେ ବି ସମାନ ସ୍ଥିତି। ଗୃହ କାର୍ଯ୍ୟ ଆରମ୍ଭରୁ ଆଦାନି ଘୋଟାଲା ପ୍ରସଙ୍ଗକୁ ନେଇ ବିରୋଧୀ ସାଂସଦଙ୍କ ନାରାବାଜି। ଜେପିସି ଗଠନ ପାଇଁ ସରକାର ରାଜି ହେଉନଥିବା ବେଳେ ବିଜେପି-ଆଦାନି ସମ୍ପର୍କକୁ ନେଇ ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ । ଯାହାଫଳରେ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବୀ କରିଦିଆଯାଇଥିଲା। ସେପଟେ ଗୃହ କାର୍ଯ୍ୟ ଆରମ୍ଭରୁ ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିକ୍ଷୋଭ କରିଥିଲେ ବିରୋଧୀ ସାଂସଦ। ଆଦାନି ମାମଲାରେ ଜେପିସି ଗଠନ କରିବା ପାଇଁ ଦାବି କରିଥିଲେ କଂଗ୍ରେସ ସାଂସଦ। ପ୍ଲାକାର୍ଡ ଧରି କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିଥିଲେ। ହିଣ୍ଡେନବର୍ଗ ରିପୋର୍ଟ ପରେ SBI ଓ LIC ବ୍ୟାପକ କ୍ଷତି ସହିଥିବା ବେଳେ ସରକାର କାହିଁକି ନିରବ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ।

ଆଦାନି ପ୍ରସଙ୍ଗ ସମେତ ରାହୁଲଙ୍କ ବୟାନକୁ ନେଇ ମଧ୍ୟ ସଂସଦରେ ଦେଖିବାକୁ ମିଳିଥିଲା ହଟ୍ଟଗୋଳ। ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିଜେପି ସାଂସଦ ହୋହଲ୍ଲା କରିବା ପରେ ରାଜ୍ୟସଭାକୁ ଦିନ ୨ଟା ଯାଏଁ ସ୍ଥଗିତ ରଖିଥିଲେ ଗୃହ ଅଧ୍ୟକ୍ଷ ଜଗଦୀପ ଧନଖଡ଼। ଗୋଟେପଟେ ସଂସଦର ଉଭୟ ଗୃହରେ ବିରୋଧୀ ଆଦାନି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିବାବେଳେ ଅନ୍ୟପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କ୍ଷମା ଦାବି କରଥିଲା ବିଜେପି। କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ବିଦେଶରେ ରାହୁଲ ଦେଶବିରୋଧୀ ବୟାନ ଦେଇ ନାହାଁନ୍ତି ତେଣୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି। ସେପଟେ ବିଜେପି ସାଂସଦମାନେ ମଧ୍ୟ ସଂସଦ ଭବନ ବାହାରେ ପ୍ରତିବାଦ କରିଥିଲେ। କେମ୍ରିଜ ବିଶ୍ୱବିଦ୍ୟାଳୟ, ଭାରତ ସରକାର ଓ ସେନା ସମ୍ୱନ୍ଧରେ ରାହୁଲ ଯେଉଁ ଆପତ୍ତିଜନକ ବୟାନ ଦେଇଛନ୍ତି ସେନେଇ କ୍ଷମା ଦାବି କରି ପ୍ରତିବାଦ କରିଥିଲେ ବିଜେପି ସାଂସଦ।

ଆଦାନି ପ୍ରସଙ୍ଗ ଏବଂ ରାହୁଲଙ୍କ ମନ୍ତବ୍ୟକୁ ନେଇ ଉଠୁଛି ପଡୁଛି ରାଜନୀତି। ଆଦାନୀ ଓ ରାହୁଲଙ୍କୁ ନେଇ ସଂସଦରୁ ନେଇ ସଡ଼କ ସବୁଠି ବିରୋଧର ସ୍ୱର।

Leave a Reply

Your email address will not be published. Required fields are marked *