କଲେଜିୟମକୁ ନେଇ ବିବାଦ:  ସେଣ୍ଟର ଭର୍ସେସ ଜୁଡିସିଆରୀ

Spread the love

() ସୁପ୍ରିମକୋର୍ଟଙ୍କ କଲେଜିୟମ ବ୍ୟବସ୍ଥାକୁ ନେଇ ବିବାଦ। ସେଣ୍ଟର ଭର୍ସେସ ଜୁଡିସିଆରୀ ପ୍ରସଙ୍ଗକୁ ନେଇ ଗୃହରେ ତାତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଜବାବ। କଲେଜିୟମ ବ୍ୟବସ୍ଥା ଉପରେ କେନ୍ଦ୍ର ସରକାର କୌଣସି ପ୍ରକାରର ମନ୍ତବ୍ୟ ଠିକ୍ ନୁହେଁ କହିଲେ କୋର୍ଟ। ସେପଟେ ୨୦୧୮ ମସିହା ଡିସେମ୍ୱର ୧୨ରେ ବସିଥିବା କଲେଜିୟମ ମିଟିଂର ବିସ୍ତୃତ ତଥ୍ୟ ଦେବାକୁ ଆରଟିଆଇ ଯୋଗେ କରାଯାଇଥିବା ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।

ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ମୁହାଁମୁହିଁ କେନ୍ଦ୍ର ସରକାର ଓ ସର୍ବୋଚ୍ଚ ଅଦାଲତ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଜବାବ। ସଂସଦର ଶୀତକାଳୀନ ଅଧିବସେନରେ ଧନଖଡ଼ ଦେଇଥିବା ବୟାନକୁ ନେଇ ସୃଷ୍ଟି ହୋଇଛି ଝଡ଼। ଦେଶର ଉପରାଷ୍ଟ୍ରପତି ଧନଖଡ଼ ଶୀତକାଳୀନ ଅଧିବେସନର ପ୍ରଥମ ଦିନରେ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରିଥିଲେ। ସୁପ୍ରିମକୋର୍ଟଙ୍କୁ ଲକ୍ଷ୍ମଣରେଖାର ପାଠ ପଢାଇଥିଲେ ଧନଖଡ଼। ସେ ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି କମିଶନ ବା ଏନଜେଏସି ପ୍ରସଙ୍ଗ ଉଠାଇଥିଲେ। ବିଚାରପତି ନିଯୁକ୍ତିକୁ ନେଇ ରହିଥିବା କଲେଜିୟମ ବ୍ୟବସ୍ଥାରେ ସଂଶୋଧନ ଆଣି ସରକାର ୨୦୧୫ ମସିହାରେ ଯେଉଁ ଏନଜେଏସି ଆଇନ୍ ପ୍ରଣୟନ କରିଥିଲେ ସୁପ୍ରିମକୋର୍ଟ ତାହାକୁ ରଦ୍ଦ କରି କଲେଜିୟମ ବ୍ୟବସ୍ଥାକୁ କାଏମ୍ ରଖିଥିଲେ। ସୁପ୍ରିମକୋର୍ଟ ଏହି ବିଲ୍ କୁ ଅସାମ୍ୱିଧାନିକ ଏବଂ ଅବୈଧ କରି ଅଗ୍ରାହ୍ୟ କରିଦେଇଥିଲେ। ଏହା ବିରୋଧରେ ଉପରାଷ୍ଟ୍ରପତି ଧନଖଡ଼ ସର୍ବସାଧାରଣରେ କହିଥିଲେ, ପାର୍ଲାମେଣ୍ଡ ପାସ୍ କରିଥିବା ଆଇନକୁ ସୁପ୍ରିମକୋର୍ଟ ନାକଚ କରିଦେବା ମାନେ ପାର୍ଲାମେଣ୍ଟର ସାର୍ବଭୌମତ୍ୱକୁ ଅଗ୍ରାହ୍ୟ କରିବା ଏବଂ ଜନାଦେଶକୁ ଅସମ୍ମାନିତ କରିବା। ସଂସଦରେ ପାରିତ ହୋଇଥିବା ଆଇନ୍ ଲୋକଙ୍କୁ ଇଚ୍ଛାକୁ ଦର୍ଶାଇଥାଏ, ଏହାକୁ ସୁପ୍ରିମକୋର୍ଟ ରଦ୍ଦ କରିବା ଆଦୌ ଠିକ୍ ନୁହେଁ।

ତେବେ ସୁପ୍ରିମକୋର୍ଟଙ୍କ ବିରୋଧରେ ଉପରାଷ୍ଟ୍ରପତିଙ୍କ ଏପରି ବକ୍ତବ୍ୟକୁ ଗ୍ରହଣ କରିପାରିନାହାନ୍ତି କୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆଇନ ଗଢିବାର ଦାୟିତ୍ୱ ଓ ଅଧିକାର ପାର୍ଲାମେଣ୍ଟର ଅଛି ସତ ମାତ୍ର ତାକୁ ସମୀକ୍ଷା କରିବାର ଅଧିକାର ବି ସୁପ୍ରିମକୋର୍ଟଙ୍କର ଅଛି। ସରକାର ଯେତେ ଆଇନ ପ୍ରଣୟନ କରିବାକୁ ଚାହାନ୍ତି ତାହା କରିପାରିବେ ମାତ୍ର ତାହା ବିଚାର ବିଭାଗୀୟ ଯାଞ୍ଚରେ ବର୍ତ୍ତିବା ଦରକାର। କଲେଜିୟମ ବ୍ୟବସ୍ଥା ହେଉଛି ଦେଶର ଆଇନ, ଏହା ବିରୋଧରେ ସରକାର ମନ୍ତବ୍ୟ ଦେବା ଉପଯୁକ୍ତ ନୁହେଁ। କଲେଜିୟମ ସିଷ୍ଟମର ପାଳନ କରାଯିବା ଉଚିତ୍। ପାଞ୍ଚଜଣିଆ ବେଞ୍ଚର ମୁଖ୍ୟ ଜଷ୍ଟିସ ଜେଏସ୍ ଖେହାର କହିଛନ୍ତି, ଦେଶର ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ନ୍ୟାୟପାଳିକାକୁ ପ୍ରଶାସନର ଅନ୍ୟ ଅଙ୍ଗମାନଙ୍କ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ଓ ସ୍ୱାଧିନ ରଖିବାକୁ ପଡିବ। ଅର୍ଥାତ୍ ନ୍ୟାୟପାଳିକା ଉପରେ ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକାର ଅଯଥା ହସ୍ତକ୍ଷେପ ରହିବା ଉଚିତ୍ ନୁହେଁ। ପୀଠ ସଦସ୍ୟ ଜଷ୍ଟିସ୍ କୌଲ କହିଛନ୍ତି, ଯଦି ଦେଶରେ ସମସ୍ତେ ସବୁ ନିଷ୍ପତ୍ତି ନେବେ ତାହେଲେ କେଉଁ ଆଇନକୁ ଲୋକମାନେ ମାନିବେ ନାହିଁ, ଦେଶର ବ୍ୟବସ୍ଥା ପୂରା ସମାପ୍ତ ହୋଇଯିବ।

ସେପଟେ, ୨୦୧୮ ମସିହା ଡିସେମ୍ୱର ୧୨ରେ ବସିଥିବା କଲେଜିୟମ ମିଟିଂର ବିସ୍ତୃତ ତଥ୍ୟ ଦେବାକୁ ଆରଟିଆଇ ଯୋଗେ କରାଯାଇଥିବା ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଜଜ୍ ନିଯୁକ୍ତି ପାଇଁ କଲେଜିୟମ ବୈଠକରେ ହୋଇଥିବା ଆଲୋଚନା ସାର୍ବଜନୀନ କରିବାକୁ ମନା କରିଦେଇଛନ୍ତି କୋର୍ଟ। ସୂଚନା ଅଧିକାର କର୍ମୀ ଅଞ୍ଜଳି ଭରଦ୍ୱାଜ ଦାଏର କରିଥିବା ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି। ଟପ୍ ପ୍ୟାନେଲଙ୍କ ଆଲୋଚନା ସାର୍ବଜନୀନ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ। କଲେଜିୟମ ବ୍ୟବସ୍ଥାକୁ ନେଇ ଆଇନମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ଜାତୀୟ ନ୍ୟାୟିକ ନିଯୁକ୍ତି ବା ଏନଜେଏସିକୁ ପୁନଃ ପ୍ରବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ସେଭଳି କୌଣସି ପ୍ରସ୍ତାବ ନାହିଁ। ଅନ୍ୟପଟେ, କଲେଜିୟମ ବ୍ୟବସ୍ଥାକୁ ନେଇ ଲୋକସଭାରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ମନୀଷ ତିୱାରୀ ନୋଟିସ କରିଛନ୍ତି। ଲଗାତାର ନ୍ୟାୟିକ ପ୍ରକ୍ରୀୟା ଉପରେ ବିଜେପି ପ୍ରଶ୍ନ ଉଠାଉଥିବାରୁ କଂଗ୍ରେସ ଏହାର ବିରୋଧ କରିବା ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି।

ତେବେ ଏ ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀମାନେ ଯୁକ୍ତି କରିଆସୁଥିଲେ ଯେ ବିଚାରପତି ଚୟନରେ ସରକାରଙ୍କର କିଛି ଭୂମିକା ରହିବା ଉଚିତ୍। ୧୯୯୧ ମସିହାରୁ କଲେଜିୟମ ଏହି କାର୍ଯ୍ୟ କରୁଛି। ଚୟନ ପରେ ସରକାରଙ୍କ ପାଖକୁ କେବଳ ଅନୁମୋଦନ ପାଇଁ ନାମତାଲିକା ପଠାଯାଉଛି। ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *