ଦିଲ୍ଲୀ ମେୟର ନିର୍ବାଚନ: ପୁଣି ତୁମୁଳକାଣ୍ଡ

() ଦିଲ୍ଲୀ ମେୟର ନିର୍ବାଚନ। ଜାନୁଆରୀ ୬ରେ ଏହାକୁ ନେଇ ସୃଷ୍ଟ ବିଶୃଙ୍ଖଳାର ୧୮ ଦିନ ପରେ ଆଜି ପୁଣି ଥରେ ଯଦିଓ ଶୃଙ୍ଖଳାର ସହ ଶପଥ ପାଠ ସମାରୋହ ଅନୁଷ୍ଠିତ ହୋଇଥିଲା। କିନ୍ତୁ ମେୟର ନିର୍ବାଚନ ବେଳେ ପୁଣି ତୁମୁଳକାଣ୍ଡ ଘଟିଥିଲା। ଫଳରେ ଦ୍ୱିତୀୟ ଥର ବି ମେୟର ନିର୍ବାଚନ ସମ୍ଭବ ହୋଇପାରିଲାନି। ସିଭିକ ସେଣ୍ଟରରେ ବ୍ୟାପକ ପୁଲିସ ଉପସ୍ଥିତିରେ ଶପଥ ପାଠ ସମାରୋହ ସିନା ସରିଗଲା। ହେଲେ ମେୟର ନିର୍ବାଚନ ବେଳକୁ ଆପ୍ -ବିଜେପି ଭିତରେ ହଟ୍ଟଗୋଳରୁ ତୁମୁଳକାଣ୍ଡର ଦୃଶ୍ୟ ପୁଣି ଦେଖିଲା ଦିଲ୍ଲୀ। କଂଗ୍ରେସର ୯ ନିର୍ବାଚିତ କାଉନସିଲର ଭୋଟିଂ ପ୍ରକ୍ରିୟାରେ ଭାଗ ନେବେନି ବୋଲି ସ୍ପଷ୍ଟ କରିଛନ୍ତି।

ଜାନୁଆରୀ ୬। ଏମସିଡି ମେୟର ନିର୍ବାଚନରେ ହୋଇଥିଲା ସଂଘର୍ଷ। ଆପ୍-ବିଜେପି ସଭ୍ୟଙ୍କ ଭିତରେ ହାଇଡ୍ରାମା ହୋଇଥିଲା। ପରସ୍ପର ବିରୁଦ୍ଧରେ ସ୍ଳୋଗାନ ସହ ମାଡ଼ପିଟ, ଠେଲାପେଲା ଦୃଶ୍ୟ ସିଭିକ୍ ସେଣ୍ଟରକୁ ହୁଲସ୍ତୁଲ କରିଥିଲା। ଆଗ କାହିଁକି ମନୋନୀତ କର୍ପୋରେଟରଙ୍କୁ ଶପଥ ଗ୍ରହଣ ଲାଗି ଡକାଗଲା, ତାକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ସେଥିଲାଗି ମେୟର ନିର୍ବାଚନ ସ୍ଥଗିତ ରହିଥିଲା। କେବଳ ଜଣଙ୍କୁ ଛାଡ଼ିଦେଲେ ଆଉ କେହି ଶପଥ ନେଇପାରିନଥିଲେ। ମେୟର ନିର୍ବାଚନ ଆଗରୁ ହଙ୍ଗାମା ଏମସିଡି ଇତିହାସରେ ଏକ କଳଙ୍କର ଅଧ୍ୟାୟକୁ ଯୋଡ଼ିଦେଇଥିଲା। ଆଉ ଦୀର୍ଘ ଦିନ ପରେ ଆଜି ପୁଣି ସିଭିକ ସେଣ୍ଟରରେ ପ୍ରୋସିଡିଂ ଆରମ୍ଭ ହୋଇଥିଲା। ଆଉ ଆଜି ଆପ୍ ର ଶ୍ୱେତା ଦମନ ଖତ୍ରୀ ନିର୍ବାଚିତ ସଦସ୍ୟଙ୍କ ଭିତରେ ପ୍ରଥମେ ଶପଥ ଗ୍ରହଣ କରିଥିଲେ। ଅବଶ୍ୟ ୨୫୦ କାଉନସିଲର ଓ ୧୦ ମନୋନୀତ ସଭ୍ୟ ଶପଥ ଗ୍ରହଣ ସମ୍ପନ୍ନ କରିଛନ୍ତି। କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ। ସିଭିକ ସେଣ୍ଟର ପୁରା ପୁଲିସ ବଳୟରେ ଥିବାରୁ ଏହାର ଭିଡ଼ିଓ ସେୟାର କରି ଆପ୍ ମୁଖପାତ୍ର ସୌରଭ ଭରଦ୍ୱାଜ କଟାକ୍ଷ କରିଥିଲେ କି, ବିଜେପି ସାଙ୍ଗରେ ଫୋର୍ସ ଆଣି ମ୍ୟୁନିସିପାଲ କର୍ପୋରେସନକୁ ଦଖଲ ଲାଗି ଉଦ୍ୟମ କରୁଛି। ତେବେ ସିଭିକ ସେଣ୍ଟରରେ ଆପ୍ ଓ ବିଜେପି ସଭ୍ୟ ପ୍ରବଳ ପାଟିତୁଣ୍ଡ କରିବାରୁ ସଦନକୁ ବାଧ୍ୟ ହୋଇ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ କରିଥିଲେ ପ୍ରିଜାଇଡିଂ ଅଫିସର ସତ୍ୟ ଶର୍ମା। ହଟ୍ଟଗୋଳ ଲାଗି ପ୍ରୋସିଡିଂ ଆଗେଇନେବା ସମ୍ଭବ ହେବନି ବୋଲି ସତ୍ୟ ଶର୍ମା କହିବାରୁ ବିବାଦ ବଢ଼ିଥିଲା। ଦୀର୍ଘ ସମୟ ହେଲା ଅପେକ୍ଷା କରି ଭୋଟିଂ ବେଳକୁ ହିଁ ଆପ୍ ଏଭଳି ହଟ୍ଟଗୋଳ କରିବା ଅଗଣତାନ୍ତ୍ରିକ, ଭୁଲ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି। ସେପଟେ ମେୟର ନିର୍ବାଚନ କରାଇନେବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବାର ଆରୋପ ଲଦିଛି ଆପ୍।

ଏମସିଡିରେ ୧୩୪ ଆସନ ଜିତିଥିବା ଆପ୍ ସେଲି ଓବରଏଙ୍କୁ ମେୟର ପ୍ରାର୍ଥୀ କରିଥିଲା ବେଳେ ବିଜେପିରୁ ତିନି ଥର କାଉନସିଲର ହୋଇଥିବା ରେଖା ଗୁପ୍ତା ପ୍ରାର୍ଥୀ ହୋଇଛନ୍ତି। ସେଭଳି ଡେପୁଟି ମେୟର ପଦ ଲାଗି ଆପ୍ ଆଲେ ମହମ୍ମଦ ଓ ବିଜେପି କମଲ ବାଗ୍ରିଙ୍କୁ ପ୍ରାର୍ଥୀ କରିଛି। ଏହା ସହ ୬ଟି ସ୍ଥାୟୀ ସମିତି ସଦସ୍ୟ ଲାଗି ବି ନିର୍ବାଚନ ହୋଇଛି। ଦିଲ୍ଲୀର ୭ ଲୋକସଭା ସାଂସଦ, ୩ ରାଜ୍ୟସଭା ସାଂସଦ ଓ ୧୪ ବିଧାୟକ ଭୋଟିଂରେ ଭାଗ ନେଉଛନ୍ତି। ଗଲା ୧୦ ବର୍ଷ ଭିତରେ ପ୍ରଥମ କରି ଦିଲ୍ଲୀ ନିଜର ସିଙ୍ଗଲ୍ ମେୟର ପାଇଥାଆନ୍ତା। କାରଣ ଗଲା ବର୍ଷ ହିଁ ଦିଲ୍ଲୀ ମହାନଗର ନିଗମ ୟୁନିଫିକେସନ ହୋଇଥିଲା। ୩ ପୌର କ୍ଷେତ୍ରର ମିଶ୍ରଣ ହୋଇଥିଲା। ୨୫୦ ଆସନ ବିଶିଷ୍ଟ ଏମସିଡି ନିର୍ବାଚନ ଡିସେମ୍ୱର ୪ରୁ ସରିଲାଣି। ଦୀର୍ଘ ୧୫ ବର୍ଷ ହେଲା ବିଜେପି ଦଖଲରେ ଥିବା ଏମସିଡିକୁ ଆପ୍ ୧୩୪ ଆସନ ଆଣି ଏଥର ଛଡ଼ାଇ ଆଣିଛି। ବିଜେପି ୧୦୪ ଓ୍ୱାର୍ଡରେ ଜିତିଥିଲା ବେଳେ କଂଗ୍ରେସ ମାତ୍ର ୯ଟି ସିଟରେ ହାମୁଡ଼େଇ ପଡ଼ିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *