ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ଅଣ୍ଟା ଭିଡୁଛନ୍ତି ଛାତ୍ର ସଂଗଠନ

Spread the love

ଥିରୁଭନନ୍ତପୁରମ: ବିବାଦୀୟ ବିବିସି ଡକୁମେଣ୍ଟାରୀକୁ ନେଇ ରାଜନୈତିକ ଘମାସାନ ଭିତରେ ବିଭିନ୍ନ ଛାତ୍ର ସଂଗଠନ ସ୍କ୍ରିନିଂ କରିବାକୁ ଅଣ୍ଟା ଭିଡିଛନ୍ତି। କେରଳରେ ମଙ୍ଗଳବାର ଦିନ ଡେମୋକ୍ରାଟିକ ୟୁଥ ଫେଡେରେସନ ଅଫ ଇଣ୍ଡିଆ (ଡିୱାଇଏଫଆଇ) ଓ ଷ୍ଟିଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ (ଏସଏଫଆଇ)  ପ୍ରଧାନମନ୍ତ୍ରୀଙ୍କ ଉପରେ ବିବିସି କରିଥିବା ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରିବାକୁ ଘୋଷଣା କରିଛନ୍ତି।

ମଙ୍ଗଳବାର ଫେସବୁକ ହ୍ୟାଣ୍ଡରେ ସିପିଆଇ ଏମର ଯୁବ ସଂଗଠନ ପକ୍ଷରୁ  ଇଣ୍ଡିଆ: ଦ ମୋଦି କ୍ବେସ୍ଚିନ  ସ୍କ୍ରିନିଂ ଥିରୁବନନ୍ତପୁରମର ପୂଜାପୁରା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ  ମଙ୍ଗଳବାର ଓ ବୁଧବାର ହେବାକୁ ଯାଉଥିବା କୁହାଯାଇଛି। ଏସଏଫଆଇ ଓ କଂଗ୍ରେସ ରାଜ୍ୟ ଯୁବ ସଂଗଠନ ପକ୍ଷରୁ  ମଧ୍ୟ ରାଜ୍ୟବ୍ୟାପୀ ବିଭିନ୍ନ କ୍ୟାମ୍ପସରେ ଏହାର ସ୍କ୍ରିନିଂ ପାଇଁ ଘୋଷଣା କରାଯାଇଛି।

ଏହା ପୂର୍ବରୁ ସୋମବାର ରାତିରେ ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟି କ୍ୟମ୍ପସରେ ବିବିସିର ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରାଯାଇଥିଲା। ଏହାକୁ ଷ୍ଟୁଡେଣ୍ଟ ଇସଲାମିକ ଅର୍ଗାନାଇଜେସନ (ଏସଆଇଓ)  ଓ ମୁସଲିମ ଷ୍ଟୁଡେଣ୍ଟ ଫେଡେରେସନ ପକ୍ଷରୁ ଏହି ସ୍କ୍ରିନିଂର ଆୟୋଜନ କରାଯାଇଥିଲା। ଏହାକୁ ସଂଗଠନର ୫୦ରୁ ଅଧିକ ଛାତ୍ରଛାତ୍ରୀ ଦେଖିଥିଲେ। ତେବେ ଏହି ସ୍କ୍ରିନିଂକୁ ନେଇ ଏବିଭିପି ପକ୍ଷରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି ଓ ଏହା ଉପରେ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ସେପଟେ ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିରେ ଅନୁଷ୍ଠିତ ସ୍କ୍ରିନିଂ ସମ୍ପର୍କରେ ପୁଲିସ କହିଛି, ଆମେ ଏସମ୍ପର୍କରେ ସୂଚନା ପାଇଛୁ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ। ଅଭିଯୋଗ ପାଇବା ପରେ ତଦନ୍ତ ହେବ।

ସେହିପରି ସୋମବାର ଦିନ ନୂଆଦିଲ୍ଲୀ ଜେଏନୟୁରେ କିଛି ଛାତ୍ର ସଂଗଠନ ପକ୍ଷରୁ ସ୍କ୍ରିନିଂକୁ ନେଇ ପାମ୍ପଲେଟ ବଣ୍ଟାଯିବା ଜଣାପଡିବା ପରେ  କର୍ତ୍ତୃପକ୍ଷଙ୍କ ପକ୍ଷରୁ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ନ କରିବାକୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି।

ବିବିସି ପକ୍ଷରୁ ମୋଦିଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଉପରେ କେନ୍ଦ୍ର ସରକାର ପକ୍ଷରୁ  ପ୍ରତିବନ୍ଧକ ଲଗାଯାଇଛି। ୟୁଟ୍ୟୁବର ଡକ୍ୟୁମେଣ୍ଟାରୀ ଓ ଏହାର ଲିଙ୍କ ସେୟାର ହୋଇଥିବା ଟ୍ବିଟ ସବୁକୁ ବ୍ଲକ କରାଯାଇଛି।

Leave a Reply

Your email address will not be published. Required fields are marked *