()-ଇତିହାସ ସୃଷ୍ଟି କଲା କର୍ତ୍ତବ୍ୟପଥ। ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛନ୍ତି। ୭୪ ତମ ସାଧାରଣତନ୍ତ୍ର ଦିବସ ପରେଡରେ ଅଭିବାଦନ ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପରମ୍ପରା ଅନୁସାରେ ମୁଖ୍ୟ ଅତିଥି ଇଜିପ୍ଟ ରାଷ୍ଟ୍ରପତିଙ୍କ ସହ ରାଷ୍ଟ୍ରପତି ଭବନରୁ ବାହାରି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟପଥରେ ପହଞ୍ଚିଥିଲେ। ଏହା ପରେ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି।
ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ। ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ସବୁଠୁ ବଡ଼ ଦିନ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଖୁସି ଓ ଉତ୍ସାହ । ଦେଶ ମାତୃକା ପାଇଁ ସମସ୍ତଙ୍କ ମନରେ ଗର୍ବ ଓ ଦେଶର ପ୍ରତିଟି ବ୍ୟକ୍ତି କହୁଛି ମୁଁ ଭାରତୀୟ। ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ସୃଷ୍ଟି ହୋଇଛି ନୂଆ ଇତିହାସ। ରାଜପଥରୁ କର୍ତ୍ତବ୍ୟ ପଥ ହେବା ପରେ ଏଠାରେ ପ୍ରଥମ ଥର ପାଇଁ ଗଣତଦନ୍ତ୍ର ଦିବସ ସମାରୋହ ପାଳନ ହୋଇଛି। ଏହି ଉତ୍ସବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ ଜାତୀୟ ସଙ୍ଗୀତ ପରିବେଷଣ କରିବା ସହ ୨୧ ତୋପର ସଲାମୀ ଦିଆଯାଇଥିଲା। ପତାକା ଉତ୍ତୋଳନ କରିବା ପରେ କର୍ତ୍ତବ୍ୟପଥରୁ ପରେଡ୍ ଆରମ୍ଭ ହୋଇଥିଲା। ଏହି ପରେଡ୍ରେ ସାମିଲ ହୋଇ ଅଭିବାଦନ ଗ୍ରହଣ କରିବା ସହ ସଲାମୀ ଦେଇଥିଲେ ରାଷ୍ଟ୍ରପତି। ଗଣତନ୍ତ୍ର ଦିବସ ପରେଡ ସକାଳ ୧୦.୩୦ରୁ ଆରମ୍ଭ ହୋଇଥିଲା । ଏଥିରେ ଆତ୍ମନିର୍ଭର ଭାରତ, ନାରୀଶକ୍ତି ଓ ସାଂସ୍କୃତିକ ବିବିଧତା ଭଳି ବିଭିନ୍ନ ଝଲକ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି କର୍ତ୍ତବ୍ୟପଥକୁ ଫେରିଥିଲେ। ପରେଡ ବିଜୟ ଚୌକରୁ ଲାଲକିଲା ଯାଏଁ ଯାଇଥିଲା। ୯୦ ମିନିଟ୍ ଯାଏଁ ଏହି ଚାଲିଥିଲା ପରେଡ୍। ଏଥିରେ ସ୍ୱଦେଶୀ ଶକ୍ତି ଓ ସଂସ୍କୃତିର ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା। ପରେଡ୍ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଅଲ୍- ସିସି। ଏଥିସହ ପରେଡ୍ରେ ଇଜିପ୍ଟ ସୈନ୍ୟବାହିନୀର ଏକ ଅଂଶ ମଧ୍ୟ ଭାଗ ନେଇଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଯୋଗ ଦେଇଥିଲେ।
ସେପଟେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଗତକାଲି ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆମେ ସମସ୍ତେ ଏକ ଓ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାରତୀୟ। ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ। ବାବା ସାହେବ ଆମ୍ୱେଦକରଙ୍କ ନିକଟରେ ଦେଶ ରୁଣୀ। ସବୁଠୁ ପୁରୁଣା ସଭ୍ୟତା ମଧ୍ୟରେ ଭାରତ ଅନନ୍ୟ। କରୋନା କାଳରେ ବହୁ ସମସ୍ୟା ସାମନା କରିବାକୁ ପଡିଛି । କିନ୍ତୁ ଏବେ ଭାରତ ମହାମାରୀ ପ୍ରକୋପରୁ ମୁକ୍ତ ହୋଇଛି। ଭାରତ ଏକ ଗରିବ ଏବଂ ନିରକ୍ଷର ରାଷ୍ଟ୍ରରୁ ବିଶ୍ୱ ମଞ୍ଚରେ ଏକ ଆତ୍ମବିଶ୍ୱାସୀ ରାଷ୍ଟ୍ରକୁ ଉନ୍ନିତ ହୋଇଛି। ଦେଶର ଅର୍ଥନୀତି ଦ୍ରୁତ ଗତିରେ ଆଗଉଛି। ଚଳିତ ବର୍ଷ ଭାରତ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଭାରତ ଏବେ ବିଶ୍ୱରେ ଏକ ଆତ୍ମବିଶ୍ୱାସଭରା ରାଷ୍ଟ୍ରରେ ପରିଣତ ହୋଇଛି। ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଭାରତ। ଆତ୍ମନିର୍ଭର ଭାରତ ଅଭିଯାନ ପ୍ରତି ଲୋକଙ୍କ ବିଶେଷ ଉତ୍ସାହ ରହିଛି। ବିଜ୍ଞାନ କ୍ଷେତ୍ରରେ ଭାରତ ଏବେ ପାରଦର୍ଶୀ ହୋଇପାରିଛି। ପ୍ରତି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢ଼ିବା ସହ ସେମାନେ ସଶକ୍ତ ହେଉଛନ୍ତି। ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନ ରଖିବା ସହ ପ୍ରକୃତି ପ୍ରତି ସମ୍ମାନ ଭାବ ରଖିବା ନିହାତି ଜରୁରୀ ବୋଲି ରାଷ୍ଟ୍ରପତି କହିଛନ୍ତି।
ସେହିଭଳି ୭୪ତମ ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ଥର ସାଧାରଣତନ୍ତ୍ର ଦିବସ ସବୁଠୁ ସ୍ୱତନ୍ତ୍ର। ଚଳିତ ବର୍ଷ ଆଜାଦୀର ଅମୃତ ମହୋତ୍ସବ ଦେଶ ପାଳିଛି। ସୁରକ୍ଷାବଳର ସ୍ୱପ୍ନକୁ ସାକାର କରିବାକୁ ହେଲେ ଆମକୁ ଏକଜୁଟ୍ ହୋଇ ଆଗକୁ ବଢ଼ିବାକୁ ପଡ଼ିବ ବୋଲି କହିଛନ୍ତି ମୋଦି। ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସାଧାରଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱତନ୍ତ୍ରତା ସୁରକ୍ଷାବଳ, ସମ୍ୱିଧାନ ନିର୍ମାତା ଏବଂ ବୀର ଯବାନଙ୍କୁ ସଲାମ କରିଛନ୍ତି। ଗଣତନ୍ତ୍ରର ରକ୍ଷା ଓ ମଜବୁତ୍ କରିବାକୁ ଅମିତ୍ ଶାହା କହିଛନ୍ତି।
ପ୍ରେମଲତା ବାରିକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now