ଇଣ୍ଟରନେଟ୍ ଏବେ ଆତଙ୍କବାଦୀଙ୍କ ବଡ଼ ଟୁଲକିଟ୍

Spread the love

() ଇଣ୍ଟରନେଟ୍ ଓ ସୋସିଆଲ୍ ମିଡ଼ିଆ ଆତଙ୍କବାଦୀ ଓ ମିଲିଟାଣ୍ଟ ଗ୍ରୁପର ଏକ ବଡ ଟୁଲକିଟ୍ ସାଜିଛି। ଅବିଳମ୍ୱେ କୌଣସି ଷଡ଼ଯନ୍ତ୍ର, ଜନମତକୁ ପ୍ରଭାବିତ, ପ୍ରାୟୋଜିତ ଉଗ୍ରବାଦକୁ ବଳ ଦେଇ ସର୍ବୋପରି ସମାଜରେ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟି କରୁଥିବା ଏ ସବୁ ତତ୍ତ୍ୱକୁ ଲଗାମ ଲଗାଇବା ଜରୁରୀ ହୋଇପଡିଛି। ଆତଙ୍କବାଦ ବିରୁଦ୍ଧରେ ଦିଲ୍ଲୀରେ ବସିଥିବା ଜାତିସଂଘ ଆତଙ୍କବାଦ ବିରୋଧୀ କମିଟିରେ ଏଭଳି ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ।

ଆତଙ୍କବାଦର ବିପଦ ବଢ଼ିବାରେ ଲାଗିଛି। ବିଶେଷକରି ଏସିଆ ଓ ଆଫ୍ରିକାରେ ଆତଙ୍କବାଦ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଯଦିଓ ମାନବ ସଭ୍ୟତା ପ୍ରତି ସବୁଠୁ ବଡ଼ ବିପଦ ଭାବେ ଉଭା ହୋଇଥିବା ଏହି ଆତଙ୍କବାଦ ତତ୍ତ୍ୱକୁ ମୁକାବିଲା କରିବାକୁ ୟୁଏନ ସୁରକ୍ଷା ପରିଷଦ ଅନେକ ପଦକ୍ଷେପ ନେଉଛି। ନୂଆ ଦିଲ୍ଲୀରେ କାଉଣ୍ଟର- ଟେରୋରିଜିମ୍ ଉପରେ ବସିଥିବା ୟୁଏନଏସସିର ସ୍ୱତନ୍ତ୍ର ବୈଠକରେ ଏଭଳି ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଜୟଶଙ୍କର। ଦୀର୍ଘ ଦୁଇ ଦଶନ୍ଧି ଧରି ୟୁଏନ ସୁରକ୍ଷା ପରିଷଦ ଆତଙ୍କବାଦ କାର୍ଯ୍ୟକଳାପକୁ ଅଙ୍କୁଶ ଲଗାଇବାକୁ ଅନେକ ପଦକ୍ଷେପ ନେଇଛି। କିନ୍ତୁ ଅଧିକାଂଶ ଜାଗାରେ ଦେଖାଯାଉଛି କି, ଏବେ ଆତଙ୍କବାଦ କାର୍ଯ୍ୟକଳାପ ଯେମିତି ଷ୍ଟେଟ୍ ଫଣ୍ଡିଂ ଉଦ୍ୟୋଗ ଭାବେ ପରିଣତ ହୋଇଗଲାଣି।

ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବେ ଆତଙ୍କବାଦୀ ଓ ମିଲିଟାଣ୍ଟ ଗ୍ରୁପ୍ ଲାଗି ବଡ଼ ଟୁଲକିଟ୍ ସାଜିଛି। ସମାଜରେ ଅସ୍ଥିରତା ସୃଷ୍ଟି ଲାଗି ଆତଙ୍କବାଦୀଙ୍କ କାମକୁ ଏହା ସହଜ କରିବାରେ ସହାୟକ ସାଜୁଛି। ଅବିଳମ୍ୱେ ଗୁଜବ ଓ ଷଡ଼ଯନ୍ତ୍ରକୁ ପ୍ରଚାର କରି ସମାଜରେ ଅସ୍ଥିରତା  ଓ ଅଶାନ୍ତର ତତ୍ତ୍ୱକୁ ଛିଡ଼ା କରିଦେଉଛି। ଆଉ ସରକାରଙ୍କ ଲାଗି ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି, ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ମାନବବିହୀନ ଡ୍ରୋନ୍ ଓ ସଂଗଠିତ ଅପରାଧ ନେଟଓ୍ୱର୍କ। ତେବେ ଆତଙ୍କବାଦ କାର୍ଯ୍ୟକଳାପକୁ ଅଙ୍କୁଶ ଲଗାଇବାକୁ ଭାରତ ସବୁବେଳେ ଆଗରେ ରହିଛି। ସେଥିଲାଗି ୟୁଏନ ଟ୍ରଷ୍ଟ ଫଣ୍ଡକୁ ୫ ଲକ୍ଷ ମିଲିଅନ ଡଲାରର ଆର୍ଥିକ ସହାୟତା ଚଳିତ ବର୍ଷ ଭାରତ ଦେବ ବୋଲି ଘୋଷଣା କରିଛନ୍ତି ଜୟଶଙ୍କର। ଏହି ଅର୍ଥ ଆତଙ୍କବାଦ ଦମନ ଲାଗି ଆବଶ୍ୟକ ହେଉଥିବା ଦକ୍ଷତା ବୃଦ୍ଧିରେ ଲାଗିବ।

ସେପଟେ ନିଜର ଏଜେଣ୍ଡାକୁ ସାକାର କରିବାକୁ ଆତଙ୍କବାଦୀ ଅଧିକାଂଶ ସମୟରେ ଟେକ୍ନୋଲୋଜିର ଅପବ୍ୟବହାର କରୁଛନ୍ତି। ସେଥିଲାଗି ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି ଓ ସୁରକ୍ଷା ପ୍ରତି ସବୁବେଳେ ବିପଦ ସୃଷ୍ଟି ହେଉଥିବା କହିଛନ୍ତି କାଉଣ୍ଟର ଟେରୋରିଜିମ କମିଟି ବା ସିଟିସିର ମହାସଚିବ। ବ୍ରିଟେନ୍ ବୈଦେଶିକ ସଚିବ କହିଛନ୍ତି କି, ୨୦୧୯ରୁ ତାଙ୍କ ସରକାର ଏୟାରକ୍ରାଫ୍ଟ ଷ୍ଟ୍ରାଟେଜି ଆପଣଇଛନ୍ତି। କାଉଣ୍ଟର ଡ୍ରୋନ ଟେକ୍ନୋଲୋଜି ପାଇଁ ପାଣ୍ଠି ଦେବା ସହ ଡ୍ରୋନର ଅପବ୍ୟବହାରକୁ ରୋକିବାକୁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି। ଲାଇଭ ଷ୍ଟ୍ରିମିଂ ଆକ୍ରମଣ, ହତ୍ୟା, ଭଏସ ରେକର୍ଡିଂ କରି ଧମକ ଦେବା ଭଳି ଅଡ଼ିଓ ଭିଡିଓ ବ୍ୟାପକ ଭାବେ ସର୍କୁଲାର କରୁଥିଲେ ଆତଙ୍କବାଦୀ। ସେ ସବୁକୁ ରୋକିବାକୁ ବି ପଦକ୍ଷେପ ନିଆଯାଉଛି।

ଆତଙ୍କବାଦ ପୁରା ବିଶ୍ୱ ପାଇଁ ବଡ଼ ବିପତ୍ତି। ଏହାକୁ ମୁକାବିଲା କରିବାକୁ ଆଡଭାନ୍ସ ଟେକ୍ନୋଲୋଜିର ବ୍ୟବହାର ଜରୁରୀ। ଆତଙ୍କବାଦୀ ସଂଗଠନ ଏବେ ପର୍ଯ୍ୟଟକ ଭାବରେ ସମାଜରେ ଖୋଲା ବିଚରଣ କରୁଛନ୍ତି। ଟେକ୍ନୋଲୋଜି, ଅର୍ଥ ଓ ସଭ୍ୟତାରେ ବିଶୃଙ୍ଖଳାକାରୀ ତତ୍ତ୍ୱକୁ ବ୍ୟବହାର କରି ସ୍ୱାଧୀନତା, ସହିଷ୍ଣୁତା ଓ ବିକାଶରେ ବଡ଼ ପ୍ରତିବନ୍ଧକ ସାଜିଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *