ଚର୍ଚ୍ଚାରେ ୫୯ ବର୍ଷୀୟ ବିଚାରପତିଙ୍କ ବିବାହ

Spread the love

ପ୍ରେମ ଅନ୍ଧ ହୋଇଥାଏ। ଏ କଥା କେବଳ ରୁଢ଼ିରେ ନୁହେଁ, ବରଂ ଅସଲ ଜୀବନରେ ଘଟିଥାଏ ବୋଲି ଏହାର ଆକ୍ଷରିକ ଅର୍ଥର ସବୁବେଳେ ଯଥାର୍ଥତା ଥାଏ। ଏମିତି ଅନେକ ଘଟଣା ଭିତରୁ ଗୋଡ଼ାରୁ ଆସିଥିବା ଏକ ଘଟଣା ସବୁଠୁ ରୋଚକ। ଯେଉଁଠି ୫୯ ବର୍ଷର ବିଚାରପତି ଶିବପାଲ ସିଂ ୫୦ ବର୍ଷର ନିଜ ପ୍ରେମିକା ନୂତନ ତିଓ୍ୱାରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହାକୁ ନେଇ ପୁରା ଜିଲ୍ଲାରେ ଜୋରଦାର ଚର୍ଚ୍ଚା।

ବାଟ ଘାଟରେ ଯେଉଁଠି ଦେଖିବ, ଏହି ଯୋଡ଼ିକୁ ନେଇ ଟୁପୁରୁ ଟାପୁରୁ ହେଉଛନ୍ତି ଲୋକେ। କାରଣ ଚାକିରୀରୁ ରିଟାୟାର୍ଡମେଣ୍ଟ ବୟସରେ ଜଷ୍ଟିସଙ୍କ ଏହି ବିବାହକୁ ଭିନ୍ନ ନଜରରେ ଅନେକ ଦେଖୁଛନ୍ତି। ସେଥିଲାଗି ଏତେ ଚର୍ଚ୍ଚା, ଆଲୋଚନା। ଶିବପାଲ ଗୋଡାର ପ୍ରଥମ ବିଚାରପତି। ଗଲା ୩ ବର୍ଷ ହେଲା ଏହି ପଦରେ ଅଧିଷ୍ଠିତ। ବହୁ କଡ଼ା ବିଚାରପତି ଓ କଥାରେ ପୁରା ପକ୍କା ଭାବେ ତାଙ୍କର ଖ୍ୟାତି ରହିଛି।

ନିଜ ଚାକିରୀ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଫୈସଲା ବି ଶୁଣାଇଛନ୍ତି। ବଡ଼ ମହତ୍ତ୍ୱପୂର୍ଣ୍ଣ ରାୟ ଭିତରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ କରିଥିଲେ ଜଷ୍ଟିସ ଶିବପାଲ୍। ଯଦିଓ ଜାମିନରେ ଲାଲୁ ଏବେ ମୁକୁଳିଛନ୍ତି ଏହି ସଜାରୁ। ଲାଲୁ ନିଜ ସ୍ୱାସ୍ଥ୍ୟବସ୍ଥା ଆଧାରରେ ଜାମିନ ପାଇଛନ୍ତି। ଯଦିଓ ବୟସାଧିକ କାରଣକୁ ଜାମିନ ଆବେଦନକୁ ଅଦାଲତ ଖାରଜ୍ କରିଦେଇଛନ୍ତି। କିନ୍ତୁ ପ୍ରେମ ଓ ବିବାହ ଲାଗି ବୟସ ଯେ ପ୍ରତିବନ୍ଧକ ନୁହେଁ, ଏହାର ନିଜେ ପ୍ରମାଣ ସାଜିଛନ୍ତି ଜଷ୍ଟିସ ଶିବପାଲ୍।

ଶିବପାଲ୍ ଓ ନୂତନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନୂତନ ବି ଗୋଡ୍ଡା ଜିଲ୍ଲା କୋର୍ଟରେ କାମ କରୁଛନ୍ତି। ଗୋଟିଏ ପେଶାରେ ଥିବାରୁ ଦୁହିଁଙ୍କ ଭିତରେ ସମ୍ପର୍କ ବଢ଼ିଥିଲା। ଆଗ ବନ୍ଧୁତ୍ୱ ଓ ପରେ ପ୍ରେମ ଓ ପରେ ଜନ୍ମ ଜନ୍ମ ଲାଗି ବନ୍ଧନରେ ବାନ୍ଧିହେବା। ଜଜ୍ ଶିବପାଲଙ୍କ ପତ୍ନୀଙ୍କର ୨୦ ବର୍ଷ ତଳେ ପରଲୋକ ହୋଇସାରିଛି।

ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ବି ଅଛି। ପିଲାଙ୍କ ସହ ଆଲୋଚନା ଓ ସହମତିରେ ହିଁ ନୂତନଙ୍କ ସହ ବିବାହ କରିଛନ୍ତି ଜଷ୍ଟିସ ଶିବପାଲ୍। ଅଧିବକ୍ତା ନୂତନଙ୍କ ସ୍ୱାମୀଙ୍କର ବି କିଛି ବର୍ଷ ତଳେ ପରଲୋକ ହୋଇସାରିଛି। ତାଙ୍କୁ ବି ଏହି ବୟସରେ ଜଣଙ୍କ ଆଶ୍ରୟ ଦରକାର ଥିଲା। ନୂତନଙ୍କର ଗୋଟିଏ ପୁଅ ବି ଅଛି। ନୂତନ ପେଶାରେ ସିନା ଓକିଲ। କିନ୍ତୁ ସେ ଜିଲ୍ଲା ବିଜେପି ସଂଗଠନ ସହ ସାମିଲ ଅଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ନୂତନ ଜିଲ୍ଲା କୋର୍ଟରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ। ମହିଳା ଓ ଯୁବତୀଙ୍କ ହକ୍ ଲାଗି ନିରନ୍ତର ସ୍ୱର ଉଠାଇ ଆସୁଛନ୍ତି ନୂତନ। ଆଉ ଏବେ ଶିବପାଲ୍ ଓ ନୂତନଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚା, ସେତିକି ସମାଜକୁ ଭଲ ବାର୍ତ୍ତା ଦେଲା ବୋଲି ଆଲୋଚନା।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *