ସମଲିଙ୍ଗୀ ବିବାଦରେ ବାହାରିଲାନି ନିର୍ଯ୍ୟାସ

Spread the love

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଅନୁମତି ପାଇଁ ଦାୟର ଯାଚିକା ସବୁ ଉପରେ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହୋଇଥିଲେ ମଧ୍ୟ ବାହାରିଲାନି କୌଣସି ନିର୍ଯ୍ୟାସ। କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ନା କରିଥିବାରୁ ମାମଲାକୁ କୋର୍ଟ ୫ ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି। ଏପ୍ରିଲ ୧୮ ତାରିଖରେ ଏହି ମାମଲାର ହେବ ଶୁଣାଣି।

ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ମନା କରିଦେବା ପରେ ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ମାମଲାର ଶୁଣାଣି ହୋଇଥିଲେ ମଧ୍ୟ ଏହାକୁ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ନିକଟକୁ ପଠାଇଦେଇଛନ୍ତି କୋର୍ଟ। ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ପି ଏସ ନରସିହ୍ନା ଓ ଜଷ୍ଟିସ ଜେ ବି ପାରଦୀୱାଲଙ୍କ ଖଣ୍ଡପୀଠ ଏହାର ଶୁଣାଣି କରୁଥିଲେ।

ପୂର୍ବରୁ ଏହି ପ୍ରସଙ୍ଗରେ ୧୫ଟି ଯାଚିକା ଉପରେ କେନ୍ଦ୍ରର ଆଭିମୁଖ୍ୟ ପଚାରିଥିଲେ ଖଣ୍ଡପୀଠ। ଯାହାକୁ ନେଇ କେନ୍ଦ୍ର ସରକାର  ଏହାକୁ ବିରୋଧ କରିଛି। ସରକାର ପକ୍ଷରୁ କୁହାଯାଇଥିଲା କି, ଭାରତୀୟ ପରିବାରର ଅବଧାରଣା ହେଉଛି ପତି-ପତ୍ନୀ ଓ ସେମାନେ ଜନ୍ମ ଦେଉଥିବା ସନ୍ତାନ। କିନ୍ତୁ ସମଲିଙ୍ଗୀ ବିବାହ ଏହି ଅବଧାରଣା ବିରୋଧୀ। ଭାଗୀଦାରୀ ଭାବେ ସାଙ୍ଗ ହୋଇ ରହିବା ଓ ସମାନ ଲିଙ୍ଗର ବ୍ୟକ୍ତି ସହ ଯୌନ ସମ୍ବନ୍ଧ ରଖିବା ପତି, ପତ୍ନୀ ଓ ସନ୍ତାନଙ୍କୁ ନେଇ ଗଠିତ ଭାରତୀୟ ପାରିବାରିକ ସଂଗଠନ ଅବଧାରଣା ସହ ତୁଳନୀୟ ନୁହେଁ। ଯାହା ଜଣେ ଜୈବିକ ପୁରୁଷଙ୍କୁ ପତି, ଜଣେ ଜୈବିକ ମହିଳାଙ୍କୁ ପତ୍ନୀ ଓ ଦୁହିଁଙ୍କ ମିଳନରୁ ପିଲାଟିଏ ସୃଷ୍ଟିକୁ ମାନିଥାଏ। ପୁରୁଷକୁ ପିତା ଓ ମହିଳାଙ୍କୁ ମା ଭାବେ ଗ୍ରହଣ କରାଯାଏ।

ସୂଚନାଯୋଗ୍ୟ, ନଭେମ୍ବର ୨୫ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ଯୋଡିଙ୍କ ଯାଚିକା ଉପରେ କେନ୍ଦ୍ରକୁ ନୋଟିସ ଜାରି କରି ୪ ସପ୍ତାହରେ କେନ୍ଦ୍ରଠାରୁ ମାଗିଥିଲେ ଜବାବ। ସେହିପରି ୧୪ ଡିସେମ୍ବର ୨୦୨୨କୁ ସମଲିଙ୍ଗୀ ବିବାହକୁ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନ୍ତର୍ଗତ ମାନ୍ୟତା ଦେବାକୁ ହୋଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ନୋଟିସ ଜାରି କରି ଜବାବ ମାଗିଥିଲେ।   

Leave a Reply

Your email address will not be published. Required fields are marked *