ମନ କି ବାତ୍‌: କରୋନା ପ୍ରତି ସତର୍କ ରହିବାକୁ ଆହ୍ବାନ

Spread the love

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ କରିଛନ୍ତି। କାର୍ଯ୍ୟକ୍ରମର ୯୬ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ୱୋଧିତ କରି କରୋନା ଭୂତାଣୁ ବୃଦ୍ଧି ପାଉଥିବା ସଙ୍କଟକୁ ଦୃଷ୍ଟିରେ ରଖି ଦେଶବାସୀଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ମୋଦି।

ବର୍ଷର ଶେଷ ତଥା ୯୬ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ୱୋଧିତ କଲେ ମୋଦି । ଏହି ଅବସରରେ ପିଏମ ବିକାଶର ଗାଥା ବଖାଣିଛନ୍ତି । ୨୦୨୨ ଭାରତ ପାଇଁ ବିକାଶର ବର୍ଷ ବୋଲି କହିଛନ୍ତି ମୋଦି। ଚାଇନା ଏବଂ ଆମେରିକା ସମେତ ଅନେକ ଦେଶରେ କୋଭିଡ -19 ମାମଲା ଦ୍ରୁତ ଗତିରେ ବଢିଚାଲିଛି ଏବଂ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି। କରୋନାର ନୂଆ ଭାରିଆଣ୍ଟକୁ ନେଇ ଲୋକଙ୍କୁ ସତର୍କ ମଧ୍ୟ କରାଇଛନ୍ତି। ସେଥିପାଇଁ ଆମକୁ ମାସ୍କ ଏବଂ ହାତ ଧୋଇବା ଭଳି ସତର୍କତାର ଅଧିକ ଯତ୍ନବାନ ହେବାକୁ ପଡିବ । ଯଦି ଆମେ ସାବଧାନ ରହିବା ତେବେ ଆମେ ମଧ୍ୟ ସୁରକ୍ଷିତ ରହିବା ଏବଂ ଆମର ଖୁସିରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

ଚଳିତ ବର୍ଷ ଆଜାଦୀର ୭୫ବର୍ଷ ପୂର୍ତ୍ତି ପାଳିଛି ଭାରତ। ଚଳିତ ବର୍ଷ ଏକ ସ୍ୱତନ୍ତ୍ର ବର୍ଷ। ଅମୃତ ମହୋତ୍ସବରେ ତ୍ରିରଙ୍ଗା ଅଭିଯାନ ଦେଶବାସୀଙ୍କ ମନରେ ଏକତାର ବାର୍ତ୍ତା ଭରି ଦେଇଛି । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଜରିଆରେ ପୂରା ଦେଶ ଏକଜୁଟ ହୋଇଛି। ୬କୋଟିରୁ ଅଧିକ ଲୋକ ଜାତୀୟ ପତାକା ସହିତ ସେଲଫି ନେଇ ସ୍ୱାଧୀନତାର ପ୍ରତୀକକୁ ନିଜ ଘରମାନଙ୍କରେ ଲଗାଇଥିଲେ। ଚଳିତ ବର୍ଷ ନମାମୀ ଗଙ୍ଗା ଅଭିଯାନ ଆରମ୍ଭ ହୋଇଛି। ମାଆ ଗଙ୍ଗା ସଫେଇ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ନମାମୀ ଗଙ୍ଗା କାର୍ଯ୍ୟକ୍ରମ ଜୈବ ବିବିଧତା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୟୁଏନ ମଧ୍ୟ ଏହି ମିଶନକୁ ବିଶ୍ୱର ଶ୍ରେଷ୍ଠ ୧୦ ଇକୋ ସିଷ୍ଟମରେ ସାମିଲ କରିଛି। ସ୍ୱଚ୍ଛତା ମିଶନରେ ଦେଶବାସୀଙ୍କ ସହଯୋଗ ମିଳୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି ଶିକ୍ଷା , ବିଦେଶ ନୀତି ଓ ଇନ୍ଫାଷ୍ଟ୍ରକଚର ସବୁ ଦିଗରେ ଭାରତ ନୂଆ ଦିଗରେ ପହଞ୍ଚିଛି। ଆର୍ଥିକ କ୍ଷେତ୍ରରେ ଦେଶ ପ୍ରଗତି କରୁଛି। ଅର୍ଥନୈତିକ ଦିଗରେ ଭାରତ ବିଶ୍ୱର ପଞ୍ଚମ ସ୍ଥାନରେ ପହଞ୍ଚିଛି। ଜି-୨୦ ସମ୍ମିଳନୀରେ ଭାରତକୁ ମିଳିଥିବା ଗୁରୁଦାୟିତ୍ୱ ଉପରେ ଆଲୋକପାତ କରିଛନ୍ତି ମୋଦି। ଚଳିତ ବର୍ଷ ଜି-୨୦ ସମ୍ମିଳନୀରେ ଭାରତକୁ ଅଧ୍ୟକ୍ଷତା କରିବାକୁ ସୁଯୋଗ ମିଳିଥିଲା। ଆସନ୍ତା ବର୍ଷ ତଥା ୨୦୨୩ରେ ଜି-୨୦ ସମ୍ମିଳନୀ ଭାରତରେ ହେବ। ଏହା ଦେଶ ପାଇଁ ଏକ ଗୌରବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହାସହ ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣେଇବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀକୁ ମନେ ପକାଇଛନ୍ତି ମୋଦି।

ପ୍ରେମଲତା ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *