ଆତଙ୍କବାଦୀଙ୍କ ନୂଆ କୌଶଳ

Spread the love

() ବୋମା। ହେଲେ ପରଫ୍ୟୁମ୍ ବୋମା। ଏହାକୁ ଦବେଇଲେ କି ଖୋଲିଲେ ଧମାକା ହେବ। ଗୋଟିଏ ପରଫ୍ୟୁମ୍ ବୋତଲକୁ ବିସ୍ଫୋରକ ଯନ୍ତ୍ର ବା ଆଇଡିରେ ପରିଣତ କରି ଟାର୍ଗେଟ କିଲିଂ ଲାଗି ଆତଙ୍କବାଦୀ ନୂଆ କୌଶଳ ଆପଣାଇଛନ୍ତି। ପ୍ରଥମ ଥର ଜମ୍ମୁକଶ୍ମୀରରେ ଏଭଳି ଆତଙ୍କବାଦୀଙ୍କ କୌଶଳକୁ ପଣ୍ଡ କରାଯାଇଛି।

ଆତଙ୍କବାଦୀଙ୍କ ନୂଆ କୌଶଳ। ବିସ୍ଫୋରଣ କରି ମାରିଦେବାର ନୂଆ ରଣନୀତି ଆପଣାଇଲେଣି ଆତଙ୍କବାଦୀ। ୟୁନିକ୍ ଟ୍ରିଗର ମେକାନିଜିମକୁ କିନ୍ତୁ ପ୍ରଥମ ଥର ଧରିବାରେ ସଫଳ ହୋଇଛି ଜମ୍ମୁକଶ୍ମୀର ପୁଲିସ। ଆଉ ଏହି ମେକାନିଜିମର ନାଁ ହେଉଛି ପରଫ୍ୟୁମ୍ ବୋମା। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ହମଲା ଲାଗି ପରଫ୍ୟୁମ୍ ବୋମା ବ୍ୟବହାର କରୁଛି। ପରଫ୍ୟୁମ୍ ବୋତଲକୁ ବିସ୍ଫୋରକ ଯନ୍ତ୍ର ବା ଆଇଡିରେ ପରିଣତ କରୁଛନ୍ତି ଆତଙ୍କବାଦୀ। ପରଫ୍ୟୁମ୍ ଭାବି କିଏ ଯଦି ଏହି ବୋତଲକୁ ଖୋଲିବାକୁ ବା ଏହାର ଠିପି ଦବେଇବାକୁ ଚେଷ୍ଟା କରିବ, ସିଏ ବିସ୍ଫୋରଣର ଶୀକାର ହେବ। ଏଭଳି ଧରଣର ପରଫ୍ୟୁମ୍ ବୋମା ପ୍ରଥମ ଥର ଠାବ କରିଛି ଜମ୍ମୁ କଶ୍ମୀର ପୁଲିସ।

ତେବେ ଆତଙ୍କବାଦର ନୂଆ ଫଣ୍ଡାର ସୁରାକ୍ କେମିତି ପାଇଲା ପୁଲିସ୍। ଶିକ୍ଷକରୁ ଆତଙ୍କବାଦୀ ସାଜିଥିବା ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ ପରେ ତା ହାତରୁ ଏଭଳି ପରଫ୍ୟୁମ୍ ବୋମା ଜବତ ପରେ ଚକିତ ହୋଇଯାଇଥିଲା ପୁଲିସ। ଗିରଫ ଆତଙ୍କବାଦୀ ଆରିଫ୍ ହେଉଛି ରିଆସି ଜିଲ୍ଲାର ବାସିନ୍ଦା। ଜମ୍ମୁର ନରଓ୍ୱାଲ ଅଞ୍ଚଳରେ ଜାନୁଆରୀ ୨୧ରେ ଘଟିଥିବା ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ। ଏହି ଘଟଣାର ତଦନ୍ତ କରୁ କରୁ ପୁଲିସ ଆରିଫକୁ ଗିରଫ କରିଥିଲା। ଗଲାବର୍ଷ ମେ ମାସରେ ବୈଷ୍ଣୋଦେବୀ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଭିତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆରିଫର ଭୂମିକା ଥିଲା।

ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ପରଫ୍ୟୁମ ବୋମା ଜରିଆରେ ବିସ୍ଫୋରଣର ବଡ଼ ଷଡ଼ଯନ୍ତ୍ରକୁ ଅବଶ୍ୟ ପଣ୍ଡ କରିଛି ପୁଲିସ। ପରଫ୍ୟୁମ୍ ବୋମା ଜରିଆରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୂପରେଖ ଦେବା ପରେ ଆତଙ୍କବାଦୀ ନିଜର ପୋଷାକ ଓ ଜୋତା ଜଳାଇ ଦେଉଥିଲେ। ମୋବାଇଲ ଫୋନକୁ ଭାଙ୍ଗି ଚୁରମାର୍ କରିଦେଉଥିଲେ। ଫେବୃଆରୀ ୨୦୨୨ରେ ଶାସ୍ତ୍ରୀନଗରରେ ଟାଇମର୍ ବୋମା ଜରିଆରେ ବିସ୍ଫୋରଣ ହୋଇଥିଲା। ଅବଶ୍ୟ ଏଥିରେ କାହାର ମୃତ୍ୟୁ ହୋଇନଥିଲା। କିନ୍ତୁ ମେ ୧୩ ତାରିଖରେ କଟ୍ରା ପାଖରେ ଯାତ୍ରାବାହୀ ବସରେ ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ସହ ୨୦ରୁ ଅଧିକ ଆହତ ହୋଇଥିଲେ। ଆଉ ଆତଙ୍କବାଦୀ ଆରିଫ୍ ଏହି ତିନି ଜାଗାରେ ଅଲଗା ପ୍ରକାର ବିସ୍ଫୋରଣ ବ୍ୟବହାର କରିଥିଲା। ଶାସ୍ତ୍ରୀନଗରରେ ଟାଇମର ଫିଟେଡ୍ ଆଇଡି, ଯାତ୍ରୀବାହୀ ବସର ତେଲଟାଙ୍କି ଉପର ସିଟ ତଳେ ଟିଫିନ ଭିତରେ ବିସ୍ଫୋରକ ଲଗାଇଥିଲା ଆତଙ୍କବାଦୀ। ପାକିସ୍ତାନ ନିରନ୍ତର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଛି। ଏହା ସହ ନୂଆ ନୂଆ ଫଣ୍ଡା ଆପଣାଉଥିବାରୁ ଏହାକୁ ପଣ୍ଡ କରିବାକୁ ଭାରତୀୟ ପୁଲିସ ବି ନିଜର ଗୁଇନ୍ଦା ନେଟଓ୍ୱର୍କକୁ ସୁଦୃଢ଼ କରିବାରେ ଲାଗିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *