ପନ୍ଥଙ୍କ ଅବସ୍ଥା ସ୍ଥିର

Spread the love

() କ୍ରିକେଟର ରିଷଭ ପନ୍ଥଙ୍କ ଅବସ୍ଥା ସ୍ଥିର ଅଛି। ପ୍ଲାଷ୍ଟିକ ସର୍ଜରୀ ଲାଗି ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରିବାକୁ ଯୋଜନା ଚାଲିଛି। ସେପଟେ ଦୁର୍ଘଟଣାଜନିତ ଫଟୋ ଓ ଭିଡ଼ିଓ ସେୟାର କରିଥିବା ବ୍ୟକ୍ତିଙ୍କ ସମ୍ୱେଦନହୀନତାକୁ ନେଇ ରୋହିତଙ୍କ ପତ୍ନୀ ବର୍ଷିଥିଲା ବେଳେ କାରରେ ଥିବା ଟଙ୍କା ଚୋରି ଖବର ଗୁଜବ ବୋଲି ପୁଲିସ ସ୍ପଷ୍ଟ କରିଛି। ଆଉ ଗାଡ଼ିରୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଥିବା ବସ୍ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ସମ୍ମାନିତ କରାଯାଇଛି।

ଘଣ୍ଟାକୁ ଦେଢ଼ଶହ କିଲୋମିଟର ବେଗରେ ଗାଡ଼ି ଚଲାଇ ଦୁର୍ଘଟଣାଗ୍ରସ୍ତ କ୍ରିକେଟର ରିଷଭ ପନ୍ଥଙ୍କ ଅବସ୍ଥା ସ୍ଥିର ରହିଛି। ଏମଆରଆଇ ରିପୋର୍ଟକୁ ଅପେକ୍ଷା ଭିତରେ ଦୁର୍ଘଟଣା ପରବର୍ତ୍ତୀ କିଛି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ରିଷଭଙ୍କର ପ୍ଲାଷ୍ଟିକ ସର୍ଜରୀ ଲାଗି ତାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରିବାକୁ ଯୋଜନା ଚାଲିଛି। ଆଉ ଏହାରି ଭିତରେ ଦୁର୍ଘଟଣାପରର ଫଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ବ୍ୟକ୍ତିବିଶେଷ ଓ ଏହାକୁ ପ୍ରସାରିତ କରିଥିବା ଗଣମାଧ୍ୟମର ସମ୍ୱେଦନହୀନତାକୁ ନେଇ କ୍ଷୋଭ ଝାଡ଼ିଛନ୍ତି ରୋହିତ ଶର୍ମାଙ୍କ ପତ୍ନୀ ରିତିକା। ଆଉ ରିଷଭଙ୍କୁ ଗାଡ଼ିରୁ ବାହାର କରି ତାଙ୍କୁ ହସ୍ପିଟାଲ ପଠାଇଥିବା ବସ୍ ଡ୍ରାଇଭର ସୁଶୀଲ କୁମାର ଓ କଣ୍ଟକ୍ଟର ପରମଜିତ ସିଂଙ୍କୁ ସମ୍ମାନିତ କରାଯାଇଛି। ସେମାନଙ୍କ ମାନବିକତାକୁ ନେଇ ସବୁଠି ଭୂରି ଭୂରି ପ୍ରଶଂସା କରାଯାଇଛି। ଏହା ସହ ଶିଖର ଧଓ୍ୱନ କାର୍ ଡ୍ରାଇଭକୁ ନେଇ ରିଷଭଙ୍କୁ ଅତୀତରେ ଦେଇଥିବା ପରାମର୍ଶର ଭିଡ଼ିଓ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି। ଯେଉଁ ସ୍ଥାନରେ ଦୁର୍ଘଟଣା ହୋଇଥିଲା, ବର୍ଷକ ଭିତରେ ସେଠାରେ ୧୨୦ଟି ଦୁର୍ଘଟଣା ହୋଇ ୪୦ ଲୋକଙ୍କ ଜୀବନ ଯାଇଛି। ସଡ଼କ ପରିବହନ ବିଭାଗ ତାକୁ ବ୍ଲାକସ୍ପଟ୍ ଚିହ୍ନଟ କରିଛି।

ତେବେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ପରେ ଗାଡ଼ିରେ ଥିବା ୩ରୁ୪ ଲକ୍ଷ ନଗଦ ଟଙ୍କା ସହାୟତା ଆଳରେ କିଛି ଲୋକ ଲୁଟି ନେଇଯାଇଥିବା ଖବର ମିଛ ଓ ଗୁଜବ ବୋଲି ସ୍ପଷ୍ଟ କରିଛି ପୁଲିସ। ସେପଟେ ପ୍ଲାଷ୍ଟିକ ସର୍ଜରୀ ପାଇଁ ଆବଶ୍ୟକ ପଡ଼ିଲେ ରିଷଭଙ୍କୁ ଦିଲ୍ଲୀ ଏୟାରଲିଫ୍ଟ କରାଯିବ ବୋଲି କହିଛ ଡିଡିସିଏ। ରିଷଭଙ୍କୁ ହସ୍ପିଟାଲରେ ଭେଟିଛନ୍ତି ବଲିଉଡ୍ ଅଭିନେତା ଅନୀଲ କପୁର ଓ ଅନୁପମ ଖେର୍। ଏହା ସହ ସମସ୍ତଙ୍କୁ ଏହି ଦୁଇ ଷ୍ଟାର୍ ଅପିଲ୍ କରିଛନ୍ତି କି, ସମସ୍ତେ ଧୀର ବେଗରେ ଗାଡ଼ି ଚଲାନ୍ତୁ। ରିଷଭଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ।

ରିଷଭଙ୍କ ଅବସ୍ଥା ଭଲ ଅଛି ଖବର ପାଇ ତାଙ୍କ ପରିବାର ସମେତ ଫ୍ୟାନ୍ସ ଆଶ୍ୱସ୍ତ ହୋଇଛନ୍ତି। ତେବେ କେତେ ଜଲଦି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପିଚ୍ କୁ ଫେରିବେ, ତାକୁ ସମସ୍ତଙ୍କ ନଜର।

ପ୍ରଦୀପ ନାୟକ

Leave a Reply

Your email address will not be published. Required fields are marked *