ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ

Spread the love

ନୂଆଦିଲ୍ଲୀ : ସୁରିନାମ ଗସ୍ତରେ ଯାଇଥିବା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ରିପବ୍ଲିକ ଅଫ ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀ ତାଙ୍କୁ ଦି ଗ୍ରାଣ୍ଡ ଅର୍ଡର ଅଫ ଦି ଚେନ ଅଫ ୟେଲୋ ଷ୍ଟାର ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ସମ୍ମାନ ହାସଲ କରିବାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଉଛନ୍ତି ପ୍ରଥମ ଭାରତୀୟ ।

ଏହି ସମ୍ମାନ ହାସଲ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ମୁଁ ଖୁବ ସମ୍ମାନିତ ଅନୁଭବ କରୁଛି । ଏହା କେବଳ ମୋର ପାଇଁ ନୁହେଁ ବରଂ 140 କୋଟି ଭାରତୀୟ ନାଗରିକ ମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ସେ କହିଛନ୍ତି ।

ଏହା ବାଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁରିନାମର ପ୍ରେସିଡେଂଟ ପ୍ୟାଲେସରେ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । କଥାବାର୍ତା ପରେ ଉଭୟ ଦେଶ ମଧ୍ୟରେ 4 ଟି ମେମୋରେଣ୍ଡମ ଅଫ ଅଣ୍ଡରଷ୍ଟାଡିଂ ଉପରେ ହସ୍ତାକ୍ଷର ମଧ୍ୟ କରାଯାଇଛି । ଯେଉଁ କ୍ଷେତ୍ର ଗୁଡିକରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ପତ୍ର ହସ୍ତାକ୍ଷର ହୋଇଛି ସେଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ, କୃଷି ଓ ସାମର୍ଥ୍ୟ ବିକାଶ କ୍ଷେତ୍ର ସାମିଲ ରହିଛି । ଏହି କ୍ଷେତ୍ର ଗୁଡିକରେ ଉଭୟ ଦେଶ ମିଶି କାମ କରିବେ ବୋଲି ସ୍ଥିର ହୋଇଛି ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ରାଷ୍ଟ୍ରପତି ଗତ ରବିବାର ଦିନ ସୁରିନାମ ପହଂଚିଥିଲେ । ସୁରିନାମର ରାଜଧାନୀ ପାରାମାରିବୋ ସ୍ଥିତ ଜୋହା ଏଡଲଫ ପେଙ୍ଗେଲ ଏୟାରପୋର୍ଟରେ ରାଷ୍ଟ୍ରପତି ସନ୍ତୋଖୀ ତାଙ୍କୁ ରାଜକୀୟ ସମ୍ମାନ ସହିତ ସ୍ୱାଗତ କରିଥିଲେ ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ସୁରିନାମରେ ମଧ୍ୟ ଭାରତ ଭଳି ଅନେକ ଜାତି, ଧର୍ମ ଓ ଭାଷା କହୁଥିବା ଲୋକ ମାନେ ବସବାସ କରିଥାନ୍ତି । ଭାରତ ଓ ସୁରିନାମ ମଧ୍ୟରେ ବନ୍ଧୁତ୍ୱର ଆଧାର ହେଉଛି ଐତିହାସିକ ଓ ଗଭୀର ସାଂସ୍କୃତିକ ସମ୍ପର୍କ । ହେଲେ ଉଭୟ ଦେଶ ମଧ୍ୟରେ ଯେତେ ବାଣିଜ୍ୟ ହେବାର କ୍ଷମତା ରହିଛି, ତା ଠାରୁ ଢେର କମ ବାଣିଜ୍ୟ ହେଉଛି । ତେଣୁ ଉଭଯ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ବଢାଇବାର ଆବଶ୍ୟକତା ରହିଛି । ତେଣୁ ଉଭୟ ଦେଶ ମଧ୍ୟରେ ସହଯୋଗ ମଧ୍ୟ ଆବଶ୍ୟକ । ପ୍ରତିରକ୍ଷା, ଆୟୁର୍ବେଦ ଓ ଫାର୍ମା ଆଦି କ୍ଷେତ୍ରରେ ସହଯୋଗକୁ ଆହୁର ବଢାଯିବାର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଭାରତ ଟେକ୍ନୋଲଜୀ କ୍ଷେତ୍ରର ସହଯୋଗ ବଢାଇବା ଓ ମାନବ ସମ୍ବଳର ଦକ୍ଷତା ବୃଦ୍ଧି କରିବାକୁ ସଂକଳ୍ପବଦ୍ଧ । ଭାରତ କ୍ୱିକ୍ ଇମ୍ପାକ୍ଟ ପ୍ରଜେକ୍ଟ ଗୁଡିକୁ ପ୍ରୋତ୍ସାହନ ଦେଇ ସୁରିନାମର ସାମାଜିକ- ଆର୍ଥିକ ବିକାଶର ଭାଗିଦାର ହେବାକୁ ପ୍ରସ୍ତୁତ ।

Leave a Reply

Your email address will not be published. Required fields are marked *