ସତ୍ୟେନ୍ଦ୍ର ଜୈନ ଭିଡିଓ ଭାଇରାଲ ପାର୍ଟ ୪

Spread the love

ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅୟସ ଆରାମର ଗୋଟିଏ ପରେ ଗୋଟିଏ ଭିଡ଼ିଓ ପଦାକୁ ଆସିବାରେ ଲାଗିଛି। ଆଗ ମାଲିସ୍ ପରେ ମିଲ୍ସ ଏବଂ ଜେଲ୍ ସୁପରିଣ୍ଟେଣ୍ଡଣ୍ଟଙ୍କ ସହ ମିଟିଂ କରୁଥିବା ଭିଡିଓ ଭାଇରାଲ୍ ପରେ ଏବେ ସତ୍ୟେନ୍ଦ୍ରଙ୍କୁ ସେଲ ଭିତରେ ୧୦ କର୍ମଚାରୀ ସେବା କରୁଥିବା ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ଆପକୁ ଟାର୍ଗେଟ କରିଛି ଭାଜପା। ଟ୍ୱିଟରରେ ସତ୍ୟେନ୍ଦ୍ରଙ୍କୁ ସୁଲତାନ ବର୍ଣ୍ଣନା କରି ଆପକୁ ଟାର୍ଗେଟ କରିଛି ବିଜେପି।

ତିହାର ଜେଲ ଭିତରୁ ଆସୁଛି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗୋଟିଏ ପରେ ଗୋଟିଏ ସିସିଟିଭି ଫୁଟେଜ। ପ୍ରଥମେ ଜେଲ ଭିତରେ ବଡି ମସାଜ୍, ଆଉ ତା’ପରେ ରେଷ୍ଟୁରାଣ୍ଟର ଖାଦ୍ୟ ଏବଂ ଗତକାଲି ଜେଲ୍ ସୁପରିଣ୍ଟେଣ୍ଡଣ୍ଟଙ୍କ ସହ ମିଟିଂ କରୁଥିବା ଭିଡିଓ ଭାଇରାଲ୍ ହେବା ପରେ ଆଉ ଏବେ ସତ୍ୟେନ୍ଦ୍ରଙ୍କୁ ସେଲ ଭିତରେ ୧୦ କର୍ମଚାରୀ ସେବା କରୁଥିବା ଭିଡିଓ ସାମ୍ନାକୁ ଆସିଛି। ଭିଡିଓକୁ ବିଜେପି ଶେୟାର କରି ପୁଣିଥରେ ଆପକୁ ଟାର୍ଗେଟ କରିଛି। ଭିଡିଓରେ କିଛି କର୍ମଚାରୀ ସତ୍ୟେନ୍ଦ୍ରଙ୍କ ସେଲ ଭିତରେ ସଫାସୁତୁରା କରୁଥିବା ଦେଖିବାକୁ ମିଳିଛି। ଦୁଇ ଜଣ ତଳେ ପୋଛା ମାରୁଥିବାବେଳେ ଆଉ ଦୁଇ ଜଣ ସତ୍ୟେନ୍ଦ୍ରଙ୍କ ବେଡର ଚାଦର ବଦଳାଉଛନ୍ତି। କେବଳ ସେତିକି ନୁହେଁ ବ୍ୟାରକରେ ପଡିଥିବା କାରପେଟକୁ ବି ବଦଳାଯାଉଛି। ବିଜେପି ନେତା ହରିଶ ଖୁରାନା ଭିଡିଓ ସେୟାର କରି ଲେଖିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କ ଲାଠ୍ ସାହେବଙ୍କୁ ଦେଖ! ଜେଲରେ ୧୦ ଜଣ କର୍ମଚାରୀ ତାଙ୍କ ସେବା କରୁଛନ୍ତି।

 ସେପଟେ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ବିଜେପି ପକ୍ଷରୁ ଟ୍ୱିଟ କରି ପୋଷ୍ଟର ୱାର କରାଯାଇଛି। ଟ୍ୱିଟରରେ ଜୋର ଧରିଛି ଆପ୍ ବିରୋଧି ଟ୍ରେଣ୍ଡିଂ। ସତ୍ୟେନ୍ଦ୍ରଙ୍କ ଫଟୋକୁ ନକଲ କରି ଟ୍ୱିଟରରେ ତାଙ୍କୁ ସୁଲତାନ ଭାବରେ ଦର୍ଶାଯାଇଛି। ଅନ୍ୟପଟେ ଭାଇରାଲ ଭିଡିଓକୁ ନେଇ ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଆପକୁ ଟାର୍ଗେଟ କରି କହିଛନ୍ତି, ଭିଭିଆଇପି ସୁବିଧା ଦେବା ପାଇଁ ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ନିମନ୍ତେ ୮-୧୦ ଜଣ ଲୋକଙ୍କୁ ନିଯୁକ୍ତି କରାଯାଇଛି। ତିହାର ଜେଲରେ ଆପ୍ ଦରବାର ପରେ ଏବେ ରୁମ୍ ସର୍ଭିସ ଓ ହାଉସ କିପିଙ୍ଗ ସେବା ଯୋଗଇ ଦିଆଯାଇଛି। ସତ୍ୟେନ୍ଦ୍ର ଜେଲର ଚାରି କାନ୍ଥ ଭିତରେ ନୱାବ ସେବା ଉପଲବ୍ଧ କରୁଥିବା ପୁନାୱାଲ ଅଭିଯୋଗ କରିଛନ୍ତି। ପୁନାୱାଲ ଆପ୍ ସରକାରଙ୍କୁ ନିନ୍ଦା କରିବା ସହ ଆପଙ୍କୁ ଭ୍ରଷ୍ଟାଚାରର ଦରବାର ବୋଲି ବର୍ଣ୍ଣନା କରିବା ସହ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ଦାବି କରିଛନ୍ତି।

ଅନ୍ୟପଟେ ସତ୍ୟେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ଭାଜପାକୁ କଡା ଜବାବ ଦେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ବିଜେପିକୁ ସମାଲୋଚନା କରି କେଜ୍ରିୱାଲ କହିଛନ୍ତି, ବିଜେପି ଦିଲ୍ଲୀକୁ ଗ୍ୟାରେଣ୍ଟି ଦେଇଛି ଯେ ପ୍ରତ୍ୟେକ ୱାର୍ଡରେ ଭିଡିଓ ଦୋକାନ ଖୋଲିବ। କାରଣ ବିଜେପି ବର୍ତ୍ତମାନ ଭିଡିଓ ତିଆରି କମ୍ପାନୀରେ ପରିଣତ ହୋଇଛି। ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ଦିଲ୍ଲୀ ନଗର ନିର୍ବାଚନରେ ଆପକୁ ଦୁର୍ବଳ କରିବାକୁ ଚାହୁଁଛି ଭାଜପା। ଗୁଜରାଟ ଏବଂ ଦିଲ୍ଳୀରେ ଆପର ଲୋକପ୍ରିୟତାକୁ ସହିପାରୁନି ଭାଜପା। ଯେଉଁଥିପାଇଁ ଭାଜପା ଗୋଟେ ପରେ ଗୋଟେ ସତ୍ୟେନ୍ଦ୍ରଙ୍କ ଭିଡିଓ ଅପଲୋଡ୍ କରି ଆକ୍ରମଣାତ୍ମକ ହୋଇଉଠୁଛି। 

Leave a Reply

Your email address will not be published. Required fields are marked *