ରାଷ୍ଟ୍ରପତିଙ୍କ ଭାବାବେଗକୁ ବୁଝିଲେ ସର୍ବୋଚ୍ଚ ନ୍ୟାୟାଳୟ

Spread the love

ନୂଆଦିଲ୍ଲୀ:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାବପୂର୍ଣ୍ଣ ଭାଷଣ ନ୍ୟାୟପାଳିକାକୁ ଦୋହଲାଇ ଦେଇଛି। ରାଷ୍ଟ୍ରପତିଙ୍କ ଭାଷଣ ଆଧାରରେ ଆକ୍ସନ ମୋଡକୁ ଆସିଛନ୍ତି ସୁପ୍ରିମକୋର୍ଟ। ନଭେମ୍ବର ୨୯ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଦେଶରେ ଥିବା ସମସ୍ତ ଜେଲ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିଛନ୍ତି। ଆସନ୍ତା ୧୫ ଦିନ ଭିତରେ ଜବାବ ରଖିବାକୁ କୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି। ଭାରତୀୟ ଜେଲରେ ଜାମିନ ସତ୍ତ୍ବେ କେତେ କଏଦୀ ଅର୍ଥାଭାବରୁ ଜେଲର ଚାରିକାନ୍ଥ ଭିତରେ ସଢୁଛନ୍ତି ତାହା ଜାଣିବାକୁ ଚାହିଁଛନ୍ତି ନ୍ୟାୟପାଳିକା।

ରାଷ୍ଟ୍ରପତିଙ୍କ ଭାଷଣକୁ ନେଇ ହଇଚଇ। ସୁପ୍ରିମକୋର୍ଟ ମଧ୍ୟ ଚିନ୍ତାରେ। ଆକ୍ସନ ମୋଡରେ ସର୍ବୋଚ୍ଚ ନ୍ୟାୟାଳୟ।  ଜାମିନ ସତ୍ତ୍ବେ ଅର୍ଥାଭାବରୁ କେତେ କଏଦୀ ଭାରତୀୟ ଜେଲର ଚାରିକାନ୍ଥ ଭିତରେ ସଢୁଛନ୍ତି ତାହା ଜାଣିବାକୁ ଚାହିଁଛନ୍ତି କୋର୍ଟ। ତେଣୁ ଦେଶବ୍ୟାପୀ ଛୋଟ ବଡ ସବୁ ଜେଲରେ କେତେ କଏଦୀ ଏହି ଶ୍ରେଣୀରେ ଅଛନ୍ତି ତାର ସବିଶେଷ ତଥ୍ୟ ମଗାଯାଇଛି ଜେଲ ଅଧିକାରୀଙ୍କୁ। ନଭେମ୍ବର ୨୯ରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶନାମା ଜାରି କରି ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ତଲବ କରିଛନ୍ତି। କାରଣ ଏହି ପ୍ରସଙ୍ଗକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦେଶର ପ୍ରଥମ ନାଗରିକ।

ରାଷ୍ଟ୍ରପତିଙ୍କ ଟିପ୍ପଣୀ ପରେ ସୁପ୍ରିମକୋର୍ଟ ମଧ୍ୟ ଏପରି ଲୋକଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି, ଯେଉଁମାନଙ୍କୁ ଜାମିନ ମିଳିଯାଇଛି, କିନ୍ତୁ ଜାମିନ ବଣ୍ଡ ଭରିବାକୁ ବା କୋର୍ଟଙ୍କ ନିକଟରେ ମୁଚାଲିକା ରାଶି ଦାଖଲ କରିବାରେ ସକ୍ଷମ ନୁହଁନ୍ତି। ସେଥିପାଇଁ ଜେଲ ବାହାରକୁ ବାହାରି ପାରୁ ନାହାନ୍ତି ବହୁ ସଂଖ୍ୟାରେ କଏଦୀ। ଏହାକୁ ନେଇ କୋର୍ଟ କହିଛନ୍ତି କି, ଅଭିଯୁକ୍ତଙ୍କୁ ଜାମିନ ଦେବା ଏକ ନିୟମିତ ପ୍ରକ୍ରିୟା। ତେଣୁ ଜେଲ ଆଇନ ସେବା ପ୍ରାଧିକରଣ (ଜେଏଲଏସଏ) ଏହା ଉପରେ କୌଣସି ନିର୍ଯାସ ବାହାର କରିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ଜାମିନ ସର୍ତ୍ତ ପୂରା କରିବାକୁ ଅସମର୍ଥତା କାରଣରୁ ବର୍ଷ ବର୍ଷ ଧରି ଜେଲରେ ବନ୍ଦୀ ଥିବା ବିଚାରାଧୀନ କଏଦୀଙ୍କ ତାଲିକା ମାଗିଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଜାରି କରି କହିଛନ୍ତି କି, ରାଜ୍ୟ ସରକାର ୧୫ ଦିନ ଭିତରେ ଏକ ଚିଠା ପ୍ରସ୍ତୁତ କରି ଦାଖଲ କରନ୍ତୁ।

ଏଥିସହ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ଏନଏଲଏସଏ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ସେ ଆଇନ ସହାୟତା ସହିତ ସମସ୍ତ ସହାୟତା ପ୍ରଦାନ କରିବେ। କୋର୍ଟ ଆହୁରି କହିଛନ୍ତି କି, ସମସ୍ତ ଜେଲ ଏପରି ବିଚାରଧୀନ କଏଦୀଙ୍କ ବିସ୍ତୃତ ସୂଚନା ସହ ଏକ ସାରଣୀ ପ୍ରସ୍ତୁତ କରି  ରାଜ୍ୟ ସରକାର ଓ ରାଜ୍ୟ ବିଧିକ ସେବା ପ୍ରାଧିକରଣ ବା ଏସଏଲଏସଏ ନିକଟକୁ ପଠାନ୍ତୁ। ସେହିପରି କୋର୍ଟ ସଲିସିଟର ଜେନେରାଲଙ୍କୁ ରାଜ୍ୟଗୁଡିକଠାରୁ ଏକ ନିଶ୍ଚିତ ସାରଣୀ ମଗାନ୍ତୁ, ଯେଉଁଥିରେ କଏଦୀର ନାମ, ତାର ଅପରାଧ, ଜାମିନର ତାରିଖ, ଅଭିଯୁକ୍ତ ଅସମର୍ଥ ଥିବା ସର୍ତ୍ତ, ଜାମିନ ପରଠାରୁ ଅଦ୍ୟାବଧି କେତେକାଳ ସେ ଜେଲରେ ଅଛନ୍ତି ସେସବୁକୁ ଉଲ୍ଲେଖ କରିବାକୁ କହିଛନ୍ତି ଖଣ୍ଡପୀଠ।

ଏହି ଘଟଣାରେ ଜଷ୍ଟିସ କୌଲ ମାନିଛନ୍ତି କି, ଏପରି ଅନେକ ମାମଲା ଅଛି ଯେଉଁଠି ଜାମିନ ଦେବା ପରେ ମଧ୍ୟ କଏଦୀ ମୁଚାଲିକା ଅର୍ଥ ପୂରା ନ କରିବା କାରଣରୁ ଜେଲରେ ସଢୁଛନ୍ତି। ତେବେ ଦିଲ୍ଲୀରେ ଏପରି ମାମଲାର ସଂଖ୍ୟା କମ ଥିବା ଜଷ୍ଟିସ କୌଲ ଅନୁଭବ କରିଥିବା ବେଳେ, କିନ୍ତୁ ଯେଉଁ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ରହିଛି ସେଠାରେ ଏହି ସ୍ଥିତି ଅଧିକ ଉତ୍କଟ ରହିଛି ବୋଲି କହିଛନ୍ତି। ଏହାକୁ ନେଇ ଜଷ୍ଟିସ ଓକା ନିଜ ମତରେ କହିଛନ୍ତି, ଏହି ମୁଦ୍ଦାର ସମାଧାନ ପାଇଁ ଏକମାତ୍ର ଉପାୟ ଜମାନତ ସର୍ତ୍ତରେ ସଂଶୋଧନର ଦାବି କରାଯିବା, ଯାହା କଏଦୀଙ୍କ ଦ୍ବାରା ପୂରା କରିବା ଅସମ୍ଭବ। ଶୁଣାଣି କାଳରେ ଏପରି କଏଦୀଙ୍କ ସୂଚିକୁ ନେଇ ଏମିକସ କ୍ୟୁରି କୋର୍ଟଙ୍କୁ ଜଣାଇଥିଲେ କି, କର୍ଣ୍ଣାଟକ ଆଇନ ସେବା ପ୍ରାଧିକରଣ ସୂଚିତ କରିଛି ଯେ, କର୍ଣ୍ଣାଟକରେ ସମସ୍ତ ୫୨ ଜେଲରେ ଇ-ଜେଲ ମଡ୍ୟୁଲ ଲାଗୁ କରାଯାଇଛି।

ଅନ୍ୟ ରାଜ୍ୟରେ ମଧ୍ୟ ସମାନ ମଡ୍ୟୁଲ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ପରାମର୍ଶ ଉପରେ ଖଣ୍ଡପୀଠ କହିଛନ୍ତି କି, କର୍ଣ୍ଣାଟକରେ ଆଇନ ସହାୟତା ସୂଚନା ମଡ୍ୟୁଲ ସମ୍ଭବ ନଥିଲା। ଏହା ଏନଏଏଲଏସଏ ସହ ହୋଇଥିବା ବୈଠକର ପରିଣାମ। କିଛି ମହତ୍ବପୂର୍ଣ୍ଣ ବିଶେଷତାଗୁଡିକ ଥିବା ଇ-ଜେଲ ମଡ୍ୟୁଲ ଫଳପ୍ରଦ ତତ୍ବାବଧାନକୁ ସକ୍ଷମ କରିବ। ଇ-ଜେଲ ପୋର୍ଟାଲରେ ଏହା ରହିଛି। ତେଣୁ ଏମିକସଙ୍କ ପରାମର୍ଶକୁ ଗୁରୁତ୍ବାରୋପ କରିଛନ୍ତି କୋର୍ଟ।

 ଗତ ସମ୍ବିଧାନ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଅର୍ଥାଭାବରୁ ଜେଲରେ କାଳାତିପାତ କରୁଥିବା ଗରିବ ଓ ଆଦିବାସୀ କଏଦୀଙ୍‌କ ପାଇଁ ଚିନ୍ତାବ୍ୟକ୍ତ କରିଥିଲେ। ନଭେମ୍ବର ୨୬ ସମ୍ବିଧାନ ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଝାରଖଣ୍ଡ ବ୍ୟତୀତ ତାଙ୍କ ଗୃହ ରାଜ୍ୟ ଓଡିଶାର ଗରିବ ଆଦିବାସୀଙ୍କ ଦୁର୍ଦ୍ଦଶା ଉପରେ ଆଲୋକପାତ କରିଥିଲେ। ରାଷ୍ଟ୍ରପତିଭାବେ ଦାୟିତ୍ବ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ସମ୍ବିଧାନ ଦିବସ ସମ୍ବୋଧନ ଥଲା। ତାଙ୍କର ଇଂରାଜୀ ଲିଖିତ ଭାଷଣକୁ ପଛରେ ପକାଇ ସେ ହିନ୍ଦୀରେ ଆଭିଭାଷଣ ଦେଇ ନ୍ୟାୟପାଳିକାଙ୍କୁ ଗରିବ ଆଦିବାସୀଙ୍କ ପାଇଁ କିଛି କରିବାକୁ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ କି, ଦୁର୍ଦ୍ଦାନ୍ତ ଅପରାଧୀ ମୁକ୍ତ ହୋଇ ଯାଉଥିବା ବେଳେ ଗରିବ ବନ୍ଦୀ, ଯିଏ କାହାକୁ ଚାପୁଡା ମାରିବା କାରଣରୁ ଜେଲ ଯାଇଛନ୍ତି, ତାଙ୍କୁ କିନ୍ତୁ ବର୍ଷ ବର୍ଷ ଧରି ଜେଲରେ ରହିବାକୁ ପଡୁଛି। ଏହି ସମୟରେ ମଞ୍ଚରେ ରାଷ୍ଟ୍ରପତିଙ୍କ ସହ ସିଜେଆଇ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏସ କେ କୌଲ ମଧ୍ୟ ଉପସ୍ଥିତ ଥିଲେ।

ଶିଳାସ୍ମିତା ରାୟ

Leave a Reply

Your email address will not be published. Required fields are marked *