୮ ଘଣ୍ଟାରେ ୨ ଆତଙ୍କୀ ଆକ୍ରମଣ

Spread the love

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗ ସ୍ଥିତ ବିଜବେହରା ଥାନା ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଆତଙ୍କବାଦୀଙ୍କ ଦ୍ୱାରା ପୁଲିସ ଓ ସିଆରପିଏଫ ଟିମ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ପୁଲିସ କର୍ମୀ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କୀଙ୍କୁ ଧରିବାକୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ନେଇଛି ସେନା। ଗତ ୮ ଘଣ୍ଟା ଭିତରେ ଏହା ଦ୍ୱିତୀୟ ଆତଙ୍କୀ ଆକ୍ରମଣ ଥିବା ସୂଚନା ରହିଛି।
ଶୁକ୍ରବର କାଶ୍ମୀର ପୁଲିସର ଟ୍ୱିଟର ହ୍ୟାଣ୍ଡେଲର ସୂଚନା ଅନୁଯାୟୀ ଅନନ୍ତନାଗର ବିଜବେହରା ଅଞ୍ଚଳରେ ଆତଙ୍କବାଦୀମାନେ ପୁଲିସ ଓ ସିଆରପିଏଫ ପୋଷ୍ଟ ଉପରେ ଫାୟାରିଂ କରିଦେଇଥିଲେ। ଏଥିରେ ଜଣେ ପୁଲିସ କର୍ମୀଙ୍କ ଦେହରେ ଗୁଳି ବାଜିଛି। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଞ୍ଚଳକୁ ସୁରକ୍ଷାବଳ ଘେରାବନ୍ଦୀ କରି ନେଇଛନ୍ତି।
ସୂଚନା ଅନୁଆୟୀ, ବିଜବେହରା ଆକ୍ରମଣରେ ସେଠାକାର ଥାନଅଧିକାରୀ ଆହତ ହୋଇଛନ୍ତି, ଯିଏ କୁରକାଦଲ, ବିଜବେହରାରେ ନିଯୁକ୍ତ ଥିଲେ। ତାଙ୍କୁ ଏସଡିଏଚ ବିଜବେହରାକୁ ସ୍ଥାନାନ୍ତର କରାଯାଇଛି।
ଘାଟିରେ ଆତଙ୍କବାଦୀ ଗତିବିଧି ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ପଟେ ଟାର୍ଗେଟ କିଲିଙ୍ଗ ତ ଅନ୍ୟ ପଟେ ସୁରକ୍ଷା ବଳଙ୍କ ଉପରେ ଆକ୍ରମଣ ବଢିଚାଲିଛି। ଶୁକ୍ରବାର ଭୋର ସମୟରେ ବାନ୍ଦିପୋରାର ଅଜସ ତହସିଲର ସଦୁନାରା ଗାଁରେ ଆତଙ୍କବାଦୀ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାରି ହତ୍ୟା କରିଥିଲେ। ମୃତକ ଜଣକ ବାହାର ନିବାସୀ, ୧୦ ମାସ ଭିତରେ ବିହାରର ୭ ଜଣଙ୍କୁ କାଶ୍ମୀରରେ ହତ୍ୟା କରିଛନ୍ତି ଆତଙ୍କବାଦୀ। ସେପଟେ, ଟାର୍ଗେଟ କିଲିଂ ପାଇଁ ସରକାରୀ କର୍ମଚାରୀ ଓ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ରହିଛି ଭୟର ବାତାବରଣ।

Leave a Reply

Your email address will not be published. Required fields are marked *