ମୁଖ୍ୟମନ୍ତ୍ରୀ ବାଛିବାକୁ ସିମଲାରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

Spread the love

ସିମଲା: ହିମାଚଳ ପ୍ରଦେଶରେ ସରକାର ଗଢିବାକୁ କଂଗ୍ରେସର ବୈଠକ। ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାନସଭାର ୬୮ ସିଟରୁ ୪୦ ସିଟ ହାସଲ କରିବା ପରେ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ତେଣୁ ସିମଲାରେ ପହଞ୍ଚିଛନ୍ତି ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡାଙ୍କ ଉପସ୍ଥିତିରେ ବିଧାୟକମାନଙ୍କ ସହ ବୈଠକ କରି କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ତା ଉପରେ ଚର୍ଚ୍ଚା ହେବ। ତେବେ ଫଳାଫଳ ପ୍ରକାଶ ପାଇବା ପରଠାରୁ ହିମାଚଳ କଂଗ୍ରେସର ଅଧ୍ୟକ୍ଷ ପ୍ରତିଭା ସିଂହ ଓ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ମିଡିଆରେ ଅନେକ କିଛି କହିଚାଲିଛନ୍ତି।

ପ୍ରତିଭା ସିଂହ ମିଡିଆକୁ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ପଦ ରେସରେ ନାହାନ୍ତି, କିନ୍ତୁ କଣ ବୀରଭଦ୍ର ସିଂହଙ୍କ ପରିବାର ଓ ତାଙ୍କ ବଂଶଜଙ୍କୁ ଅଣଦେଖା କରାଯାଇପାରେ? ହିମାଚଳର ନିର୍ବାଚନ ଆମେ ସ୍ବର୍ଗତ ବୀରଭଦ୍ର ସିଂହଙ୍କ ନାମରେ ଜିତିଛୁ ବୋଲି କହିଛନ୍ତି ପ୍ରତିଭା।

ପ୍ରତିଭାଙ୍କ ବ୍ୟତିତ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂହ କହିଛନ୍ତି କି,  ଜଣେ ପୁଅ ଭାବେ ନିଜ ମା’ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହିଁବି। କିନ୍ତୁ ଏସମ୍ବନ୍ଧରେ ଚୂଡାନ୍ତ ନିଷ୍ପତ୍ତି କଂଗ୍ରେସ ବିଧାୟକମାନେ ଓ ପାର୍ଟିର ସର୍ବୋଚ୍ଚ କର୍ତ୍ତା ନେବେ।  ସିମଲା ଗ୍ରାମୀଣ ସିଟରୁ ବିଜୟ ହାସଲ କରିଛନ୍ତି। ଉଭୟଙ୍କ ବୟାନ ମୁଖିଆଙ୍କ ନିଷ୍ପତ୍ତି ଓ ବିଧାୟକ ବୈଠକ ପୂର୍ବରୁ ଆସିଛି।

ଗୁରୁବାର ଗଣତି ସରୁ ସରୁ ପ୍ରତିଭା ସିଂହ ଗଣମାଧ୍ୟମକୁ କହିଥିଲେ କଂଗ୍ରେସର ଏହି ବିଜୟ ସ୍ବର୍ଗତ ବୀରଭଦ୍ର ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ଆପଣମାନେ ତାଙ୍କୁ ଓ ତାଙ୍କ ପରିବାରକୁ ଅଣଦେଖା କରି ପାରିବେ ନାହିଁ। ବୀରଭଦ୍ର ସିଂହଙ୍କର କୌଣସି ପ୍ରତିଦ୍ବନ୍ଦ୍ବୀ ହୋଇପାରିବେ ନାହିଁ। ତାଙ୍କୁ ସମ୍ମାନ ଜଣାଇ ଲୋକେ କଂଗ୍ରେସକୁ ଭୋଟ ଦେଇଛନ୍ତି। ଏପରି କ୍ଷେତ୍ରରେ ପାର୍ଟିକୁ ଲୋକଙ୍କ ଭାବନାକୁ ସମ୍ମାନ ଦେବାକୁ ହେବ।

ସେପଟେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଭା ସିଂହଙ୍କୁ ବରିଷ୍ଠ ଦାବିଦାର ବୋଲି ମଧ୍ୟପ୍ରଦେଶର ଜଣେ ବରିଷ୍ଠ ନେତା କହିଛନ୍ତି। ସେ କହିଛନ୍ତି, ଭାରତ ଯୋଡ ଯାତ୍ରା କାଳରେ ପ୍ରତିଭା ସିଂହ ଓ ତାଙ୍କ ପୁଅ ବିକ୍ରମାଦିତ୍ୟ ସିଂ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ମହୁ ପହଞ୍ଚିଥିଲେ। ସେଠାରେ ପ୍ରତିଭା ସିଂହ ରାହୁଲଙ୍କୁ ନିର୍ବାଚନ ସମ୍ବନ୍ଧରେ ସଂକ୍ଷେପରେ ଓ ବିଜେପିକୁ କିପରି ମାତ ଦେଇ ହେବ ତାକୁ ନେଇ ବିସ୍ତୁତ ସୂଚନା ଦେଇଥିଲେ ତଥା ହିମାଚଳରେ କଂଗ୍ରେସର ବିଜୟ ନିଶ୍ଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।

ତେବେ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ସୁଖବିନ୍ଦର ସିଂହ ସୁକ୍ଖୁ ଓ କଂଗ୍ରେସ ବିଧାୟକ ଦଳର ପୂର୍ବତନ ନେତା ମୁକେଶ ଅଗ୍ନିହୋତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦୌଡରେ ରହିଛନ୍ତି। ଦୁଇ ନେତା ପ୍ରିୟଙ୍କା ଗାନ୍ଧୀଙ୍କର ନିକଟତମ ଭାବେ ପରିଚିତ। ଅଗ୍ନିହୋତ୍ରୀ ବ୍ରାହ୍ମଣ ସମାଜରୁ ଆସିଥିବା ବେଳେ ସୁକ୍ଖୁ ଠାକୁର ସମ୍ପ୍ରଦାୟରୁ ଆସିଛନ୍ତି।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବୈଠକ ବସିବାକୁ ଥିବା ବେଳେ କିନ୍ତୁ ଦଳର ବିଧାୟକଙ୍‌କ ମଧ୍ୟରେ ପାର୍ଥକ୍ୟ ଦେଖାଦେବାକୁ ନେଇ ଚର୍ଚ୍ଚା ହେଉଛି। ଅପରେଶନ ଲୋଟସ ଆଶଙ୍କା ମଧ୍ୟରେ ବିଧାୟକମାନଙ୍କୁ କୌଣସି ଅନ୍ୟ ରାଜ୍ୟକୁ ପଠାଯିବାର ସମ୍ଭାବନା ରହିଛି। ଏସମ୍ପର୍କରେ ପ୍ରତିଭା ସିଂହ କହିଛନ୍ତି କି, କାହିଁ ଅନ୍ୟ କେଉଁ ରାଜ୍ୟକୁ ଯିବେ? ଏଠାରେ କେଉଁ ବିପଦ ରହିଛି? ବିଧାୟକମାନଙ୍କୁ ଜନତା ବାଛିଛି। ସେମାନେ ଦାୟିତ୍ବବାନ। ସେମାନେ ଅନ୍ୟର ପ୍ରରୋଚନାରେ ଆସିବେ ନାହିଁ।

ପ୍ରତିଭା ସିଂହଙ୍କୁ ସୋନିଆଙ୍କ ନିକଟତର ବୋଲି କୁହାଯାଇଥାଏ। ତାଙ୍କ ସ୍ବାମୀ ବୀରଭଦ୍ର ସିଂହ ହିମାଚଳ ପ୍ରଦେଶରେ ୬ ଥର ମୁଖ୍ୟମନ୍ତ୍ରୀ ରହିଥିଲେ। ୨୬ ଏପ୍ରିଲକୁ  ତାଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *