ଆର୍ଥିକ ଦୁର୍ବଳ ବର୍ଗଙ୍କ ଆରକ୍ଷଣର କି ଆବଶ୍ୟକତା ରହିଛି

() ଆର୍ଥିକ ଦୁର୍ବଳ ବର୍ଗଙ୍କ ଲାଗି ସରକାରୀ ଚାକିରୀ ଓ ଉଚ୍ଚଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ନେଇଥିଲା କେନ୍ଦ୍ର। ୨୦୧୯ରେ ଏହା ଉପରେ ମୋହର ମାରିଥିଲା। ଆଉ ଏହା ଉପରେ ସେପ୍ଟେମ୍ୱର ୨୭ରେ ସୁପ୍ରିମକୋର୍ଟ ଶୁଣାଣୀ ଶେଷ କରିଥିଲେ। ସମ୍ୱିଧାନର ୧୦୩ତମ ଆକ୍ଟର ସଂଶୋଧନର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଜନହିତ ଅଭିଯାନ ନାମକ ଏନଜିଓ। ତେବେ ପୁରା ଘଟଣାକ୍ରମ କେମିତି, ଆସନ୍ତୁ ନଜର ପକାଇଦେବା ଏହି ରିପୋର୍ଟରେ।

ଏସସି, ଏସଟି ଓ ପଛୁଆ ବର୍ଗଙ୍କୁ ବାଦ୍ ଦେଇ ସାଧାରଣ ବର୍ଗରେ ଥିବା ଆର୍ଥିକ ଦୁର୍ବଳ ବର୍ଗଙ୍କ ଲାଗି ସରକାରୀ ଚାକିରୀ ଓ ଉଚ୍ଚଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ୨୦୧୯ରେ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର। ଏଥିଲାଗି ସମ୍ୱିଧାନର ୧୦୩ତମ ଆକ୍ଟରେ ସଂଶୋଧନ ଅଣାଯାଇଥିଲା। କିନ୍ତୁ ଏହି ସଂଶୋଧିତ ନିୟମକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲା ଜନହିତ ଅଭିଯାନ ଓ ୟୁଥ୍ ଫର୍ ଇକ୍ୱାଲିଟି ନାମକ ଏନଜିଓ। କେବଳ ଆର୍ଥିକ ସ୍ଥିତି ହିଁ ସଂରକ୍ଷଣର ଏକମାତ୍ର ଆଧାର ବୋଲି ବିବେଚନା କରାନଯାଉ କହି ଚ୍ୟାଲେଞ୍ଜ କରିଥିଲା କୋର୍ଟରେ। ଆଟର୍ଣ୍ଣି ଜେନେରାଲ କେକେ ବେନୁଗୋପାଳ ବି କେତେକ ସାମ୍ୱିଧାନିକ ପ୍ରଶ୍ନ ଉଠାଇଥିଲେ। ଆର୍ଥିକ ସ୍ୱଛଳତା ନଥିବା ବର୍ଗକୁ କେଉଁ ଆଧାରରେ କେମିତି ବାଛିବ ରାଜ୍ୟ।

୧୦୩ତମ ସଂଶୋଧିତ ଆକ୍ଟ ସମ୍ୱିଧାନର ମୂଳ ବ୍ୟବସ୍ଥାରେ ବିଶୃଙ୍ଖଳା କରିବନି ତ। ଘରୋଇ ଅଣ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ନାଁ ଲେଖାଇବାକୁ ଏହି ସଂଶୋଧିତ ଆକ୍ଟ ବଳରେ ରାଜ୍ୟ ସରକାରଙ୍କୁ ଅନୁମତି ମିଳିଲେ ସଂରକ୍ଷଣ ସୀମା ବଢ଼ିଯିବନି ତ। ଏଭଳି ସଂରକ୍ଷଣ ନିୟମ ଲାଗୁ ହେଲେ ଏସସି, ଏସଟି ଓ ପଛୁଆବର୍ଗଙ୍କ ଭିତରେ ଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କ ଉପରେ ବାଧା ଉପୁଜିବନି ତ। ସେପଟେ କେନ୍ଦ୍ର ଆଣିଥିବା ସଂଶୋଧିତ ନିୟମରେ ସରକାରୀ ଚାକିରୀ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଇଡବ୍ଲୁଏସଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ କରିବାକୁ ରାଜ୍ୟ ସରକାରଙ୍କୁ ବିଶେଷ ଅଧିକାର ଦେଇଛି କେନ୍ଦ୍ର। ଆବେଦନକାରୀ କୋର୍ଟରେ ଯୁକ୍ତି ବାଢ଼ିଥିଲେ କି,  ଇନ୍ଦିରା ସାହନିଙ୍କ ନିଷ୍ପତ୍ତିର ଏହା ବିରୁଦ୍ଧାଚରଣ କରୁଛି।

୧୯୯୨ରେ ଇନ୍ଦିରା ସାହନି ରାୟ ଦେଇଥିଲେ କି, ଆର୍ଥିକ ମାନଦଣ୍ଡ ଆଧାରରେ କୌଣସି ସଂରକ୍ଷଣ ହୋଇପାରିବନି। ୨୦୧୯ରେ କର୍ଣ୍ଣାଟକ ଓ ତାମିଲନାଡୁରେ ଇଡବ୍ଲୁଏସ କ୍ୟାଟେଗୋରୀଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ପାଇଁ ସରକାରଙ୍କୁ ନିର୍ଦେଶ ଦେବାକୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। କେନ୍ଦ୍ରକୁ ବି ଏହି ସନ୍ଦର୍ଭରେ ନୋଟିସ୍ ଜାରି ହୋଇଥିଲା। ଯାଚିକାରେ କୁହାଯାଇଥିଲା, ନା ତାମିଲନାଡୁ ନା କର୍ଣ୍ଣାଟକ ସରକାର ଏହି ସଂଶୋଧନ ପ୍ରସ୍ତାବକୁ ଲାଗୁ କଲେ। ଏସସି, ଏସଟି, ଓବିସିଙ୍କ ଲାଗି ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ତାମିଲନାଡୁ ସରକାର ୬୯ ପ୍ରତିଶତ ସଂରକ୍ଷଣ କରିଛନ୍ତି ତ କର୍ଣ୍ଣାଟକରେ ୭୦ ପ୍ରତିଶତ ସଂରକ୍ଷଣ ରଖିଛି।

୨୦୨୦ରେ ପାଞ୍ଚ ଜଣିଆ ଖଣ୍ଡପୀଠକୁ ଏହାର ବିଚାର ଲାଗି ପଠାଯାଇଥିଲା। କେନ୍ଦ୍ର ତର୍କ କରିଥିଲା କି, ଇଡବ୍ଲୁଏସ ବର୍ଗଙ୍କୁ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ରାଜ୍ୟ ସରକାରଙ୍କୁ ବିଶେଷ ଅଧିକାର ଦିଆଯାଇଛି। ଗଲା ସେପ୍ଟେମ୍ୱରରେ କ୍ରମାଗତ ୭ ଦିନ ଧରି ମାରାଥନ ଶୁଣାଣୀ ଚାଲିଥିଲା ସୁପ୍ରିମକୋର୍ଟରେ। କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଇଡବ୍ଲୁଏସଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ଅନ୍ୟ ବର୍ଗଙ୍କ ସଂରକ୍ଷଣକୁ ପ୍ରଭାବିତ କରିବନି ବୋଲି ସ୍ପଷ୍ଟ କରିଥିଲା କେନ୍ଦ୍ର। କାରଣ ଅତିରିକ୍ତ ୨ ଲକ୍ଷରୁ ଅଧିକ ଆସନ ସୃଷ୍ଟି କରାଯାଇଛି ଆଉ ଏଥିଲାଗି ୪ ହଜାର ୩୧୫ କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି।

ସାମାଜିକ ନ୍ୟାୟ ଓ ଆଇନ ମନ୍ତ୍ରଣାଳୟ ଏହି ସତ୍ୟପାଠ ଦାଖଲ କରିଥିଲା ସୁପ୍ରିମକୋର୍ଟରେ। ତେବେ କେନ୍ଦ୍ରୀୟ ବୃତ୍ତି ବାବଦରେ ବି ଜାଣିବାକୁ ଚାହିଁଥିଲେ ସେତେବେଳେ ସୁପ୍ରିମକୋର୍ଟ। କାରଣ ପ୍ରାୟ ୮୨ହଜାର ସ୍କୋଲାରସିପ୍ କାର୍ଯ୍ୟକ୍ରମ କେନ୍ଦ୍ରୀୟ ଅନୁଷ୍ଠାନରେ ଜାରି ରହିଛି। ଏମାନଙ୍କୁ କେଉଁ ଆଧାରରେ ସଂରକ୍ଷଣ ମିଳୁଛି ବୋଲି ପଚାରିଥିଲେ ଅଦାଲତ। ଆଉ କେନ୍ଦ୍ର କହିଥିଲା କି, ଏହା ସରକାରଙ୍କର ନୀତିଗତ ନିଷ୍ପତ୍ତି। ଗରିବରୁ ଗରିବ ପିଲା ଯେଉଁ ବୃତ୍ତି ପାଉଛନ୍ତି, ସେଠାରେ ସଂରକ୍ଷଣ ମିଳୁଛି। କିନ୍ତୁ ଏହା କୌଣସି ସାମ୍ୱିଧାନିକ ସଙ୍କଟ କି ପ୍ରସଙ୍ଗ ନୁହେଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସ୍ପଷ୍ଟ କରିଥିଲେ ଅଦାଲତରେ। ଜାତିଭିତ୍ତିକ ଓ ଶ୍ରେଣୀଭିତ୍ତିକ ସଂରକ୍ଷଣକୁ ନେଇ ବି ଘମାସାନ ତର୍କ ହୋଇଥିଲା ସୁପ୍ରିମକୋର୍ଟରେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *