ଦୀପାବଳି ପରେ ଦିଲ୍ଲୀର ବାୟୁ ପ୍ରଦୂଷଣ ହାର ଅତିମାତ୍ରାରେ ବୃଦ୍ଧିପାଇଛି। ଅଧିକାଂଶ ଅଞ୍ଚଳରେ ବାୟୁର ମାନ ୩୭୦ ପାଖାପାଖି ଚାଲିଯାଇଛି। ଅନେକ ଅଞ୍ଚଳରେ ଦୃଶ୍ୟମାନ ବି କମ୍ ହୋଇଯାଇଛି। ଦିଲ୍ଲୀ, ନୋଏଡ଼ା, ଗୁରୁଗ୍ରାମ ଓ ଏନସିଆରରେ ବାୟୁ ପ୍ରଦୂଷଣର ହାର ଅତ୍ୟଧିକ ବୃଦ୍ଧି ପାଇଥିବାରୁ ଲୋକେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି।ଏଭଳି ହେବାର କାରଣ ହେଉଛି ବାଣ।ମାନିଲେନି କଟକଣାକୁ। ମନଇଛା ଯେତେ ପାରିଲେ ଫୁଟାଇଲେ ବାଣ।
ଦୀପାବଳିରେ ଦିଲ୍ଲୀବାସୀଙ୍କ ଏମିତି ଅମାନିଆର ପରିଣାମ ଯୋଗୁ ବାୟୁ ପ୍ରଦୂଷଣର ହାର ୪୦୦ ପାଖାପାଖି ଚାଲିଗଲା। ବିଳମ୍ୱିତ ରାତି ଯାଏ ଆତସବାଜି କାରଣରୁ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ଆଡ଼କୁ ଯାଇଛି। ଦିଲ୍ଲୀର ପବନ ବିଷ ହୋଇଯାଇଛି। ସିପିସିବି ବା ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଅନୁସାରେ ଦିଲ୍ଲୀରେ ଗଲା ୨୪ ଘଣ୍ଟା ଭିତରେ ବାୟୁ ପ୍ରଦୂଷଣର ହାର ୩୫୯ ଯାଏ ଛୁଇଁଛି। ଶୁକ୍ରବାର ସକାଳ ୬ଟା ସୁଦ୍ଧା ନେହେରୁ ନଗର, ଅଶୋକ ବିହାର, ଓଖଲାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୫୦ରୁ ୪୦୦ ଭିତରେ ରହିଲା। ଅଲିପୁର, ଚାନ୍ଦିନୀଚୌକ, ସୋନିୟା ବିହାର, ଦ୍ୱାରକା, ଆଇଜିଆଇ ଏୟାରପୋର୍ଟରେ ବାୟୁ ଗୁଣାବତ୍ତା ସୂଚକାଙ୍କ ୩୫୦ରୁ ୩୯୨ ଯାଏ ରେକର୍ଡ କରାଯାଇଛି। ଆନନ୍ଦବିହାରରେ ତ ଇଣ୍ଡେକ୍ସ ୭୦୦ ପାଖାପାଖି ପହଞ୍ଚିଥିଲା।
ଦୀପାବଳି ରାତିରେ ଆତସବାଜି କାରଣରୁ ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ସ୍ତର ବିପଜ୍ଜନକ ସ୍ତରକୁ ଚାଲିଯାଇଛି। ପିଏମ ୨.୫ ଓ ପିଏମ ୧୦ସ୍ତର ଅଧିକ ତଳକୁ ଖସିଯାଇଛି। ଦୀପାବଳି ରାତିରେ ଅନେକ ଜାଗାରେ ନିଆଁ ଲାଗିଛି। ଅଗ୍ନିଶମ ବିଭାଗକୁ ୩ଶହରୁ ଅଧିକ କଲ୍ ଆସିଥିଲା। ଦିଲ୍ଲୀରେ ଦୀପାବଳି ଉତ୍ସବରେ ବାଣ ଫୁଟା ଉପରେ ଲାଗିଥିଲା ବ୍ୟାନ୍। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାଏ ଘୋଷଣା ବି କରିଥିଲେ ଯେ, ଦିଲ୍ଲୀରେ ବାଣ ଫୁଟା ଉପରେ ପ୍ରତିବନ୍ଧକ ଲାଗିଛି। ଏହାକୁ କଡ଼ାକଡ଼ି ପାଳନ ଲାଗି ୩୭୭ ଟିମ୍ ବି ଗଠନ ହୋଇଥିଲା। ଅଧିକାରୀମାନେ ଲୋକଙ୍କୁ ସଚେତନ କରାଇବାକୁ ରେସିଡେଣ୍ଟ ଓ୍ୱେଲଫେୟାର ଆସୋସିଏସନ, ମାର୍କେଟ ସଂଘ ଓ ସାମାଜିକ ସଂଗଠନ ସହ ସମ୍ପର୍କରେ ରହିବେ। ବାଣ ଯେଭଳି କେହି ଫୁଟାଇବେନି, ତାକୁ ନିଶ୍ଚିତ କରିବାକୁ ଏ ସବୁ ଟିମ୍କୁ ଦାୟିତ୍ୱ ଦିଆଯାଇଥିଲା।
ସେପଟେ ବିରୋଧୀ ଦଳ କହିଛନ୍ତି, ଦିଲ୍ଲୀ ସରକାର ଦିଲ୍ଲୀବାସୀଙ୍କୁ ଭ୍ରମିତ କରିବାକୁ ଚାହୁଁଥିଲେ। ଦୀପାବଳିରେ ବାଣ ଫୁଟାଇବା ପାରମ୍ପରିକ ଉତ୍ସବ। କିନ୍ତୁ ଆପ୍ ସରକାର ଏଭଳି ପ୍ରତିବନ୍ଧକ ଲଗାଇ ଦିଲ୍ଲୀବାସୀଙ୍କୁ ଏଭଳି ପରମ୍ପରା ଓ ସଂସ୍କୃତିରୁ ବିରତ ରଖିବାକୁ ଉଦ୍ୟମ କରିଆସୁଛନ୍ତି। ବାୟୁ ପ୍ରଦୂଷଣ ନିହାତି ଚିନ୍ତାଜନକ ବିଷୟ। କିନ୍ତୁ ଆପ୍ ସରକାର ଗଲା ୧୦ ବର୍ଷରେ ଏହାକୁ ରୋକିବାକୁ କୌଣସି ଠୋସ୍ ପଦକ୍ଷେପ ନେଲେନି। ଦୀପାବଳି ପୂର୍ବରୁ ବାୟୁ ପ୍ରଦୂଷଣ ଯେତିକି ଥିଲା, ଦୀପାବଳି ପରେ ସେତିକି। ଏହି ପ୍ରଦୂଷଣ ଲାଗି ରାସ୍ତାର ଧୂଳି ହିଁ ଅଧିକ ଦାୟୀ। ଆପ୍ ସରକାର ହିଁ ଏଥିଲାଗି ଦାୟୀ। ପଲ୍ୟୁସନର ସଲ୍ୟୁସନ ବାହାର କରିପାରୁନଥିବା ଆପ୍ ସରକାର ହିନ୍ଦୁ ବିରୋଧୀ ମାନସିକତା ନେଇ ପରମ୍ପରାକୁ ଜଳାଞ୍ଜଳି ଦେବାକୁ ବାଧ୍ୟ କରୁଛନ୍ତି ଲୋକଙ୍କୁ। ସେପଟେ ପରିବେଶ ମନ୍ତ୍ରୀ କହିଛନ୍ତି, ଗଲା କିଛି ଦିନ ହେଲା ଦିଲ୍ଲୀର ବାୟୁ ଗୁଣାବତ୍ତା ସୂଚକାଙ୍କ ଅତି ଖରାପ ସ୍ତରରେ ପହଞ୍ଚିଛି। କିନ୍ତୁ ଏଥର ବାୟୁ ପ୍ରଦୂଷଣର ସ୍ତର ନିୟନ୍ତ୍ରଣରେ ରହିଛି। ସଚେତନ ନାଗରିକ ହିସାବରେ ଦିଲ୍ଲୀ ବାସିନ୍ଦା ବ୍ୟାପକସ୍ତରରେ ବାଣ ଫୁଟାଇନାହାନ୍ତି। ଲୋକଙ୍କ ମାନସିକତାରେ ପରିବର୍ତ୍ତନରୁ ଏହା ସମ୍ଭବ ହେଲା। ଆସନ୍ତାବର୍ଷରୁ ଏହାର ବିପଦକୁ ବୁଝି ଏହି ଅଭିଯାନରେ ଅଧିକରୁ ଅଧିକ ଲୋକେ ଯୋଡ଼ି ହେବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now