୨୦ ଟଙ୍କା ପାଇଁ ୨୨ ବର୍ଷର ଅଦାଲତି ଲଢ଼େଇ

Spread the love

ମାତ୍ର ୨୦ ଟଙ୍କା ପାଇଁ ଦୀର୍ଘ ୨୨ ବର୍ଷ ଅଦାଲତି ଲଢ଼େଇ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ଏହା ହିଁ ସତ । ମଥୁରାର ଜଣେ ଆଇନଜୀବିଙ୍କଠୁ ରେଳ ଷ୍ଟେସନରେ ଦୁଇଟି ଟିକଟ ବାବଦକୁ ଅଧିକ ୨୦ ଟଙ୍କା ଅସୁଲ କରିଥିବା ରେଳ ବିଭାଗକୁ ଏଥିଲାଗି ମହଙ୍ଗା ପଡ଼ିଛି। ତାଙ୍କଠାରୁ ୨୦ ଟଙ୍କା ବେଆଇନ ଭାବେ ରେଳ ବିଭାଗ ନେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରିଥିଲେ ଆଇନଜୀବି ଜଣକ। ଉପଭୋକ୍ତା ଫୋରମ ଏହାର ଶୁଣାଣୀ କରି ୨୦ ଟଙ୍କା ଉପରେ ବାର୍ଷିକ ୧୨ ପ୍ରତିଶତ ସୁଧ ହାରରେ ସଂପୃକ୍ତ ଆଇନଜୀବିଙ୍କୁ ଅର୍ଥରାଶି ଫେରସ୍ତ କରିବାକୁ ରାୟ ଦେଇଛନ୍ତି।

ଗଲି ପୀରପଞ୍ଚ୍ ହୋଲିଗେଟ ନିବାସୀ ଆଇନଜୀବି ତୁଙ୍ଗନାଥ ଚତୁର୍ବେଦୀ ଶେଷରେ ନ୍ୟାୟ ପାଇଛନ୍ତି ଅଦାଲତରୁ। ଡିସେମ୍ୱର ୨୫, ୧୯୯୯ର କଥା। ମଥୁରା ଛାଓ୍ୱନି ଷ୍ଟେସନରୁ ମଥୁରା ଯିବାକୁ ଦୁଇଟି ଟିକଟ କାଟିଥିଲେ। ଟିକଟର ଦାମ୍ ୩୫ ଟଙ୍କା ଥିଲା। କିନ୍ତୁ ଟିକଟ କାଉଣ୍ଟରରେ ଥିବା କର୍ମଚାରୀ ତାଙ୍କଠୁ ଦୁଇଟି ଟିକଟର ଦାମ୍ ୭୦ ଟଙ୍କା ବଦଳରେ ୯୦ ଟଙ୍କା ନେଇଥିଲେ। ୨୦ ଟଙ୍କା କାହିଁକି ଅଧିକ ନେଲ ବୋଲି ପଚାରିବାରୁ ନା କୌଣସି ସନ୍ତୋଷଜନକ ଉତ୍ତର ପାଇଲେ ନା ଟଙ୍କା ଫେରସ୍ତ ହେଲା। ଆଉ ଏହି ଅବୈଧ ଅସୁଲି ବିରୁଦ୍ଧରେ ଆଗ ଜିଲ୍ଲା ଉପଭୋକ୍ତା ଫୋରମରେ କେସ୍ କରିଥିଲେ ତୁଙ୍ଗନାଥ। ମାମଲାରେ ଗୋରଖପୁର ନର୍ଥ-ଇଷ୍ଟ ଜେନେରାଲ ମ୍ୟାନେଜର ଓ ମଥୁରା ଛାଓ୍ୱନି ଷ୍ଟେସନର ଉଇଣ୍ଡୋ କ୍ଲର୍କ ଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ପ୍ରାୟ ୨୧ ବର୍ଷ ଧରି ଏହି ମାମଲା ଚାଲିଥିଲା। ଆଉ ଶେଷରେ ଚଳିତ ମାସରେ ଏହାର ରାୟ ପ୍ରକାଶ ପାଇଛି। ଉପଭୋକ୍ତା ଫୋରମର ଅଧ୍ୟକ୍ଷ ନବନୀତ କୁମାର ରେଳବିଭାଗକୁ ଆଦେଶ ଦେଇଛନ୍ତି କି, ବାର୍ଷିକ ୧୨ ପ୍ରତିଶତ ସୁଧ ହାରରେ ଆଇନଜୀବିଙ୍କୁ ଟଙ୍କା ଫେରସ୍ତ କରିବେ। ଅଧିବକ୍ତାଙ୍କ ମାନସିକ, ଆର୍ଥିକ ଓ ମାମଲା ବାବଦୀୟ ଦେୟ ଭରଣା ପାଇଁ ଅତିରିକ୍ତ ୧୫ ହଜାର ଟଙ୍କା ରେଳବିଭାଗ ଜରିମାନା ଆକାରରେ ପୈଠ କରିବ। ଯଦି ରେଳ ବିଭାଗ ଏହି ରାୟର ୩୦ ଦିନ ଭିତରେ ଅର୍ଥରାଶି ତୁଙ୍ଗନାଥଙ୍କୁ ନ ଦିଏ, ତେବେ ସେହି ୨୦ ଟଙ୍କା ଉପରେ ବାର୍ଷିକ ୧୫ ପ୍ରତିଶତ ସୁଧ ହାରରେ ଅର୍ଥ ପୈଠ କରିବ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *