
ନୂଆଦିଲ୍ଲୀ: ୨୦୦୮ ମାଲେଗାଁଓ ବ୍ଲାଷ୍ଟ ମାମଲାରେ ଲ୍ୟୁଟନାଣ୍ଟ କଲୋନେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କୁ ମୁକ୍ତ କରିବା ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଜାନୁଆରୀ ୨ରେ ତାଙ୍କ ଯାଚିକା ଖାରଜକୁ ଚ୍ୟାଲେଞ୍ଜ କରି ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।
ମାଲେଗାଁଓ ବ୍ଲାଷ୍ଟ ମାମଲାରେ ପୁରୋହିତ, ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ଜଷ୍ଟିସ ହ୍ରିଷିକେଶ ରୟ ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟ ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।
ପୂର୍ବରୁ ହାଇକୋର୍ଟ ତାଙ୍କ ରିଲିଜ ଯାଚିକା ଉପରେ କହିଥିଲେ କି, ତାଙ୍କ ବିରୋଧରେ ସିଆପିସିର ଧାରା ୧୯୭-୨ ଅଧୀନରେ ଦାୟର ହୋଇଥିବାରୁ ଏହା ଉପରେ ତାଙ୍କୁ ମୁକ୍ତ କରାଯାଇ ପାରିବ ନାହିଁ, କାରଣ ଏହା ତାଙ୍କ ଆଧିକାରିକ ଦାୟିତ୍ବ ଅଧୀନରେ ନ ଥିଲା। ଯାହା ଉପରେ ସୁପ୍ରିମକୋର୍ଟ ଏହାକୁ ବିଚାର କରିବାକୁ ମନା କରି ଦେଇଛନ୍ତି। ତେବେ ଟ୍ରାଏଲ କୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପ୍ରଭାବିତ ନ ହେବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
ସୂଚନାମୁତାବକ, ୨୦୦୮ ସେପ୍ଟେମ୍ବର ୨୯ରେ ମାଲେଗାଁଓର ଏକ ମସଜିଦ ନିକଟରେ ଥିବା ମୋଟର ସାଇକେଲରେ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ। ବିସ୍ଫୋରଣରେ ବ୍ୟବହାର ହୋଇଥିବା ମୋଟର ସାଇକେଲ ପ୍ରଜ୍ଞା ଠାକୁରଙ୍କ ନାମରେ ପଞ୍ଜିକୃତ ଥିଲା, ଯାହାକୁ ନେଇ ତାଙ୍କୁ ଗିରଫ କରାଯାଇଥିଲା। ପରେ ଏହି ମାମଲାର ତଦନ୍ତଭାର ଏନଆଇଏକୁ ଯାଇଥିଲା।