
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ ଶୀଘ୍ର ସୁପ୍ରିମକୋର୍ଟରେ ବିଚାରପତି ପଦ ପୂରଣ ପାଇଁ ୫ ନାମକୁ ମଞ୍ଜୁରୀ ଦେଇପାରେ। ଯେଉଁ ନାମକୁ କେନ୍ଦ୍ର ମଞ୍ଜୁରୀ ମିଳିବାକୁ ଯାଉଛି, ସେମାନଙ୍କ ମଧ୍ୟରୁ ତିନିଜଣ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବେଳେ ଦୁଇ ଜଣ ହାଇକୋର୍ଟ ବିଚାରପତି ଅଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ଦ୍ବାରା ଡିସେମ୍ବର ୧୩ ତାରିଖରେ କେନ୍ଦ୍ର ମଞ୍ଜୁରୀ ପାଇଁ ସେହି ନାମ ପଠାଯାଇଥିଲା। ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତଲ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ପି ବି ସଞ୍ଜୟ କୁମାର, ପାଟନା ହାଇକୋର୍ଟ ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଇଲାହାବାଦ ହାଇକୋର୍ଟ ଜଷ୍ଟିସ ମନୋଜ ମିଶ୍ରଙ୍କ ନାମରେ ଲାଗିପାରେ କେନ୍ଦ୍ର ମୋହର।
ନ୍ୟାୟିକ ନିଯୁକ୍ତି ସହ ଜଡିତ ସୂତ୍ର ମୁତାବକ, ଏହି ପାଞ୍ଚ ବିଚାରପତିଙ୍କ ନିଯୁକ୍ତି ପରେ ସର୍ବୋଚ୍ଚ ନ୍ୟାୟାଳୟର ମୋଟ ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ପାଇବ। ବର୍ତ୍ତମାନ ଏହା ୨୭ ଅଛି। ଗତ ଜାନୁଆରୀ ୩୧ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ଆଉ ଦୁଇଟି ନାମ ସରକାର ନିକଟକୁ ମଞ୍ଜୁରୀ ପାଇଁ ପଠାଇଥିଲେ। ଯେଉଁଥିରେ, ଇଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଓ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କ ନାମ ଥିଲା।
ଏହି ଦୁଇ ନାମ ସୁପାରିଶ ସହ କଲେଜିୟମ ସରକାରକୁ ସ୍ପଷ୍ଟ କରିଥିଲା କି, ଡିସେମ୍ବରରେ ଦିଆଯାଇଥିବା ସୁପାରିଶକୁ ସଦ୍ୟ ସୁପାରିଶ ସହ ଯୋଡା ନ ଯାଉ। କୁହାଯାଉଛି, କେନ୍ଦ୍ର ଶୁକ୍ରବାର ସୁପ୍ରିମ କୋର୍ଟଙ୍କୁ ଆଶ୍ବସ୍ତ କରିଛି କି, କଲେଜିୟମ ପଠାଇଥିବା ପାଞ୍ଚ ବିଚାରପତିଙ୍କ ନାମକୁ ଶୀଘ୍ର ମଞ୍ଜୁରୀ ମିଳିଯିବ।
ଆଟର୍ନି ଜେନେରାଲ ଭେଙ୍କଟରମାନୀ ଜଷ୍ଟିସ ଏସକେ କୌଲ, ଜଷ୍ଟିସ ଏଏସ ଓକାଙ୍କ ଖଣ୍ଡପୀଠଙ୍କୁ ଜଣାଇଛନ୍ତି କି, ଏହି ସମସ୍ତ ବିଚାରପତିଙ୍କ ନିଯୁକ୍ତିର ୱାରେଣ୍ଟ ଅଫ ଆପଏଣ୍ଟମେଣ୍ଟ ଶୀଘ୍ର ଜାରି କରାଯିବ। କୁହାଯାଉଛି କି, ଖଣ୍ଡପୀଠ କେନ୍ଦ୍ର ମଞ୍ଜୁରୀରେ ବିଳମ୍ବକୁ ନେଇ ଅସନ୍ତୋଷ ଜାହିର କରି କହିଥିଲେ କି, ଏହା ଅତି ଗମ୍ଭୀର ମାମଲା। ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରାନଯାଉ।