୧୬ ମାସରେ ମିଳିଲା ମାତ୍ର ୫୦ ଫୁଲ ଫେଜ ଶୁଣାଣି: ଜଷ୍ଟିସ ରମଣା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ ଏନ.ଭି.ରମଣା। ୧୬ ମାସ ଧରି ସର୍ବୋଚ୍ଚ ଅଦାଲତର ଶୀର୍ଷ ଆସନରେ ବସି କାର୍ଯ୍ୟ ତୁଲାଇଥିଲେ ବି ମନରେ ଅବଶୋଷ ରହିଗଲା ବୋଲି କହିଛନ୍ତି ଜଷ୍ଟିସ ରମଣା। କାରଣ କେବଳ ୫୦ ଦିନ ଫୁଲ୍ ଫ୍ଲେଜରେ ଶୁଣାଣୀ ସମ୍ଭବ ହୋଇପାରିଥିଲା ତାଙ୍କ ଟର୍ମରେ। ଏହା ସହ ମାମଲାଗୁଡ଼ିକୁ ତାଲିକାଭୁକ୍ତ ଓ ପୋଷ୍ଟିଂ କରିବା ଦିଗରେ ବି ଯଥେଷ୍ଟ ଧ୍ୟାନ ଦେଇପାରିଲେନି ବୋଲି ଦୁଃଖ ପ୍ରକାଶ କରିଛନ୍ତି।

ଦୀର୍ଘ ୨୨ ବର୍ଷ ଧରି ନ୍ୟାୟିକ ବ୍ୟବସ୍ଥାରେ ନିଜକୁ ଜଡ଼ିତ କରି ରଖିଥିଲେ ଜଷ୍ଟିସ ରମଣା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ୧୬ ମାସ ଧରି ସଫଳତାର ସହ ଦାୟିତ୍ୱ ତୁଲାଇବା ପରେ ଆଜି ଅବସର ନେଇଛନ୍ତି। ତେବେ ଫେୟାରଓ୍ୱେଲ ସେରିମନିରେ ଅନେକ ଉପାଦେୟ ପରାମର୍ଶ ଦେବା ସହ ମନରେ ରହିଯାଇଥିବା କିଛି ଅବଶୋଷକୁ ବି ଜାହିର କରିଛନ୍ତି ଜଷ୍ଟିସ ଏନ.ଭି.ରମଣା। ବରିଷ୍ଠ ଜୁନିଅରଙ୍କୁ ଗାଇଡ୍ କରନ୍ତୁ। ଯେଉଁମାନେ ଲିଗାଲ ପ୍ରଫେସନକୁ ଆସୁଛନ୍ତି, ସେମାନଙ୍କୁ ଠିକ୍ ଦିଶା ଦିଅନ୍ତୁ ବୋଲି କହିଛନ୍ତି ରମଣା। ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ସମସ୍ତଙ୍କ ସହଯୋଗ ଦରକାର। ଦୁର୍ଭାଗ୍ୟବଶତଃ ତାଙ୍କର ସିଜେଆଇ ଭାବରେ ୧୬ ମାସର କାର୍ଯ୍ୟକାଳ ଭିତରେ କେବଳ ୫୦ ଦିନ ଫୁଲ୍ ଫ୍ଲେଜରେ କୋର୍ଟ ଶୁଣାଣୀ ସମ୍ଭବ ହୋଇପାରିଲା ବୋଲି କହିଛନ୍ତି।

ଯୁଗ ବଦଳୁଛି। ଆଉ ତାକୁ ତାଳ ଦେଇ ନୂଆ ଟେକ୍ନୋଲୋଜି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ସମାଧାନ ଯାଏ ପହଞ୍ଚିବାକୁ ହେବ। କୋର୍ଟରେ ଗଡ଼ୁଥିବା ମାମଲା ସଂଖ୍ୟାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜଷ୍ଟିସ ରମଣା। କାରଣ ତ୍ୱରିତ ବିଚାର କରି ସଂଖ୍ୟାକୁ ହ୍ରାସ କରିବା ସବୁଠୁ ବଡ଼ ଆହ୍ୱାନ। ଏହା ସହ ମାମଲାକୁ ତାଲିକାଭୁକ୍ତ ଓ ପୋଷ୍ଟିଂକୁ ନେଇ ସଠିକ୍ ଭାବରେ ସେ ଧ୍ୟାନ ଦେଇପାରିନାହାନ୍ତି ବୋଲି କହିଛନ୍ତି ଜଷ୍ଟିସ ରମଣା। ଏଥିଲାଗି ସେ ଦୁଃଖପ୍ରକାଶ କରିଛନ୍ତି।

ରମଣା ଅବସର ନେବାର ଦିନକ ଆଗରୁ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲାରେ ୧୧ ଦୋଷୀଙ୍କୁ ମୁକ୍ତି ପ୍ରସଙ୍ଗ, ପେଗାସସ ଗୁଇନ୍ଦାଗିରି ମାମଲାର ଶୁଣାଣୀ କରି ଦେଇଥିବା ମନ୍ତବ୍ୟ ସରକାରଙ୍କ ଅଡ଼ୁଆ ବଢ଼ାଇଛି। ଜୁଡିସିଆଲ ଭିତ୍ତିଭୂମି ସୁଦୃଢ଼ ଓ ପଦବୀ ପୂରଣ, ଆଜିକା ଦୁନିଆରେ ବ୍ରିଟିଶ ଅମଳର ରାଜଦ୍ରୋହ ମାମଲାର କି ପ୍ରାସଙ୍ଗିକତା ଆଦି ଅନେକ ମାମଲା ଓ ପ୍ରସଙ୍ଗ ଉପରେ ନିର୍ଭୀକ ଭାବେ ନିଜର ମତ ଓ ରାୟ ରଖୁଥିଲେ। ୪୮ ତମ ସିଜେଆଇ ଭାବେ ଏପ୍ରିଲ ୨୪, ୨୦୨୧ରେ ଦାୟିତ୍ୱ ନେଇଥିଲେ। ସୁପ୍ରିମକୋର୍ଟରେ କାର୍ଯ୍ୟକାଳ ଭିତରେ ସେ ୬୫୭ ଖଣ୍ଡପୀଠର ଅଂଶବିଶେଷ ସାଜିଥିଲେ ଓ ୧୭୪ ରାୟ ଦେଇଥିଲେ। ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ସେ ଜଷ୍ଟିସ ୟୁୟୁ ଲଳିତଙ୍କ ନାଁ ସୁପାରିଶ କରିଥିଲେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *