ବାକ୍‌ ସ୍ବାଧୀନତା ଉପରେ ଅଧିକ କଟକଣାର ଆବଶ୍ୟକତା ନାହିଁ: ଏସସି

Spread the love

ନୂଆଦିଲ୍ଲୀ:  ମଙ୍ଗଳବାର  ସୁପ୍ରିମକୋର୍ଟ ବାକ୍‌ ସ୍ବାଧୀନତା ଉପରେ ଦେଇଛନ୍ତି ବଡ ବୟାନ। ସରକାରୀ ଅଧିକାରୀ, ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ବାକ୍ ସ୍ବାଧୀନତା ଉପରେ ସମ୍ବିଧାନର ଆର୍ଟିକିଲ ୧୯(୨) ଅନ୍ତର୍ଗତ ଆଉ ଅଧିକ କଟକଣା ଲଗା ଯାଇ ପାରିବ ନାହିଁ। ଜଷ୍ଟିସ ଏସ ଏ ନଜୀରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠ ଏପରି ରାୟ ରଖିଛନ୍ତି।

ଖଣ୍ଡପୀଠ କହିଛନ୍ତି କୌଣସି ନାଗରିକ, ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍‌କ ବାକ୍ ସ୍ବାଧୀନତା ଅଧିକାର ଉପରେ ସମ୍ବିଧାନର ଧାରା ୧୯-୨ରେ ଉଲ୍ଲେଖ ହୋଇଥିବା କଟକଣା ବାଦ ଅଧିକ କିଛି କଟକଣାର ଆବଶ୍ୟକତା ନାହିଁ । ଯଦି କୌଣସି ମନ୍ତ୍ରୀ କିଛି ବୟାନ ଦିଅନ୍ତି ତେବେ ଏଥିପାଇଁ ସରକାର ଦାୟୀ ରହିବେ ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ମନ୍ତ୍ରୀଙ୍କ ଏକାନ୍ତ ବ୍ୟକ୍ତିଗତ ବୟାନ।

ତେବେ ମାମଲାରେ ୪ ବିଚାରପତିଙ୍‌କ ସହମତି ରହିଥିବା ବେଳେ ବିଚାରପତି ବି ଭି ନାଗରତ୍ନାଙ୍କ ଭିନ୍ନ ମତ ଥିଲା। ସେ କହିଛନ୍ତି, ଅଭିବ୍ୟକ୍ତି ଓ ବାକ୍ ସ୍ବାଧୀନତା ଏକ ବହୁତ ଆବଶ୍ୟକ ଅଧିକାର, ଯେଉଁଥିରେ ନାଗରିକମାନଙ୍କୁ ଶାସନ ସମ୍ପର୍କରେ ଭଲ ଭାବେ ସୂଚିତ ଓ ସଚେତନ କରାଯାଇ ପାରିବ।

ସେ ଆହୁରି କହିଛନ୍ତି, ଆମ ଦେଶ ପାଇଁ ବାକ୍ ଓ ଅଭିବ୍ୟକ୍ତି ସ୍ବାଧୀନତା ଅଧିକ ଜରୁରୀ ଅଧିକାର ହୋଇଥିଲେ ମଧ୍ୟ ଘୃଣା ସୃଷ୍ଟିକାରୀ ଭାଷଣ ସମାଜିକ ମୂଲ୍ୟବୋଧ ଉପରେ ଏକ କୁଠାରାଘାତ ସଦୃଶ। ଏହା ନାଗରିକଙ୍କ ବିଭିଦତା ମଧ୍ୟରେ ଏକତା ଉପରେ ଆକ୍ରମଣ ସଦୃଶ। ତେଣୁ ଏହା ପ୍ରତ୍ୟେକ ଭାରତୀୟର ଦାୟିତ୍ବ କି ଜାତି, ଧର୍ମ ନିର୍ବିଶେଷରେ ପ୍ରତ୍ୟକ ଭାରତୀୟଙ୍କ ମର୍ଯାଦା ପ୍ରତି ଧ୍ୟାନ ଦେବେ ଓ ମହିଳାଙ୍କ ଗରିମା ରକ୍ଷା କରିବେ।

ଏଥିସହ ନାଗରତ୍ନା କହିଛନ୍ତି, ଏହା ସଂସଦର ବିବେକ ଉପରେ ନିର୍ଭର କରିଥାଏ କି, ଏହା ସାର୍ବଜନୀନ ପଦାଧିକାରୀମାନଙ୍କୁ ନାଗରିକମାନଙ୍କ ବିରୋଧରେ ଅପମାନଜନକ ଟପ୍ପଣୀ ଦେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ଆଇନ ଆଣିବ। ରାଜନୈତିକ ଦଳମାନେ ସେମାନଙ୍କ ମନ୍ତ୍ରୀମାନଙ୍କ ଦ୍ବାରା ଦିଆଯାଇଥିବା ଭାଷଣସବୁ ଉପରେ ନିୟନ୍ତ୍ରଣ ରଖିବାକୁ ଏକ ଆଚାର ସଂହିତା ଆଣିପାରନ୍ତି। ଯଦି କୌଣସି ନାଗରିକ ସର୍ବସାଧାରଣ ଅଧିକାରୀଙ୍କ ଦ୍ବାରା ଏପରି ଅଭଦ୍ରୋଚିତ ଆକ୍ରମଣର ଶିକାର ହେଉଛନ୍ତି ତେବେ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ।

ଏଠାରେ ଉଲ୍ଲେଖ ଯୋଗ୍ୟ, ସୋମବାର ଦିନ ବିମୁଦ୍ରୀକରଣ ଉପରେ ୫ ଜଣିଆ ଖଣ୍ଡପୀଠରେ ଥିବା ଜଷ୍ଟିସ ବିଭି ନାଗରତ୍ନା ମଧ୍ୟ ଭିନ୍ନମତ ପୋଷଣ କରିଥିଲେ।

Leave a Reply

Your email address will not be published. Required fields are marked *