ସୁପ୍ରିମକୋର୍ଟରୁୁ ବାରବରା ରାଓଙ୍କୁ ଜାମିନ

Spread the love

ନୂଆଦିଲ୍ଲୀ: ଭୀମ କୋରେଗାଓଁ ମାମଲାରେ ନିଷିଦ୍ଧ ମାଓ ସଂଗଠନ ସହ ସମ୍ପର୍କ ସ୍ଥାପନ ଅଭିଯୋଗରେ ଅନଲଫୁଲ ଆକ୍ଟିଭିଟିଜ ପ୍ରିଭେନ୍ସନ ଆକ୍ଟ ବା ୟୁଏପିଏରେ ଗିରଫ ପି ବାରବରା ରାଓଙ୍କୁ ମିଳିଛି ଜାମିନ। ୮୪ ବର୍ଷୀୟ ବାରବରାଙ୍କୁ ସୁପ୍ରିମକୋର୍ଟ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ୟୁ ୟୁ ଲଲିତ, ଅନିରୁଦ୍ଧ ବୋଷ ଓ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ବେଞ୍ଚ ବାରବରାଙ୍କ ଦ୍ବାରା ଲିଭ ପିଟିସନ ଉପରେ ତାଙ୍କୁ ଜାମିନ ଦେଇଛନ୍ତି।

ପୂର୍ବରୁ ବମ୍ବେ ହାଇକୋର୍ଟ ବାରବରାଙ୍କ ଦ୍ବାରା ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ସ୍ଥାୟୀ ଜାମିନ ପ୍ରଦାନ ପାଇଁ କରିଥିବା ଯାଚିକାକୁ ଖାରଜ କରିଦେଇଥିଲେ, ଯାହା ଉପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କାଳରେ ବେଞ୍ଚ ବାରବରାଙ୍କ ବୟସ, ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଓ ଦେଢ ବର୍ଷ ହେବ ସେ ଜେଲ ଦଣ୍ଡ ଭୋଗ କରିବା ଆଦି ଦିଗକୁ ଗୁରୁତ୍ବ ଦେଇଛନ୍ତି। ଏହା ବ୍ୟତୀତ ତାଙ୍କ ବିରୋଧରେ ଚାର୍ଜସିଟ ଫାଇଲ ହୋଇଥିବା ବେଳେ ଚାର୍ଜ ଫ୍ରେମ ହୋଇପାରି ନାହିଁ। ତେଣୁ ତାଙ୍କ ଜାମିନ ଆବେଦନକୁ ସ୍ବୀକୃତି ଦେଇଛନ୍ତି କୋର୍ଟ।

ସେ ଆଉ ତିନି ମାସ ପରେ ଆତ୍ମସମର୍ପଣ କରିବେ କେହିବା ସହ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ବାରବରାଙ୍କୁ ଜାମିନ ଦେବା କାଳରେ ବେଞ୍ଚ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ବାରବରା ଏନଆଇଏର ବିନା ଅନୁମତିରେ ମୁମ୍ବାଇର ଗ୍ରେଟର ନୋଇଡା ଇଲାକା ଛାଡିବେ ନାହିଁ । ଏହା ବ୍ୟତୀତ ସେ ପ୍ରମାଣ ସହ କୌଣସି ଛେଡଖାନି କରିବେ ନାହିଁ, ତାଙ୍କ କ୍ଷମତାର ଅପବ୍ୟବହାର କରିବେ ନାହିଁ କି ସାକ୍ଷ୍ୟଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି କୋର୍ଟ ।

ନିଜ ଇଛା ଅନୁଯାୟୀ ସ୍ୱାସ୍ଥ୍ୟ ସେବା ହାସଲ କରିବେ, କିନ୍ତୁ ପ୍ରତି ପରିବର୍ତ୍ତନ ଓ ବିକାଶ ସମ୍ପର୍କରେ ସେ ଏନଆଇଏ କୋର୍ଟଙ୍କୁ ଅବଗତ କରିବେ ବୋଲି କୁହାଯାଇଛି । କୋର୍ଟ ଜାମିନ ରାୟ ଶୁଣାଇବା ବେଳେ ସ୍ପଷ୍ଟ କରିଛନ୍ତି କି, ଜାମିନ ସ୍ୱାସ୍ଥ୍ୟଗତ କାରଣରୁ ଦିଆଯାଇଛି । ଏହାକୁ ମୂଳ ମାମଲା ସପକ୍ଷବାଦୀ ରାୟ ଭାବେ ଗ୍ରହଣ କରାଯିବ ନାହିଁ ।
୨୦୧୮ ଅଗଷ୍ଟ ୨୮ ତାରିଖରେ ବାରବରାଙ୍କୁ ଗିରଫ କରାଯାଇଥିଲା ।ଏହା ପରେ ୨୦୨୦ରେ ତାଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨୦୨୧ ଫେବୃଆରୀରେ ତାଙ୍କୁ ମେଡିକାଲ ଗ୍ରାଉଣ୍ଡରେ ହାଇକୋର୍ଟ ୬ ମାସର ଜାମିନ ପ୍ରଦାନ କରିଥିଲେ । ତେବେ ସ୍ଥାୟୀ ଜାମିନ ଦେବାକୁ ଚଳିତ ବର୍ଷ ଏପ୍ରିଲରେ ହାଇକୋର୍ଟ ମନା କରିଦେଇଥିଲେ । ଏହାପେ ସେ ଆଉ ୩ ମାସର ଜାମିନ ପାଇଁ ଆବେଦନ କରିଥିଲେ ।

୨୦୧୮ ଜାନୁଆରୀ ୧ରେ ହେବାକୁ ଥିବା ଭୀମ କୋରେଗାଓଁ ସମାବେଶର ଗୋଟିଏ ଦିନ ପୂର୍ବରୁ ୨୦୧୭ ଡିସେମ୍ବର ୩୧ ତାରିଖରେ ପୁଣେରେ ବାରବରା ରାଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଏକ ଏଲଗାର ପରିଷଦ ସମାବେଶ ଆୟୋଜନ କରାଯାଇଥିଲା । ଏହି ସମାବେଶରେ ବାରବରା ପ୍ରମୁଖ ସରକାର ବିରୋଧରେ ଯୁଦ୍ଧଦେହୀ ଡାକରା ଦେବା ସହ ହିଂସା ଉଦ୍ରେକକାରୀ ଭାଷଣ ଦେଇଥିଲେ ବୋଲି ଅଭିଯୋଗ ଆଣି ପୁଲିସ ମାମଲା ରୁଜ୍ଜୁ କରିଥିଲା । ତାଙ୍କର ନକ୍ସଲଙ୍କ ସହ ସମ୍ପର୍କ ରହିଥିବା ଓ ନକ୍ସଲ ଚିନ୍ତାଧାରା ଦେଇ ରାଜ୍ୟରେ ଅରାଜକତା ସୃଷ୍ଟି କରିବାକୁ ପ୍ରୟାସ କରିଥିବା ଅଭିଯୋଗରେ ୟୁଏପିଏ ଅନ୍ତର୍ଗତ ମାମଲା ଦାୟର ହୋଇଥିଲା ।

Leave a Reply

Your email address will not be published. Required fields are marked *