ଜାତି ପ୍ରମାଣ ପାଇଁ ସଂଘର୍ଷ

ଜାତିଗତ ପ୍ରମାଣପତ୍ର ପାଇବା ଜଣଙ୍କର ମୌଳିକ ଅଧିକାର। କିନ୍ତୁ ପ୍ରଶାସନିକ ପେଞ୍ଚରେ ଏମିତି କରିଦିଆଯାଏ ଯେ, ଦୌଡ଼ି ଦୌଡ଼ି ତହସିଲ ଅଫିସକୁ ଚପଲ ଘୋରି ହୋଇଯାଏ। ହେଲେ ମିଳେନି ଜାତି ପ୍ରମାଣପତ୍ର। ନୂଆପଡ଼ାରୁ ଆସିଛି ଏମିତି ଏକ ରୋଚକ ଦୃଶ୍ୟ। ଦିଲ୍ଲୀରେ ଚାକିରୀ କରିଥିବା ଜଣେ ପ୍ରଫେସରଙ୍କୁ କେମିତି ନାନା ଆଳରେ ଭୂଆଁ ବୁଲାଇ ଆରଆଇଙ୍କଠୁ ନେଇ ତହସିଲଦାରଙ୍କ ଯାଏ ବୁଲାଇଥିଲେ। ଆଉ ସଂପୃକ୍ତ ପ୍ରଫେସର କୁଆଡ଼େ ଧର୍ମ ପରିବର୍ତ୍ତନ କରିଥିବାର ମିଛ ରିପୋର୍ଟ ଦିଅ କହି ସ୍ଥାନୀୟ ସରପଞ୍ଚଙ୍କୁ ବି ପ୍ରଭାବିତ କରିଥିଲେ। ଶେଷରେ ଜିଲ୍ଲାପାଳଙ୍କ କୋର୍ଟରେ ଏସବୁ ଗୋଲକଧନ୍ଦା ଧରାପଡ଼ିଗଲା।

ଜାତି ପ୍ରମାଣପତ୍ର ପାଇବାକୁ ସଂଘର୍ଷ। କୌଣସି ମଳିମୁଣ୍ଡିଆ କି ଅଶିକ୍ଷିତଙ୍କ କଥା ପଡ଼ିନି। ଜଣେ ପ୍ରଫେସର କେମିତି ହନ୍ତସନ୍ତ ହେଲେ ୩ ମାସ ଧରି ଶୁଣିଲେ ଯେ କେହି ତାଜୁବ୍ ହୋଇଯିବ। ଆରଆଇଙ୍କଠୁ ନେଇ ତହସିଲଦାରଙ୍କ ଯାଏ ସମସ୍ତେ ମିଳିମିଶି କେମିତି କରିଥିଲେ ଚକ୍ରାନ୍ତ ଜାଣିଲେ ହୋସ୍ ଉଡ଼ିଯିବ। ଏମିତିରେ ନିୟମ ଅନୁସାରେ ଜାତି ପ୍ରମାଣପତ୍ର ପାଇବାକୁ ଅନଲାଇନରେ ଆବେଦନ କରିବାର ୧୫ ଦିନ ଭିତରେ ମିଳେ। ରାଜସ୍ୱ ବିଭାଗ ଏ ସଂକ୍ରାନ୍ତରେ ସ୍ପଷ୍ଟ କରିଛି। କିନ୍ତୁ ନୂଆପଡ଼ାର ସିନାପାଲି ତହସିଲଦାର ଓ ନିଲ୍‌ଜି ଆରଆଇଙ୍କ କାରନାମାରୁ ଜଣେ ପ୍ରଫେସର ୩ ମାସ ଦୌଡ଼ିଲେ। ଦିଲ୍ଲୀରେ କାର୍ଯ୍ୟରତ ପ୍ରଫେସର ତିଲକ କୁମାର ଅନଲାଇନରେ ଆଗ ଆବେଦନ କଲେ। ଆଉ ଅପେକ୍ଷା ଥିଲା ୧୫ ଦିନ ଭିତରେ ପ୍ରମାଣପତ୍ର ମିଳିଯିବ।  ସମୟସୀମା ଚାଲିଗଲା ପରେ ନିଲ୍‌ଜି ଆରଆଇଙ୍କୁ ଯୋଗାଯୋଗ କଲେ। କିନ୍ତୁ ପ୍ରଫେସରଙ୍କ ଧର୍ମକୁ ନେଇ ଅଙ୍ଗୁଳି ଉଠାଇଥିଲେ ଆରଆଇ। ଦିଲ୍ଲୀରେ ହିନ୍ଦୁ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ନେଇ ସନ୍ଦେହ କଲେ। ଏମିତି କିଛି ହୋଇନି। ଯେ କୌଣସି ତଦନ୍ତର ସମ୍ମୁଖୀନ ହେବାକୁ କହିଥିଲେ ପ୍ରଫେସର ଜଣକ। ଏହା ପରେ ଭିଡ଼ିଓ କଲରେ ସଂପୃକ୍ତ ଆରଆଇ ରମେଶ ଚନ୍ଦ୍ର ଗିରି ଦିଲ୍ଲୀସ୍ଥିତ ଘରକୁ ଦେଖିଥିଲେ। ଗାଁକୁ ଯାଇ ପଚରାଉଚୁରା ବି କରିଥିଲେ। ଧର୍ମ ପରିବର୍ତ୍ତନ ନେଇ କୌଣସି ଚିହ୍ନବର୍ଣ୍ଣ ପାଇନଥିଲେ। ତା ସତ୍ତ୍ୱେ ବି ପ୍ରମାଣପତ୍ର ଇସ୍ୟୁ କଲେନି। ଆଉ ମିଳିତ ରିପୋର୍ଟରେ ଆରଆଇ ଓ ଅତିରିକ୍ତ ତହସିଲଦାର ଦେଇଥିଲେ ଯେ, ଯେହେତୁ ତିଲ କୁମାର ୨୦ ବର୍ଷ ହେଲା ଦିଲ୍ଲୀରେ ରହୁଛନ୍ତି। ତାଙ୍କ ପରିବାରର କୌଣସି ଲୋକ ବି ଗାଁରେ ରହୁନାହାନ୍ତି। ସେଥିଲାଗି ତାଙ୍କ ଧର୍ମ ନିରୂପଣ କରିବା ସମ୍ଭବ ନୁହେଁ। ଧାର୍ଯ୍ୟ ସମୟରେ ପ୍ରମାଣପତ୍ର ଦେବାର ନିୟମ ଥିବାରୁ ତହସିଲଦାରଙ୍କୁ ଅସମ୍ପୂର୍ଣ୍ଣ ଓ ସନ୍ଦେହଜନକ ରିପୋର୍ଟ ଦେଇଥିଲେ। ଧର୍ମ ଜାଗାରେ ଥିବା ସ୍ଥାନକୁ ଖାଲି କରି ଛାଡ଼ିଦେଇଥିବାରୁ ତହସିଲଦାର ଆବେଦନକୁ ଖାରଜ କରିଦେଲେ। କିନ୍ତୁ ଥରୁଟିଏ ବି  ଆରଆଇଙ୍କୁ ପଚାରିଲେନି ଯେ, କାହିଁକି ଏହି ସ୍ଥାନ ଖାଲି ରଖାଗଲା। ଉପଯୁକ୍ତ ତଦନ୍ତ ହୋଇଛି କି ନାହିଁ। ବେଗାପଡ଼ାରେ ଯଦିଓ ଆବେଦନକାରୀ ପ୍ରଫେସରଙ୍କ ପୈତୃକ ଗାଁ ଅଛି। କିନ୍ତୁ ଏହା ଜରାଜୀର୍ଣ୍ଣ। ବ୍ୟବହାର ଉପଯୋଗୀ ନୁହେଁ। ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତହସିଲଦାର ଉପାଞ୍ଜଳି ମାଝୀ ବି ନିଜ ଦୋଷ ଏଡ଼ାଇବାକୁ ଆରଆଇଙ୍କ ଆଡ଼କୁ ଠେଲିଦେଇଥିଲେ। ବଡ଼ କଥା ଥିଲା, ମିଳିତ ରିପୋର୍ଟରେ ଯେଉଁ କିଛି ଲୋକଙ୍କର ସ୍ୱାକ୍ଷର ନିଆଯାଇଥିଲା ସେମାନେ ବି କହିଥିଲେ ତିଲ କୁମାର ଅନୁସୂଚିତ ଜାତିର। ଏପରିକି ଖତିୟାନରୁ ବି ଏହା ସ୍ପଷ୍ଟ ଥିଲା। ଏମିତିରେ ସେତେବେଳକୁ ଚାଲିଯାଇଥିଲା ମାସେ। ନୂଆ ଆବେଦନ କରିବାକୁ ପୁଣି ଆରଆଇ ପରାମର୍ଶ ଦେଲେ। ଆବେଦନ ବି କରିଥିଲେ ପ୍ରଫେସର ଜଣକ। ଏଥର ବି ସମାନ କଥା ହେଲା। ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କୋର୍ଟରେ ନ୍ୟାୟ ଲାଗି ଫେରାଦ୍ ହୋଇଥିଲେ ଅଭିଯୋଗକାରୀ। ଉପରକୁ କଥା ଗଲାଣି। କଥା ବଢ଼ିବ ବୋଲି ଭାଳେଣୀ ପଡ଼ିଥିଲା ଉଭୟ ତହସିଲଦାର ଓ ଆରଆଇଙ୍କ ଭିତରେ। ହେଲେ ଏହାରି ଭିତରେ ନିଜର ପ୍ରଥମ ରିପୋର୍ଟ ଯେ ଠିକ୍ ଥିଲା, ତାକୁ ପ୍ରମାଣିତ କରିବାକୁ ଲାଗିପଡ଼ିଥିଲେ କୁଆଡେ ଆରଆଇ। ସଂପୃକ୍ତ ପ୍ରଫେସର ତିଲ କୁମାର ଯେ ହିନ୍ଦୁ ଓ ସେ ଅନୁସଚିତ ଜାତିର ବୋଲି ସରପଞ୍ଚଙ୍କ ସମେତ ଗ୍ରାମବାସୀ ବି ଲିଖିତ ଆକାରରେ ଦେଲେ।ଆଉ ଯେତେବେଳେ ଜିଲ୍ଲାପାଳ ଏହାର ଭର୍ଚ୍ଚୁଆଲ ଶୁଣାଣୀ କଲେ। ସେତେବେଳେ ସବୁ ଚକ୍ରାନ୍ତ ପଦାକୁ ବାହାରିଥିଲା। ମାନସିକ, ଶାରୀରିକ ଓ ଆର୍ଥିକସ୍ତରରେ ଏଭଳି ହନ୍ତସନ୍ତ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଆକ୍ସନ ଲାଗି ଦାବି କରିଛନ୍ତି ସଂପୃକ୍ତ ପ୍ରଫେସର।

ସେପଟେ ଗଲା ୧୬ତାରିଖରେ ଭର୍ଚ୍ଚୁଆଲରେ ଆବେଦନକାରୀଙ୍କ ଅଭିଯୋଗ ଶୁଣିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳ ସଂପୃକ୍ତ ତହସିଲଦାର ଓ ଆରଆଇଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ଜାତି ପ୍ରମାଣପତ୍ର ପାଇବା ଜଣଙ୍କର ଜନ୍ମଗତ ଅଧିକାର। କିନ୍ତୁ ଏଥିରୁ ତାଙ୍କୁ ବଞ୍ଚିତ କରିବା କେତେଦୂର ସମୀଚିନ ବୋଲି କୈଫୟତ ମାଗିଛନ୍ଚି ଜିଲ୍ଲାପାଳ। ଦିଲ୍ଲୀରୁ ବାରମ୍ୱାର ଆରଆଇ, ତହସିଲ ଅଫିସକୁ ଦୌଡ଼ାଇବା କେତେଦୂର ଠିକ୍ ଥିଲା। ଏହା ସହ ତୁରନ୍ତ ଜାତି ପ୍ରମାଣପତ୍ର ଇସ୍ୟୁ କରିବାକୁ ନିର୍ଦେଶ ଦେଇଛନ୍ତି। ବିନା ଉପଯୁକ୍ତ ତଦନ୍ତରେ କେବଳ ସ୍ଥାୟୀ ବାସିନ୍ଦା ଓ ଧର୍ମର ସନ୍ଦେହଜନକ ଆଧାରରେ ଜଣଙ୍କ ଜାତିଗତ ପ୍ରମାଣପତ୍ର ଆବେଦନକୁ ଖାରଜ କରିବା ଓ ଜାତି ପ୍ରମାଣପତ୍ର ଦେବାକୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଜିଲ୍ଲାପାଳ। ସେଥିଲାଗି ଡକ୍ଟର ତିଲକୁମାରଙ୍କ ସପକ୍ଷରେ ଅନୁସୂଚିତ ଜାତି ପ୍ରମାଣପତ୍ର ତୁରନ୍ତ ଜାରି କରିବାକୁ ସିନାପାଲି ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ରାଜସ୍ୱ ବିଭାଗ ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ ଗୁରୁତ୍ୱ ଦେଉଛନ୍ତି ରାଜସ୍ୱ ମନ୍ତ୍ରୀ। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଜାତି ପ୍ରମାଣପତ୍ର ପାଇବାକୁ କେହି ଯେମିତି ଅଫିସ୍‌ର ଚକ୍କର ନ କାଟନ୍ତି, ତାକୁ ସରଳ କରିବାକୁ ନିର୍ଦେଶ ଦେଇଛି। ହେଲେ ଏ ସବୁ କଥା ଯେମିତି ସିନାପାଲି ତହସିଲ ଲାଗି ଲାଗୁ ନୁହେଁ। ଯେନତେନ ପ୍ରକାରେ ହଇରାଣ କରି ଲୋକଙ୍କର ପ୍ରଶାସନ ପ୍ରତି ଭଲ ମନୋଭାବ ନ ରହୁ। ଏହି ଧାରଣାକୁ ବଳବତ୍ତର କରିବାକୁ ଲାଗିଛନ୍ତି ଯେମିତି ଏଭଳି କିଛି ସରକାରୀ କର୍ମଚାରୀ। ଦିଲ୍ଲୀ ୟୁନିଭରସିଟିର ପ୍ରଫେସର ତିଲ କୁମାରଙ୍କ କ୍ଷେତ୍ରରେ ଯାହା ଘଟିଲା, ତାହା ଭାତହାଣ୍ଡିରୁ ଗୋଟିଏ ଚିପୁଡ଼ିଲା ସଦୃଶ। ଯାହାକି ବିଡ଼ମ୍ୱନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *