ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ୭୬ ବର୍ଷ ବୟସରେ କମଳାଙ୍କ ପରଲୋକ ଘଟିଛି। ଗଲା ୧୮ ତାରିଖରୁ ଏସସିବିରେ ଚିକିତ୍ସିତ ହେଉଥିଲେ। କିଡନୀ ଜନିତ ସମସ୍ୟା ସହ ଜ୍ୱରରେ ପୀଡ଼ିତ ଥିଲେ କମଳା। ସକାଳୁ ହୃଦ୍‌ଘାତରେ ତାଙ୍କର ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି କହିଛନ୍ତି ସରକାର।

ଆଉ ନାହାନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ୭୬ ବର୍ଷ ବୟସରେ କମଳାଙ୍କ ପରଲୋକ ଘଟିଛି। କିଡ଼ନୀ ଜନିତ ସମସ୍ୟା ସହ ଜ୍ୱରରେ ପୀଡ଼ିତ ଥିବା କମଳା ଗଲା ୧୮ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ସକଳ ଚେଷ୍ଟା ସତ୍ତ୍ୱେ କମଳା ସବୁ ଦିନ ଲାଗି ଆଖି ବୁଜିଦେଇଛନ୍ତି। ଶନିବାର ସକାଳୁ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲରେ କମଳାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ଗାଁ ପାତ୍ରପୁଟକୁ ପାର୍ଥିବ ଶରୀର ପହଞ୍ଚାଇବାକୁ ସମସ୍ତ ଦାୟିତ୍ୱ ତଦାରଖ କରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

କମଳାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି। କମଳାଙ୍କ ବିୟୋଗ ଦେଶ ଲାଗି ଅପୂରଣୀୟ କ୍ଷତି ବୋଲି କହିବା ସହ ତାଙ୍କ ଭଳି ଅସାଧାରଣ ମହିଳାଙ୍କ କୃଷି କ୍ଷେତ୍ରରେ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୮ରେ କମଳା ରାଜ୍ୟ ଯୋଜନା ବୋର୍ଡର ବି ସଦସ୍ୟ ଥିଲେ। ବିଭିନ୍ନ କିସମର ଧାନ ବିହନ ସଂଗ୍ରହ କରୁଥିଲେ କମଳା। ଜୈବିକ ଚାଷ କରି ଅନ୍ୟମାନଙ୍କ ଲାଗି ସାଜିଥିଲେ ଉଦାହରଣ। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଦୁଇ ଝିଅ ଓ ଦୁଇ ପୁଅଙ୍କୁ ନେଇ କମଳାଙ୍କ ସଂସାର। କମଳାଙ୍କ ବିୟୋଗ ଖବରରେ କମଳାଙ୍କ ଗାଁ ଜୟପୁର ନିକଟସ୍ଥ ପାତ୍ରପୁଟ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। କମଳାଙ୍କ ଉଦ୍ୟମରୁ ୟନାଇଟେଡ୍ ନେସନ ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ ବା ଫାଓ କୋରାପୁଟକୁ ୨୦୧୨ରେ ବିଶ୍ୱରେ କୃଷି ହେରିଟେଜ୍ ସାଇଟ୍ ବୋଲି ଘୋଷଣା କରିଥିଲା। ଗରିବ ଆଦିବାସୀ ପରିବାରର କମଳା ୧୯୯୪ରୁ ଏମଏସ ସ୍ୱାମୀନାଥନ ରିସର୍ଚ୍ଚ ପାଉଣ୍ଡେସନ ସହ ଜଡ଼ିତ ଥିଲେ। ଜୈବିକ ଚାଷର ମୌଳିକ ଶୈଳୀ ଶିଖିବା ସହ ଏ କ୍ଷେତ୍ରରେ ଅନ୍ୟମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ କମଳା। ଅଧିକ ଗୁଣାତ୍ନକ ଧାନ କଳାଜିରା ସହ ତିଲି, ମାଛକଣ୍ଟା, ଫୁଲ ଆଦି ଶସ୍ୟର ସଂରକ୍ଷଣ ଦିଗରେ ତାଙ୍କର ଅବଦାନ ଅତୁଳନୀୟ ଥିଲା

ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ବହୁବାର ଏସସିବିକୁ ଚିକିତ୍ସା ଲାଗି ଆସୁଥିଲେ କମଳା ପୂଜାରୀ। ପୂଜାରୀଙ୍କ ଚିକିତ୍ସାରେ ୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ଥିଲେ। କିନ୍ତୁ ଏଥର ସବୁଦିନ ଲାଗି ଆଖି ବୁଜିଦେଲେ ଏହି ମହିୟସୀ ମହିଳା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *