୭୫ ବର୍ଷ ପୂର୍ତ୍ତି ଅବସରରେ ମୋଦିଙ୍କ ସମ୍ୱୋଧନ

Spread the love

ଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ଭାରତ। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି। ଦେଶକୁ ପରିବାରବାଦ ରାଜନୀତି ସମେତ ଭ୍ରଷ୍ଟାଚାରରୁ ଦୂରେଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଧୀନତାର ଅମୃତ କାଳରେ ପାଞ୍ଚ ପ୍ରାଣ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ମୋଦି।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ସାରା ଦେଶ। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଅମୃତକାଳ ସବୁ ଦେଶବାସୀଙ୍କ କର୍ତ୍ତବ୍ୟକାଳ ପାଲଟୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଅମୃତକାଳର ପଞ୍ଚପ୍ରାଣକୁ ନେଇ ଆଗକୁ ବଢ଼ିବାକୁ ହେବ ବୋଲି କହିଛନ୍ତି ମୋଦି। ବଡ଼ ସଂକଳ୍ପ ନେଇ ଆଗକୁ ବଢ଼ିବା, ନିଜ ଭିତରେ ଥିବା ଗୁଲାମୀର କୌଣସି ଅଂଶ ଥିଲେ ତାକୁ ବଞ୍ଚିବାକୁ ଦେବାନି, ନିଜର ରାଜୁତି ଉପରେ ଗର୍ବ କରିବା, ଏକତା ଓ ଏକଜୁଟ ରହିବା ସହ ନାଗରିକ ନିଜର କର୍ତ୍ତବ୍ୟ ତୁଲାଇବା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଦେଶ ସମ୍ମୁଖରେ ଦୁଇଟି ବଡ଼ ଆହ୍ୱାନ ଛିଡ଼ା ହୋଇଛି। ଭ୍ରଷ୍ଟାଚାର ଓ ଭାଇ-ପୁତୁରା ପରିବାରବାଦ ରାଜନୀତି। ଏ ଦୁଇଟିରୁ ଦୂରେଇ ରହିବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁମାନେ ଦେଶକୁ ଲୁଟିଛନ୍ତି, ସେମାନେ ଦେଶକୁ ଫେରାଇବାକୁ ବି ପଡ଼ିବ। ପରିବାରବାଦ କଥା କହିଲେ, ଲୋକଙ୍କୁ ଲାଗୁଛି କି ସେ ରାଜନୀତିର କଥା କହୁଛନ୍ତି।

ଅମୃତ କାଳ ପାଇଁ ଜୟ ଜବାନ, ଜୟ କିଷାନ ସହ ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନର ଆବଶ୍ୟକତା ଅଛି। ଦେଶର ଯୁବଗୋଷ୍ଠୀକୁ ଅସୀମ ଅନ୍ତରୀକ୍ଷରୁ ସମୁଦ୍ରର ଗଭୀରତା ଯାଏ ଗବେଷଣା ପାଇଁ ଭରପୁର ସାହାଯ୍ୟ ଦେବାକୁ ସରକାର ପ୍ରୟାସ କରୁଛନ୍ତି। ମହିଳାଙ୍କ ମର୍ଯ୍ୟାଦାକୁ କୌଣସିମତେ କ୍ଷୁର୍ଣ୍ଣ ହେବାକୁ ଦେବାନି। ନାରୀଶକ୍ତିର ଗାରିମା ରକ୍ଷା ଦିଗରେ ବକ୍ତବ୍ୟ ଓ ଆଚରଣରେ ସଂଯତ ରହିବା ଜରୁରୀ। ଆତ୍ମନିର୍ଭର ଭାରତ ସରକାରୀ ଏଜେଣ୍ଡା ନୁହେଁ। ବରଂ ସମାଜର ଜନଆନ୍ଦୋଳନ। ଏହାକୁ ଆଗକୁ ନେବାକୁ ହେବ।

ଅମୃତ କାଳର ପ୍ରଥମ କିରଣ ଆଙ୍କାକ୍ଷୀ ସମାଜର ଆଶାକୁ ପୂରଣ କରୁ। ଆମ ଦେଶ ଭିତରେ କେତେ ବଡ଼ ସାମର୍ଥ୍ୟ ଅଛି, ତ୍ରିରଙ୍ଗା ହିଁ ତାହାର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *