ପୂର୍ବତନ ବିଚାରପତିଙ୍କ ପୁଅ ହେବେ ୫୦ ତମ ବିଚାରପତି

() ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼। ଏ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ତାଙ୍କ ନାଁ ସୁପାରିଶ କରିବା ସହ ଆଜି ସୁପ୍ରିମକୋର୍ଟ ପରିସରରେ ଥିବା ବିଚାରପତି ଲାଉଞ୍ଜରେ ବିଧିବଦ୍ଧ ଭାବେ ତାଙ୍କୁ ଏ ସମ୍ପର୍କିତ ଚିଠିକୁ ବି ହସ୍ତାନ୍ତର କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଯାହା ପରମ୍ପରା ଅଛି, ସିଜେଆଇ ପଦବୀରେ ସବୁଠୁ ବରିଷ୍ଠ ତାଲିକାରେ ଥିବା ବ୍ୟକ୍ତି ହିଁ ବସିବେ। ତାହାର ଅନୁପାଳନ କରାଯାଇଛି।

ଜଷ୍ଟିସ ଡି. ଓ୍ୱାଇ.ଚନ୍ଦ୍ରଚୂଡ଼ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ସେ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି। ସୁପ୍ରିମକୋର୍ଟରେ ଏବେ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଆସନ୍ତା ନଭେମ୍ୱର ୮ ତାରିଖରେ ଅବସର ନେବାକୁ ଯାଉଛନ୍ତି। ଦେଶର ୫୦ ତମ ପ୍ରଧାନ ବିଚାରପତି ତଥା ତାଙ୍କର ଉତ୍ତରାଧିକାରୀଙ୍କ ନାଁ ସୁପାରିଶ କରିବାକୁ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ତାଙ୍କୁ ଚିଠି ଲେଖିଥିଲେ। ଆଉ ଏହି କ୍ରମରେ ଓ ପ୍ରୋଟୋକଲକୁ ଦେଖିଲେ, ସିଜେଆଇ ତାଙ୍କର ଉତ୍ତରାଧିକାରୀ ଭାବେ ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତିଙ୍କ ନାଁ ସୁପାରିଶ କରିଥାଆନ୍ତି। ତେଣୁ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାଁ ତାଙ୍କ ଉତ୍ତରାଧିକାରୀ ଭାବେ ସୁପାରିଶ କରିଛନ୍ତି। ଏମିତିରେ ଜଷ୍ଟିସ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠତମ ବିଚାରପତି।

ଚନ୍ଦ୍ରଚୂଡ଼ଙ୍କ ନାଁ ସରକାରଙ୍କୁ ସେ ସୁପାରିଶ କରିଥିବାର ଚିଠିକୁ ସୁପ୍ରିମକୋର୍ଟ ପରିସରରେ ଥିବା ବିଚାରପତି ଲାଉଞ୍ଜରେ ସମସ୍ତଙ୍କ ଉପସ୍ଥିତିରେ ମଙ୍ଗଳବାର ହସ୍ତାନ୍ତର କରିଥିଲେ ସିଜେଆଇ। ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ନଭେମ୍ୱର ୯ରେ ଦେଶର ୫୦ ତମ ପ୍ରଧାନ ବିଚାରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ନଭେମ୍ୱର ୧୦, ୨୦୨୪ରେ ସେ ଅବସର ନେବେ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପିତା ଜଷ୍ଟିସ୍ ଓ୍ୱାଇ ଭି ଚନ୍ଦ୍ରଚୂଡ଼ ଦେଶର ୧୬ତମ ପ୍ରଧାନ ବିଚାରପତି ଥିଲେ। ସେଥିଲାଗି ଏବେଠୁ କୁହାଯାଉଛି କି, ପୂର୍ବତନ ସିଜେଆଇଙ୍କ ପୁଅ ଏବେ ଦେଶର ପରବର୍ତ୍ତୀ ସିଜେଆଇ ହେବାକୁ ଯାଉଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ୭୪ ଦିନର କାର୍ଯ୍ୟକାଳ ଆସନ୍ତା ମାସ ୮ ତାରିଖରେ ଶେଷ ହେଉଛି।

ସେଥିଲାଗି ପ୍ରଧାନ ବିଚାରପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ପରବର୍ତ୍ତୀ ପ୍ରଧାନ ବିଚାରପତି କିଏ ହେବେ, ସେ ସମ୍ପର୍କିତ ନାଁ ଓ ସୁପାରିଶ ପତ୍ର ଏବେକାର ପ୍ରଧାନ ବିଚାରପତିଙ୍କଠୁ ଲୋଡ଼ିଥିଲେ ଆଇନ ମନ୍ତ୍ରୀ କିରଣ ରିଜ୍ଜୁ। କାରଣ ନାଁ ଓ ସୁପାରିଶ ପତ୍ର ପାଇବା ପରେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଥାଏ ଆଇନ ମନ୍ତ୍ରଣାଳୟ। ଆଉ ମହାମହିମ ରାଷ୍ଟ୍ରପତିଙ୍କୁ ପରବର୍ତ୍ତୀ ସିଜେଆଇ ନିଯୁକ୍ତି ଉପରେ ମୋହର ଲଗାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦିଅନ୍ତି। ତେବେ ଏ ସବୁ ପ୍ରକ୍ରିୟା ଏବେକାର ସିଜେଆଇଙ୍କ ଅବସରର ମାସକ ଆଗରୁ ସରିଥାଏ। ଆଉ ଏହି କ୍ରମରେ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ନାଁ ସୁପାରିଶ କରିବା ଓ ସେ ହିଁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାର ପ୍ରକ୍ରିୟାକୁ ସମାପନ କରିଛନ୍ତି ସିଜେଆଇ ଜଷ୍ଟିସ ୟୁୟୁ ଲଳିତ। ବଡ଼ କଥା ହେଲା କି, ସୁପ୍ରିମକୋର୍ଟ କଲେଜିୟମରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ ବିବାଦ ଘନେଇଥିଲା ସମୟରେ ଏଭଳି ସୁପାରିଶ ଓ ନିଯୁକ୍ତିକୁ ନେଇ ଚର୍ଚ୍ଚା ହେଉଛି।

ପଦୋନ୍ନତି ପାଇ ସୁପ୍ରିମକୋର୍ଟରେ ନିଯୁକ୍ତ ହେବାକୁ ଥିବା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିବା ସକାଶେ ସିଜେଆଇଙ୍କ ନିଷ୍ପତ୍ତିକୁ କଲେଜିୟମରେ ଯେଉଁ ଦୁଇ ବିଚାରପତି ଆପତ୍ତି ଉଠାଇଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼। ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ କଲେଜିୟମ ୨ ବିଚାରପତିଙ୍କ ନାଁ ପ୍ରଘଟ କରିବାରୁ ଏ କଥା ସାମ୍ନାକୁ ଆସିଛି। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ସମେତ ଜଷ୍ଟିସ ଏସ.ଅବଦୁଲ୍ ନାଜିର ସିଜେଆଇଙ୍କ ସୁପାରିଶ ଉପରେ ଆପତ୍ତି ଉଠାଇଥିଲେ। ଅକ୍ଟୋବର ୯ରେ ସ୍ୱାକ୍ଷରିତ ବିବୃତ୍ତିକୁ ସାର୍ବଜନୀନ କରାଯାଇଛି। କଲେଜିୟମ ବୈଠକଗୁଡ଼ିକୁ ସାଧାରଣତଃ ବିଚାରପତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥାଏ। ଯଦି ପ୍ରାର୍ଥୀଙ୍କ ନାଁକୁ ନେଇ କୌଣସି ମତଭେଦ ଦେଖାଦିଏ, ଚୂଡ଼ାନ୍ତ ତାଲିକା ବାହାରିବା ଆଗରୁ ପ୍ୟାନେଲ ତାକୁ ଆପୋଷ ଆଲୋଚନା ଜରିଆରେ ଦୂର କରିଥାଏ।

ତେବେ ସେପ୍ଟେମ୍ୱର ୩୦ ବୈଠକରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇପାରିନଥିବା କଲେଜିୟମ ସଦସ୍ୟଙ୍କ ମତାମତ ପତ୍ର ଜରିଆରେ ଗ୍ରହଣ କରିବାକୁ ସିଜେଆଇ ନିଷ୍ପତ୍ତି ନେଇଥିଲେ। ଏହି ଲେଟର ରୁଟ୍ ପ୍ରସ୍ତାବ ସପକ୍ଷରେ ଜଷ୍ଟିସ ସଞ୍ଜୟ କିଷାନ୍ କୌର, କେ.ଏମ.ଜୋସେଫ୍ ସହମତି ପ୍ରକାଶ କରିଥିଲା ବେଳେ ଜଷ୍ଟିସ ଚନ୍ଦ୍ରଚୂଡ଼ ଓ  ଜଷ୍ଟିସ ନାଜିର୍ ବିରୋଧ କରିଥିଲେ। ଆପତ୍ତି ଉଠାଇଥିବା ଦୁଇ ବିଚାରପତିଙ୍କ ନାଁ କଲେଜିୟମ ପକ୍ଷରୁ ପ୍ରଘଟ ପରେ ଏବେକାର ସିଜେଆଇ ଲଳିତ ଓ ତାଙ୍କର ଉତ୍ତରାଧିକାରୀ ଜଷ୍ଟିସ ଚନ୍ଦ୍ରଚୂଡ଼ ଏକ ପ୍ରକାର ମୁହାଁମୁହିଁ ଅବସ୍ଥାକୁ ଆସିଥିବା ସାଧାରଣରେ ଚର୍ଚ୍ଚା ହେଉଛି। କଲେଜିୟମର ଏଭଳି ଆଭିମୁଖ୍ୟ ଉଚିତ ପରମ୍ପରା ସୃଷ୍ଟି କରିନି ବୋଲି ଅନେକ ଆଇନ ବିଶାରଦ ମତ ଦେଉଛନ୍ତି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *