ରାଜ୍ୟ ଦେଖିବ ୩ ଦିନିଆ ପଲିଟିକାଲ ଡ୍ରାମା

() ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇ ଯାଇଛି ପଲିଟିକାଲ ୱାର। ଉଭୟ ବାଛି ସାରିଛନ୍ତି ପ୍ରସଙ୍ଗ । ବିଜେଡି ଚାଉଳ ଓ ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆନ୍ଦୋଳନ କରିବେ। ଆସନ୍ତା ୧୪,୧୫ ଓ ୧୬ ତାରିଖରେ ତିନି ଦିନ ଧରି ରାଜଧାନୀରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପ୍ରତିବାଦ ଉଭୟଙ୍କ ପକ୍ଷରୁ ଆରମ୍ଭ ହୋଇଛି । ଏପେଟେ ଆନ୍ଦୋଳନକୁ ରାଜନୈତିକ ଡ୍ରାମା କହିଛି କଂଗ୍ରେସ ।

ବିଜେଡ଼ି ବନାମ ବିଜେପି । ଚାଉଳ ବନାମ ଆଇନ ଶୃଙ୍ଖଳା । ରାଜ୍ୟ ଦେଖିବ ୩ ଦିନିଆ ପଲିଟିକାଲ ଡ୍ରାମା । ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ଗର୍ଜିବେ ଉଭୟ ଦଳ । କଂଗ୍ରେସ କହିଲା ନିର୍ବାଚନୀ ଡ୍ରାମା । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ନିଜ ନିଜର ରାଜନୈତିକ ମୁଦ୍ଦା ଧରି ଆନ୍ଦୋଳନ ମୁହାଁ ହେଲେଣି ଦଳ। ଚାଉଳ ପ୍ରସଙ୍ଗକୁ ଧରି କେନ୍ଦ୍ର ସରକାରଙ୍କୁ ବିଜେଡି ଘେରିବାକୁ ଥିବା ବେଳେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି । ଏହାରି ଭିତରେ ଆସନ୍ତା ୧୪,୧୫,୧୬ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟିବାକୁ ରାଜନୈତିକ ଅସ୍ତ୍ର କରି ୧୪ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ଶଙ୍ଖ ଦଳ। ତାହ ସହ ୧୫ ରେ ପଞ୍ଚାୟତ ଓ ୧୬ରେ ବ୍ଲକ ଓ ଜିଲ୍ଲାପାଳ ଅଫିସ ସାମ୍ନାରେ ବସିବ ଦଳ। ସେହିପରି ବିଜେପି ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନବ ଦାସ ହତ୍ୟାକାଣ୍ଡକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଗପ କହି ତଦନ୍ତକୁ ବାଟବଣା କରାଯାଉଥିବା ଅଭିଯୋଗରେ ୩ ଦିନିଆ ଧାରଣା ଦେବ। ସେହିକ୍ରମରେ ୧୪ ତାରିଖରେ ଭୁବନେଶ୍ୱରରେ ହରତାଳ କରିବ । ସେହିପରି ୧୫ ତାରିଖରେ ଜିଲ୍ଲାପାଳ ଅଫିସ ଓ ୧୬ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେପି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ସମସ୍ତଙ୍କୁ ଚାଉଳ ଦେବା ବାଧ୍ୟତା ମୂଳକ। ଯିଏ ଶାସନ ଦାୟିତ୍ୱରେ ରହିବେ ସେ ଏ କାମ କରିବେ । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ଚାଉଳକୁ ନେଇ ଡ୍ରାମା କରୁଥିବା କଂଗ୍ରେସ କହିଛି । ତା ସହ ଆଇନଶୃଙ୍ଖଳା ଦୃଷ୍ଟିରୁ  ରାଜ୍ୟର ସ୍ଥିତି ଚିନ୍ତାଜନକ ବୋଲି ଦଳ କହିଛି ।

ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ବିଧାନସଭା ଓ ସଂସଦୀୟ କ୍ଷେତ୍ରକୁ ନେତା ମନ୍ତ୍ରୀଙ୍କ ମାରାଥନ ଗସ୍ତ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କର ସୋମବାର କେନ୍ଦୁଝର ଜିଲ୍ଲା ଗସ୍ତ ସରିଛି ଆଉ ଆସନ୍ତା ୧୯ରେ ପଦ୍ମପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ସେହିପରି ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଜେପିର ଚାଣକ୍ୟ ତଥା କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଢେଙ୍କାନାଳ ଓ ଭଦ୍ରକ ସଂସଦୀୟ କ୍ଷେତ୍ର ଗସ୍ତ ନେଇ ଦଳ ସୂଚନା ଦେଇଛି ।ସେପଟେ କଂଗ୍ରେସ ପୂର୍ବରୁ ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତ କଥା କହିଥିଲେ ବି ଆଜି ଦିନରେ କିଛି ନିର୍ଦ୍ଧିଷ୍ଟ ସମୟ କଥା କହିପାନି ।କିନ୍ତୁ ପ୍ରତି ଦଳ ଚଳଚଞ୍ଚଳ ଏକଥା ସ୍ପଷ୍ଟ ଦେଖି ହେଉଛି ।

ନବ କିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *