ବିଧାନସଭାରେ ଲୁମେକ୍ସ ତୋଫାନ

() ସରକାର ସ୍ବଚ୍ଛ ଶାସନ ପାଇଁ ନିଜ ପିଠି ଥାପୁଡାଉଛନ୍ତି। ମୁଖ୍ୟମନ୍ତ୍ରୀ କୌଣସି ପ୍ରକାରର ଦୁର୍ନୀତି ବା କାର୍ଯ୍ୟ ପ୍ରତି ଅବହେଳା ପ୍ରତି ଶୂନ୍ୟ ସହିଷ୍ଣୁତା ଅବଲମ୍ବନ କରୁଥିବା ଶାସକ ଦଳ କହୁଛି। ହେଲେ ନ୍ୟାୟାଳୟର ନିର୍ଦେଶକୁ ଫୁ କରି କୋଟି କୋଟି ଟଙ୍କାର ଚୂନ ଲଗାଇଥିବା ଠକ ଦମ୍ପତ୍ତି ରାଜୀବ ଲୋଚନ ଦାସ ଓ ସୋନିଆ ତ୍ରିପାଠୀଙ୍କ ଦେହରେ ହାତ ଦେଉନି ପୁଲିସ। ତଥାପି ସରକାର ଚୁପ।  ଯାହାକୁ ନେଇ ଆଜି ବିଧାନସଭାରେ ଉଠିଲା ପ୍ରସଙ୍ଗ। ଜଣେ ଆଇପିଏସଙ୍କ ସମ୍ପର୍କୀୟ ହେତୁ ପୁଲିସ ପଛଘୁଞ୍ଚା ଦେଉଛି କି ବୋଲି ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ବିରୋଧୀ। ନ୍ୟାୟ ଲାଗି ସବୁ ଫୋରମକୁ ଗଲା ସତ୍ତ୍ୱେ ନିବେଶକ ସହାୟତା ନ ପାଇ ହେଉଛି ଅସହାୟ। ଏହା ଉପରେ କଅଣ କରୁଛନ୍ତି ସରକାର ବୋଲି ତମ୍ୱିତୋଫାନ କରିଛନ୍ତି ବିରୋଧୀ ଦଳ।

ବିଧାନସଭାରେ ଠକ ଦମ୍ପତ୍ତିଙ୍କ କାରନାମାକୁ ନେଇ ବିରୋଧୀଙ୍କ ତମ୍ୱିତୋଫାନ୍। କିଏ ଠକ ଦମ୍ପତ୍ତି ରାଜୀବ ଦାସ ଓ ସୋନିଆ ତ୍ରିପାଠୀଙ୍କ ରକ୍ଷାକବଚ ସାଜିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସତ୍ତ୍ୱେ କାହିଁକି ଏ ଯାଏ ବାନ୍ଧିନି ପୁଲିସ୍। କମିଶନରେଟ ପୁଲିସର ଅତିରିକ୍ତ ସିପି ଉମାଶଙ୍କର ଦାସଙ୍କ ସମ୍ପର୍କୀୟ ବୋଲି କଥା ପଦାକୁ ଆସିଛି। ମୁଖ୍ୟମନ୍ତ୍ରୀ, ଫାଇଭ-ଟି ସଚିବ, ଗୃହ ସଚିବଙ୍କଠୁ ନେଇ ଡିଜିଙ୍କ ଯାଏ, ସମସ୍ତଙ୍କୁ ଅଭିଯୋଗକାରିଣୀ ନ୍ୟାୟ ଲାଗି ଗୁହାରି କଲେ। ହେଲେ ଆକ୍ସନ କାଇଁ। ନିଶାରାଣୀ ମହାପାତ୍ରଙ୍କଠୁ ଲୁମେକ୍ସ ସଂସ୍ଥା ନାଁରେ କେବଳ ସାଢ଼େ ୫ କୋଟି ଲୁଟିନାହାନ୍ତି। ତାଙ୍କ ସ୍ୱାମୀ ପ୍ରଜ୍ଞା ପ୍ରକାଶ ନାୟକଙ୍କୁ ବି ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ୫ କୋଟିରୁ ବେଶୀ ଟଙ୍କାର ଚୂନ ଲଗାଇଛନ୍ତି। ସବୁ ପ୍ରମାଣ ହାତପାହାନ୍ତାରେ।

ତଥାପି ପୁଲିସ କାହା ଚାପରେ ପଛାଉଛି ବୋଲି ପଚାରିଛନ୍ତି ବିରୋଧୀ ଦଳ ନେତା। ଆଉ ବିରୋଧୀ ଦଳ ନେତାଙ୍କ ସହ ସମସ୍ୱରରେ ଗର୍ଜିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଠକ ବୁଲୁଛି। ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ରହି ଜ୍ଞାନ ବାଣ୍ଟୁଛି। ଯେଉଁ ସବୁ ସଂସ୍ଥା ସହ କାରବାର କରୁଥିବା କଥା କହି ଜାଲି ଦସ୍ତାବିଜ୍ ବଳରେ ରାଜୀବ, ସୋନିଆ ଓ ତାଙ୍କ ଅନ୍ୟ ୩ ସହଯୋଗୀ ହିମାଂଶୁ, ଉଷା ଓ ବିମଳ ଠକିଛନ୍ତି। ସେ ସବୁ ସଂସ୍ଥା ବି ରାଜୀବଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ଏତଲା ଉପରେ ଥରୁଟିଏ ହେଲେ ବି ପୁଲିସ ତଦନ୍ତ କରିଛି କି। ଅନ୍ୟ ତିନି ଅଭିଯୁକ୍ତଙ୍କ ପାଖରେ କେତେ ଥର ପହଞ୍ଚି ତନାଘନା କଲାଣି ପୁଲିସ। ଏ ସବୁ ପ୍ରଶ୍ନର ଉତ୍ତର ଆଜି ଚାହୁଁଛନ୍ତି ରାଜ୍ୟବାସୀ।

ସେପଟେ ଶାସକ ଦଳ ବେଶ୍ ମାପିଚୁପି ଏହା ଉପରେ ବୟାନ ରଖିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଅନୁପାଳନ କରିବା କଥା। ପୁଲିସ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଗିରଫ ହେବେ। ଆଇନ ଆଖିରେ ସମସ୍ତେ ସମାନ କହି ପ୍ରସଙ୍ଗକୁ ଏଡାଇବାକୁ ଶାସକ ଦଳ ଚେଷ୍ଟା ଚଳାଛି। ଯଦି ଆଇନ ଆଖିରେ ସବୁ ସମାନ ତେବେ ଠକ ଦମ୍ପତ୍ତି ଓ ସେମାନଙ୍କ ସହଯୋଗୀ ଏ ଯାଏ କଅଣ ପୁଲିସ ସ୍କାନରକୁ ଆସିପାରିନାହାନ୍ତି? ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ବି ଅନୁପାଳନ କରିବାକୁ ପୁଲିସ ପଛାଇବା ପଛରେ ରହସ୍ୟ କଅଣ? ଲୁମେକ୍ସ ଓ ବ୍ରାଇଟ ହୋମ୍ସ ଡେକର ସଂସ୍ଥା ନାଁରେ ଲୋକଙ୍କୁ ଚୂନ ଲଗାଇଥିବା ରାଜୀବର କାରସାଦି ଓ ସରକାରୀ ବ୍ୟବସ୍ଥାର ଅସହାୟତାକୁ ନେଇ ଏମିତି ତମାମ ପ୍ରଶ୍ନ ଓ ସନ୍ଦେହ ଘୁରିବୁଲୁଛି।

ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଏହି ଠକ ସଂସ୍ଥା, ଠକ ଦମ୍ପତି ତଥା ସେମାନଙ୍କୁ ସୁରକ୍ଷା ଦେଉଥିବା ଆଇପିଏସଙ୍କ ସମ୍ପର୍କରେ ନାନା ତଥ୍ୟ ପ୍ରମାଣ ଦିଆଯିବା ପରେ ମଧ୍ୟ ସରକାରଙ୍କ ନିରବତା ସରକାରର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *