ଛାତ୍ରୀଙ୍କ ଆତ୍ମହତ୍ୟା: ରାଗିଂ ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ଥାନା ରଗଡ଼ି ସରକାରୀ ପଲିଟେକନିକ କଲେଜର ଇଲେକ୍ଟ୍ରିକାଲ ଷ୍ଟ୍ରିମର ୩ୟ ବର୍ଷ ଛାତ୍ରୀ ଆତ୍ମହତ୍ୟା ଘଟଣା। ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି କୋରାଇ ପୋଲିସ। ଗୋଟିଏ ପଟେ ରାଗିଙ୍ଗ ପାଇଁ ଝିଅର ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ତଦନ୍ତ ପରେ କାରଣ ସ୍ପଷ୍ଟ ହେବା ନେଇ ପୋଲିସ ସୂଚନା ଦେଇଛି।

ବେକରେ ଓଢ଼ଣୀ  ଲଗାଇ ଆତ୍ମହତ୍ୟା କରିଛନ୍ତି ଯାଜପୁର ଜିଲ୍ଲା କୋରାଇ ଥାନା ରଗଡି ପଲିଟେକନିକର  ଇଲେକ୍ଟ୍ରିକାଲର ୩ୟ ବର୍ଷ ଛାତ୍ରୀ ରୋଜାଲିନ ପାତ୍ର। ମୃତା ଛାତ୍ରୀ ଜଣକ ଜେନାପୁର ଥାନା ଷେଣ୍ଢପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ। କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ରାଗିଂ ନେଇଗଲା ଝିଅର ଜୀବନ। ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ନେଇ ସେ ଫୋନରେ ବାରମ୍ବାର ପରିବାର ଲୋକଙ୍କୁ ଜଣାଥିଲେ।

ପରିବାର ଲୋକେ ତାଙ୍କ ରୋଜାଲୀନଙ୍କ ୩ ବନ୍ଧୁ ବିଭୂଦତ୍ତ ସାହୁ, ଅର୍ପିତା ଦଳାଇ ଓ ପିଙ୍କି ପଣ୍ଡା ଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଏହି  ଅଭିଯୋଗକୁ ଖଣ୍ଡନ କରିଛନ୍ତି କଲେଜ ଅଧ୍ୟକ୍ଷ ।

ଅନ୍ୟପଟେ ମୃତା ଛାତ୍ରୀ ରୋଜାଲିନ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ସ୍ପଷ୍ଟ କରିଛନ୍ତି ଯାଜପୁର ରୋଡ଼ ଏସଡିପିଓ। ସେହିଭଳି  ଛାତ୍ରୀଙ୍କ ମୃତ ଦେହ ନିକଟରୁ ହାତଲେଖା ଚିଠି ହସ୍ତଗତ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି । ହଷ୍ଟେଲ ୱାର୍ଡନଙ୍କ କହିବାନୁଯାୟୀ ରୋଜାଲିନ ସନ୍ଧ୍ୟାରୁ କବାଟ ବନ୍ଦ କରି ହଷ୍ଟେଲ ରୁମରେ ଥିଲେ । ରାତି ଖାଇବା ମଧ୍ୟ ଖାଇ ନଥିଲେ କି ବିଳମ୍ବିତ ରାତି ପର୍ଯ୍ୟନ୍ତ ରୁମର କବାଟ ଖୋଲି ନଥିଲେ।ଯାହାଫଳରେ ତାଙ୍କ ସହପାଠୀ ମାନେ  ଅନ୍ୟଏକ ରୁମରେ ରାତିରେ ଶୋଇଥିଲେ। ସକାଳୁ ପ୍ରାର୍ଥନା କରିବାକୁ ନଆସିବାରୁ ହଷ୍ଟେଲ ୱାର୍ଡନ କବାଟ ବାଡେଇ ଥିଲେ । ସେ କବାଟ ନଖୋଲିବାରୁ ଅନ୍ୟ ଛାତ୍ରୀଙ୍କ ଉପସ୍ଥିତିରେ କବାଟ ଭଙ୍ଗାଯିବା ପରେ ଘଟଣା ସାମ୍ନାକୁ ଆସିଥିଲା।

କଲେଜ ଗୁଡିକରେ ରାଗିଙ୍ଗ ପାଇଁ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣା ନୂଆ ନୁହେଁ। ବାରମ୍ବାର ଏଭଳି ଅଭାବନୀୟ ଚିତ୍ର ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ବେଳେ ଏହା ବିରୁଦ୍ଧରେ ଆଖିଦୃଶିଆ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି।

ହିମାଂଶୁ କୁମାର ପାଢ଼ୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *