ଓଡ଼ିଶା

ଛାତ୍ରଛାତ୍ରୀଙ୍କ ଗାଡି ଚାଳନା ଉପରେ ନଜର

କଟକ: ପୁଣି ଥରେ ଆରମ୍ଭ ହୋଇଛି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଗାଡ଼ି ଚାଳନା ଉପରେ କଡ଼ାକଡ଼ି ଯାଞ୍ଚ। 18 ବର୍ଷରୁ କମ ବୟସ୍କ ପିଲାମାନେ ନିୟମ ଉଲଙ୍ଘନ କରୁଥିବା ଅବସ୍ଥାରେ ଧରା ପଡ଼ିଥିବା ବେଳେ କାର୍ଯ୍ୟାନୁଷ୍ଠା ମଧ୍ୟ ଗ୍ରହଣ କରାଯାଇଛି । ଗାଡ଼ି ଚଳାଉଥିବା ସମ୍ପୃକ୍ତ ନାବାଳକ ନାବାଳିକାଙ୍କ ଗାଡିକୁ ଜବତ କରାଯିବା ସହ 25 ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କରାଯାଇଛି । ଆଜି ପ୍ରଥମ ଦିନରେ ନିୟମ ଉଲ୍ଲଘଂନ କରି ଗାଡି ଚଳାଉଥିବା କିଛି ଛାତ୍ରଛାତ୍ରୀ ମଧ୍ୟ ତଣ୍ଡ ଗଣିଛନ୍ତି।  

ଅଭିଭାବକ ମାନେ ହୋଇ ଯାଅନ୍ତୁ ସାବଧାନ । ଏଣିକି ଗାଡି ଚଳାଇ ପାରିବେନି ୧୮ ବର୍ଷରୁ କମ ବୟସର ପିଲା, ସ୍କୁଲ ଓ କଲେଜ ଆଖପାଖରେ କଡାକଡି ହୋଇଛି ଚେକିଂ। ନାବାଳକମାନେ ଗାଡ଼ି ଚଳାଇବାବେଳେ ବିଭିନ୍ନ ନିୟମ ଉଲ୍ଲଙ୍ଘନ କରୁଥିବା ଯୋଗୁଁ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି ।ତେଣୁ ଏହି ଡ୍ରାଇଭ ଆରମ୍ଭ ହୋଇଥିବା ବେଳେ କଟକ ଚଣ୍ଡୀଛକ ଠାରେ ଯାଞ୍ଚ ବେଳେ ଫସିଛନ୍ତି 8ଜଣ ନାବାଳକ ନାବାଳିକା ଛାତ୍ରଛାତ୍ରୀ.ଯେଉଁ ମାନଙ୍କୁ ପରିବହନ ବିଭାଗ ର ସ୍ୱତନ୍ତ୍ର ଟିମ୍ 25ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିଭଳି ରାୟଗଡା ପ୍ରଥମ ଦିନର ଏହି ସ୍ୱତନ୍ତ୍ର ଅଭିଯାନରେ ୩ ଜଣ ନାବାଳଙ୍କ ନିକଟ ରୁ ୨୫ ହଜାର ଲେଖାଏଁ ଫାଇନ ଆଦାୟ କରିବା ସହ ୩ ଟି ମାମଲା ରୁଜୁ କରିଛି ରାୟଗଡା ଆଞ୍ଚଳିକ ପରିବହନ ବିଭାଗ।ଅପରପଟେ ଅବିଭାବକ ମାନେ ଏପରି ଯାଞ୍ଚ ବାବଦରେ ଅବଗତ ନଥିଲେ ବୋଲି ସଫେଇ ଦେଇଛନ୍ତି । 

ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ସପ୍ତାହ ଭାବେ ପାଳନ କରିବାକୁ ଲକ୍ଷ୍ୟ ରଖିଛି ପରିବହନ ବିଭାଗ। ଆଉ ତା ପୂର୍ବରୁ ଆରମ୍ଭ ହୋଇଛି ଏହି ଅଭିଯାନ । ନାବାଳକ ସ୍କୁଲ ପିଲା ବାଇକ୍ କିମ୍ବା ଅନ୍ୟ ଗାଡ଼ି ଚଳାଇ ପାରିବେ ନାହିଁ । ଏହା ସମ୍ପୂର୍ଣ୍ଣ ବେଆଇନ, ଯଦି ସେମାନେ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିବେ, ତେବେ ଆବଶ୍ୟକ ସ୍ଥଳେ ଗାଡ଼ିର ମାଲିକକୁ ଧରି କୋର୍ଟ ଚାଲାଣ କରାଯିବ ବୋଲି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି.ଦରକାର ପଡ଼ିଲେ ଗାଡ଼ିର ପଞ୍ଜିକରଣ ବାତିଲ କରାଯିବ ଓ ଗାଡି ମାଲିକଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ  ଗ୍ରହଣ କରାଯିବ

କଟକ ସମେତ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଏଭଳି ଯାଞ୍ଚ କରାଯାଇଛି ।ଆଉ ଏଥିରେ ଫସିଛନ୍ତି ଅନେକ ନାବାଳକ ନାବାଳିକା ଛାତ୍ରଛାତ୍ରୀ ତଥା ନିୟମ ଉଲ୍ଲଂଘନ କରି ଗାଡି ଚଳାଉଥିବା ଲୋକେ। ଖାସକରି ଏଥିପାଇଁ ଶିକ୍ଷାନୁଷ୍ଠାନଗୁଡିକୁ ଟାର୍ଗେଟ କରିଛି ପରିବହନ ବିଭାଗ ।

ଚିତ୍ତରଞ୍ଜନ ସାମନ୍ତରାୟ

Leave a Reply

Your email address will not be published.

Back to top button