ଭୁବନେଶ୍ୱର : ଚଳିତ ଖରିଫରେ ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର, ବିହନ, କୀଟନାଶକ ଆଦି କୃଷି ସାମଗ୍ରୀ ଯୋଗାଣ ନିମନ୍ତେ ଜିଲ୍ଲାସ୍ତରରେ ଏନ୍ଫୋର୍ସମେଂଟ ସ୍କ୍ୱାଡ୍ ଗଠନ ସହ ଯାନ୍ତ୍ରୀକ କାର୍ଯ୍ୟକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି ।
ଚଳିତ ଖରିଫରେ ସାରା ରାଜ୍ୟରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଦୃଷ୍ଟିରୁ ଚାଷ କାର୍ଯ୍ୟ ନିମନ୍ତେ ଠିକ୍ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ମାନର ସାର, ବିହନ, କୀଟନାଶକ, ବାୟୋଫର୍ଟିଲାଇଜର, ଜୈବିକ ସାର, ବାୟୋକୀଟନାଶକ ପରି ବିଭିନ୍ନ କୃଷି ସାମଗ୍ରୀ ଯୋଗାଣର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାରା ରାଜ୍ୟରେ ଏହିସବୁ ଅତ୍ୟନ୍ତ ଦରକାରୀ କୃଷି ସାମଗ୍ରୀର ଉଚିତ ମୂଲ୍ୟରେ ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟର ପ୍ରତି ଅନୁକୋଣରେ ଆବଶ୍ୟକ ଯାନ୍ତ୍ର କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛି ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଏହି ପୃଷ୍ଠଭୂମିରେ ବିଗତ ବର୍ଷ ପରି ପ୍ରତି ଜିଲ୍ଲାରେ ନିୟମିତ ଯାନ୍ତ୍ରୀକ କାର୍ଯ୍ୟ ନିମନ୍ତେ ଏଗ୍ରି-ଇନ୍ପୁଟ ଇନ୍ସପେକଫର, ଜଣେ ମାଜିଷ୍ଟ୍ରେଟ୍ ଏବଂ ପୁଲିସ ଅଧିକାରୀଙ୍କୁ ନେଇ ଏକ କିମ୍ବା ଏକାଧିକ ଏନ୍ଫୋର୍ସମେଂଟ ସ୍କ୍ୱାଡ୍ ଗଠନ କରିବାର ଆବଶ୍ୟକତା ରହିଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ୍ସ୍ତରରେ ଅଧିକାରୀଙ୍କୁ ବିଭିନ୍ନ ତଦାରଖ କାର୍ଯ୍ୟ ନିମନ୍ତେ ଅନୁରୂପ ସହାୟତା ଯୋଗାଇଦେବା ପାଇଁ ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରିଛନ୍ତି ।
ଏଥି ସହିତ କୃଷି ସାମଗ୍ରୀର ସର୍ବୋଚ୍ଚ ଚାହିଦା ସମୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି ପ୍ରଭାବିତ ନ ହୁଅନ୍ତି ସେଥିପାଇଁ କୃଷି ସାମଗ୍ରୀର ଯୋଗାଣ ଓ ସଜାଗ ଦୃଷ୍ଟି ରଖିବା ଓ କୌଣସି ପ୍ରକାରର ଅସାଧୁ କାରବାରକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାନ୍ତ୍ରୀକ କାର୍ଯ୍ୟର ନିୟମିତ ଭାବରେ ସମୀକ୍ଷା କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟକୁ ନିୟମିତ ଅବଗତ କରିବା ପାଇଁ ପତ୍ରରେ ଅନୁରୋଧ କରାଯାଇଛି । ଏହିସବୁ କାର୍ଯ୍ୟ ପ୍ରତି ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଦୃଷ୍ଟି ଦେବା ପାଇଁ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ଜିଲ୍ଲାପାଳମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now